ନୂଆଦିଲ୍ଲୀ: ରିଅଲ ଇଷ୍ଟେଟ୍ କମ୍ପାନି ୟୁନିଟେକ୍‌ର ପରିଚାଳନା ଭାର ସରକାରଙ୍କ ହାତକୁ ଯିବ। ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଆଜି ଏହି ବିଷୟ ଜଣାଇବା ପରେ ସର୍ବୋଚ୍ଚ ଅଦାଲତ ସରକାରଙ୍କ ଉକ୍ତ ପ୍ରସ୍ତାବରେ ରାଜି ହୋଇଛନ୍ତି।

Advertisment

୨୦୧୭ ମସିହାରେ ସରକାର ଏହି କମ୍ପାନିର ପରିଚାଳନା ଭାର ନିଜ ହାତକୁ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। ପରିଚାଳନା ଭାର ହାତକୁ ନେଇ କମ୍ପାନିର ଅଟକି ରହିଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରି ୧୨ ହଜାର ଗ୍ରାହକଙ୍କୁ ଆଶ୍ବସ୍ତି ‌ପ୍ରଦାନ ଲାଗି ଯୋଜନା ରହିଥିଲା। ସୁପ୍ରିମ୍ କୋର୍ଟଙ୍କ ସେହି ପ୍ରସ୍ତାବକୁ ସରକାର ଆଜି ଗ୍ରହଣ କରିଛନ୍ତି। ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ସରକାର ନିଯୁକ୍ତ କରିବାକୁ ଥିବା ନୂଆ ବୋର୍ଡକୁ ଏକ ସମାଧାନ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ୨ ମାସ ସମୟ ଦେଇଛନ୍ତି। ଏହି ଦୁଇ ମାସ ଭିତରେ କମ୍ପାନି ପକ୍ଷରୁ ନୂଆ ବୋର୍ଡ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନିଆଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ବୋର୍ଡ ଦ୍ବାରା ପ୍ରସ୍ତୁତ ହେବାକୁ ଥିବା ସମାଧାନ ପ୍ରସ୍ତାବକୁ ସର୍ବୋଚ୍ଚ ଅଦାଲତର ଜଣେ ଅବସରପ୍ରାପ୍ତ ବିଚାରପତି ଅନୁଧ୍ୟାନ କରିବେ। ବୋର୍ଡ ପକ୍ଷରୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯିବ। ୨୦୧୭ରେ ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ପୁନଃବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗତ ଶନିବାର ଅଦାଲତରେ ସରକାର କହିଥିଲେ। ସେହି ପ୍ରସ୍ତାବରେ କମ୍ପାନିର ପରିଚାଳନା ଭାର ସରକାର ନିଜ ହାତକୁ ନେଇ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାଦ୍ବାରା ପ୍ରାୟ ୧୨ ହଜାର ଗ୍ରାହକଙ୍କୁ ଆଶ୍ବସ୍ତି ମିଳିବ। ସରକାରଙ୍କ ପକ୍ଷରୁ ନିଯୁକ୍ତ ନୂଆ ବୋର୍ଡରେ ୧୦ ଜଣ ନିର୍ଦ୍ଦେଶକ ରହିବେ। ତେବେ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ସରକାର କୌଣସି ପାଣ୍ଠି ଯୋଗାଇ ଦେବେ ନାହିଁ ବୋଲି କହିଥିଲେ। କୋର୍ଟଠାରୁ ସରକାର ୧୨ ମାସର ମହଲତ ମଧ୍ୟ ମାଗିଥିଲେ।