ନୂଆଦିଲ୍ଲୀ: ୨୦୧୯ ମସିହାରୁ ବନ୍ଦ ହୋଇ ପଡ଼ିଥିବା ଜେଟ୍‌ ଏୟାରୱେଜ୍‌ର ପୁନଃରୁଦ୍ଧାର ଆଶା ମଉଳି ଯାଇଛି। ସୁପ୍ରିମକୋର୍ଟ ଗୁରୁବାର ଜେଟ୍‌ ଏୟାରୱେଜ୍‌କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ କମ୍ପାନି ଆଇନ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଦେଇଥିବା ରାୟକୁ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ୨୦୨୩ ଜାନୁଆରିରେ ‌ଏ ସଂପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଏହା ଖୋଲାଖୋଲି ଅସମ୍ମାନ ବୋଲି କହିଛନ୍ତି। ଜେଟ୍‌ ଏୟ‌ାରୱେଜ୍‌ର ସମାଧାନ ଆବେଦନରେ ଏହାର ଆବେଦନକାରୀ ଜଲାନ କାଲରକ୍‌ କ‌ନସୋର୍ଟିୟମ (ଜେକେସି)କୁ ୩୫୦ କୋଟି ଟଙ୍କା ଦାଖଲ କରିବର୍ତ୍ତେ ୧୫୦ କୋଟି ଟଙ୍କାର ପରଫରମାନ୍ସ ବ୍ୟାଙ୍କ ଗ୍ୟାରେଣ୍ଟି (ପିବିଜି) ସମଯୋଜିତ କରିବା ପାଇଁ  ଅନୁମତି ଦେଇଥିବାରୁ ସର୍ବୋଚ୍ଚ ଅଦାଲତ ପ୍ରତି ଏନ୍‌ସିଏଲ୍‌ଏଟିର ଏହା ଅସମ୍ମାନ ପ୍ରଦର୍ଶନ ବୋଲି କୁହାଯାଇଛି।

Advertisment

ନରେଶ ଗୋୟଲଙ୍କ ଦ୍ବାରା ପରିଚାଳିତ ଜେଟ୍‌ ଏୟାର‌ୱେଜ୍‌ ଏକଦା ଭାରତର ଏକ ପ୍ରମୁଖ ବିମାନସେବା ପ୍ରଦାନକାରୀ କମ୍ପାନି ଭାବେ ପରିଗଣିତ ହେଉଥିଲା। କିନ୍ତୁ ସଂକଟ ଦେଖାଦେବା ପରେ ୨୦୧୯ ମସିହାରୁ ଏହାର ଉଡ଼ାଣ ବନ୍ଦ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏନ୍‌ସିଏଲ୍‌ଏଟି ଏହି କମ୍ପାନିର ମାଲିକାନା ଅଧିକାରକୁ ବ୍ରିଟେନର କାଲରକ୍‌ କ୍ୟାପିଟାଲ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସଭିତ୍ତିକ ଉଦ୍ୟୋଗୀ ମୁରଲୀ ଲାଲ ଜଲାନଙ୍କୁ ସ୍ଥାନାନ୍ତର ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ କମ୍ପାନିକୁ ବନ୍ଦ କରିଦେବା  ଉଭୟ ଋଣ ପ୍ରଦାନକାରୀ ସଂସ୍ଥା ଏବଂ କର୍ମଚାରୀମାନଙ୍କ ପାଇଁ ଭଲହେବ। କାରଣ ସମାଧାନ ଆବେଦନକୁ ଅନୁମତି ଦିଆଯିବାର ୫ ବର୍ଷ ପରେ ମଧ୍ୟ ଜଲାନ-କାଲରକ୍‌ କମ୍ପାନି ତାହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। 

ପୁନଶ୍ଚ, ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାର୍ଦ୍ଦିୱାଲା ଏବଂ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନସିଏଲ୍‌ଟି(ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ୍‌)ର ମୁମ୍ବାଇ ଶାଖାକୁ ଲିକ୍ବିଡେଟର ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଟ୍‌ ଏୟାରୱେଜ୍‌ (ଇଣ୍ଡିଆ) ଲିମିଟେଡକୁ ଜେକେସି ଦ୍ବାରା ଅଧିଗ୍ରହଣ ପାଇଁ ଏନ୍‌ସିଏଲ୍‌ଏଟି ଦେଇଥିବା ରାୟକୁ ବିରୋଧ କରି ହୋଇଥିବା ଏକାଧିକ ଆବେଦନର ବିଚାରକରି ଏହି ରାୟ ଦେଇଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ଅନ୍ୟ ଋଣପ୍ରଦାନକାରୀମାନେ ଯୁକ୍ତି ରଖିଥିଲେ ଯେ ଜେଟ୍‌ ଏୟାରୱେଜକୁ ଅଧିଗ୍ରହଣ କରିବା ପାଇଁ ରହିଥିବା ସର୍ତ୍ତକୁ ପୂରଣ କରିବାରେ ଜେକେସି ବିଫଳ ହୋଇଛି। ବିଚାରପତି ପାର୍ଦ୍ଦିୱାଲା କହିଛନ୍ତି ଯେ ଜେଟ୍‌ ଏୟାର‌‌ୱେଜ୍‌କୁ ନେଇ ହୋଇଥିବା ମାମଲା ଆମକୁ ଚକିତ କରିବା ସହ ଆଇବିସି ପାଇଁ ଅନେକ ନୂଆ ଶିକ୍ଷା ଦେଇଛି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଜେକେସି ପୂର୍ବ ପ୍ରତିଶ୍ରୁତି ମୁତାବକ ୩୫୦ କୋଟି ଦେବାରେ ବିଫଳ ହୋଇଛି। ତେଣୁ ଜେଟ୍‌ ଏୟାରୱେଜକୁ ବନ୍ଦ କରିବା ପାଇଁ ଏହା ପର୍ଯ୍ୟାପ୍ତ ପୃଷ୍ଠଭୂମି ସୃଷ୍ଟି କରିଛି। ଏଥିସହିତ ଋଣପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ୧୫୦ କୋଟି ଟଙ୍କାର ପିବିଜି ଉଠାଇବା ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।