ନୂଆଦିଲ୍ଲୀ: ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ (ପିଏମ୍ସି) ବ୍ୟାଙ୍କର ଦୁର୍ନୀତି ମାମଲା ପଦାକୁ ଆସିବା ପରେ ଆଜି ଏହାର ଆଉ ଜଣେ ଜମାକାରୀଙ୍କର ମୃତ୍ୟୁ ହୋଇଛି। ସେହି ଜମାକାରୀ ଜଣକ ହେଲେ ୬୪ ବର୍ଷୀୟା କୁଲଦୀପ କୌର ଭିଗ୍। କୁଲଦୀପଙ୍କ ମୃତ୍ୟୁପରେ ପିଏମସି ବ୍ୟାଙ୍କର ଜମାକାରୀଙ୍କ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ନଭି ମୁମ୍ବାଇର ଖରଗରସ୍ଥିତ ସେକ୍ଟର ୧୦ରେ ସେ ରହୁଥିଲେ। ତାଙ୍କ ସ୍ବାମୀଙ୍କ କହିବାନୁଯାୟୀ, ବ୍ୟାଙ୍କ ସମ୍ପର୍କିତ ଖବର ପାଇବା ପରେ ସେ ଚାପରେ ଥିଲେ। ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଦରମା ଆକାଉଣ୍ଟ ଏହି ବ୍ୟାଙ୍କରେ ଥିଲା। ଏଥିସହିତ ଉକ୍ତ ବ୍ୟାଙ୍କରେ ସେ ରଖିଥିା ମିଆଦୀ ଜମାର ନବୀକରଣ ମଧ୍ୟ ନିକଟରେ ସେ କରିଥିଲେ। ଅନ୍ୟପକ୍ଷରେ ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନୋଟିସ୍ ଜାରି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଜାନୁଆରି ୨୨ ତାରିଖରେ ଏହି ମାମଲାର ଶୁଣାଣି ହେବ। ସମସ୍ତ ବ୍ୟାଙ୍କ ଖାତାଧାରୀ ଏବଂ ଜମାକାରୀ ଯେଭଳି ସେମାନଙ୍କ ଟଙ୍କା ଫେରିପାଇବେ ସେଥିପାଇଁ ଜନସ୍ବାର୍ଥ ମାମଲାରେ ଆାବେଦନ କରାଯାଇଛି। ଏଥିସହିତ ଭବିଷ୍ୟତରେ ଯେଭଳି ଏପ୍ରକାର ଘଟଣା ଆଉ ନଘଟେ ସେଥିପାଇଁ ଆଇନଗତ ବ୍ୟବସ୍ଥା କରିବା ଲାଗି ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଛି।
ପିଏମ୍ସି ବ୍ୟାଙ୍କ ଦୁର୍ନୀତି: ଆଉ ଜଣେ ଜମାକାରୀଙ୍କ ମୃତ୍ୟୁ
କେନ୍ଦ୍ର, ରିଜର୍ଭ ବ୍ୟାଙ୍କକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍