ସୁପ୍ରିମକୋର୍ଟଙ୍କ ନିର୍ଦେଶ: ବିଲ୍‌ଡର୍‌ ସଂସ୍ଥା ନିର୍ଦେଶକଙ୍କ ବ୍ୟକ୍ତିଗତ ସମ୍ପତ୍ତି ନିଲାମ ହେବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଗ୍ରାହକମାନଙ୍କୁ ଘର ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଥିବା ବିଲ୍‌ଡର୍‌ ସଂସ୍ଥା ୟୁନିଟେକ୍‌ର ନିର୍ଦେଶକମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ନିଲାମ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପ୍ରଥମ ଥର ପାଇଁ କୌଣସି କଂପାନିର ନିର୍ଦେଶକମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ନିଲାମ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ୟୁନିଟେକ୍‌ ଅଧୀନରେ ଥିବା ସମ୍ପତ୍ତିଗୁଡ଼ିକୁ ନିଲାମ କରି ଗ୍ରାହକଙ୍କ ଟଙ୍କା ଫେରସ୍ତ କରିବାକୁ ପୂର୍ବରୁ କୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ କଂପାନି ପାଖରେ ଥିବା ସମ୍ପତ୍ତିଗୁଡ଼ିକୁ ବିଭିନ୍ନ କାରଣ ଯୋଗୁ ନିଲାମ କରାଯାଇପାରୁନାହିଁ। ଏହା ଜାଣିବା ପରେ କଂପାନିର ନିର୍ଦେଶକମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ନିଲାମ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲକର୍‌ ଓ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ଆଜି  ଏହି ମାମଲାର ଶୁଣାଣି ହୋଇଥିଲା। ଗ୍ରାହକଙ୍କ ଟଙ୍କା ଠକିଥିବା ଅଭିଯୋଗରେ ୟୁନିଟେକ୍‌ର ପରିଚାଳନା ନିର୍ଦେଶକ ସଞ୍ଜୟ ଚନ୍ଦ୍ରା ଓ ତାଙ୍କ ଭାଇଙ୍କୁ ଗିରଫ କରି ବର୍ଷେ ହେଲାଣି ଜେଲ୍‌ରେ ରଖାଯାଇଛି। ତାଙ୍କୁ ଜାମିନ୍‌ ପ୍ରଦାନ କରିବାକୁ କୋର୍ଟ ମନା କରିଦେଇଛନ୍ତି। ୨୦୧୭ ଡିସେମ୍ବର ୩୧ ସୁଦ୍ଧା ୭୦୦ କୋଟି ଟଙ୍କା ଜମା କରିବାକୁ ଗତବର୍ଷ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ଟଙ୍କା ଜମା କରିବାରେ ୟୁନିଟେକ୍‌ ବିଫଳ ହୋଇଥିଲା। ଏହା ପରେ କଂପାନିର କୋଲକାତା, ବାରାଣାସି, ଶ୍ରୀପେରୁମ୍ବୁଦୁର ଓ ଆଗ୍ରାରେ ଥିବା ସମ୍ପତ୍ତିକୁ ନିଲାମ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ଆଗ୍ରା ସମ୍ପତ୍ତିରେ ସମସ୍ୟା ରହିଛି ବୋଲି ମାମଲାର ଆମିକସ୍‌ କ୍ୟୁରି ପଓ୍ଵନ୍‌ଶ୍ରୀ ଅଗ୍ରଓ୍ଵାଲ୍‌ କୋର୍ଟଙ୍କୁ ଅବଗତ କରିଥିଲେ। ଏହା ଜାଣିବା ପରେ ନିର୍ଦେଶକମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ନିଲାମ କରିବାକୁ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର