ଗାଡ଼ି କଂପାନିଙ୍କୁ ସୁପ୍ରିମ୍‌କୋର୍ଟଙ୍କ ମହଲତ: ଲକ୍‌ଡାଉନ୍‌ ପରେ ୧୦ ଦିନ ବିକିପାରିବେ ବିଏସ୍-୪ ଗାଡ଼ି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଗାଡ଼ି କଂପାନିଗୁଡ଼ିକୁ ଆଜି ବଡ଼ ଧରଣର ଆଶ୍ବସ୍ତି ମିଳିଛି। ବିଏସ୍-୪ ଗାଡ଼ିଗୁଡ଼ିକର ଷ୍ଟକ୍‌କୁ ନେଇ ଚିନ୍ତିତ ଥିବା କଂପାନିଗୁଡ଼ିକୁ କୋର୍ଟ ଅଧିକ ୧୦ ଦିନର ମହଲତ ପ୍ରଦାନ କରିଛନ୍ତି। ଦେଶରେ ଲକ୍ ଡାଉନ୍ ଶେଷ ହେବା ପରେ ୧୦ ଦିନ ପର୍ଯ୍ୟନ୍ତ କଂପାନିଗୁଡ଼ିକ ସେମାନଙ୍କ ବିକ୍ରି ହୋଇନଥିବା ବିଏସ୍-୪ ଗାଡ଼ି ମଧ୍ୟରୁ ୧୦ ପ୍ରତିଶତ ଗାଡ଼ିକୁ ବିକ୍ରି କରିପାରିବେ। ଯେଉଁ ସବୁ ଗାଡ଼ି ବିକ୍ରି ହେବ ତାହା ୧୦ ଦିନ ଭିତରେ ପଞ୍ଜୀକୃତ ହେବା ଦରକାର ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ତେବେ ବିକ୍ରି ହୋଇନଥିବା ଗାଡ଼ିର ୧୦% କିଭଳି ହିସାବ କରାଯିବ ତାହା ଜଣାପଡ଼ିନାହିଁ। କଂପାନି ପାଖରେ ଥିବା ୧୦% ନା ଡିଲରଙ୍କ ପାଖରେ ଥିବା ଗାଡ଼ିର ୧୦% ବିକ୍ରି ହେବ ତାହା ସ୍ପଷ୍ଟ ହୋଇନାହିଁ। ସୁପ୍ରିମକୋର୍ଟର ବିଚାରପତି ଦୀପକ ଗୁପ୍ତା ଓ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ କରିଥିଲେ। ଫେଡେରେସନ ଅଫ ଅଟୋମୋବାଇଲ ଡିଲର ଆସୋସିଏସନ (ଫାଡା) ପକ୍ଷରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରିବା ବେଳେ ଜଷ୍ଟିସ ମିଶ୍ର କହିଥିଲେ ଯେ, କରୋନା ଭୂତାଣୁ ବାହାନାରେ ବିଏସ୍-୪ ଗାଡ଼ି ବିକ୍ରିର ସମୟ ସୀମାକୁ ବାରମ୍ବାର ବଢ଼ାଇ ହେବ ନାହିଁ। ଆମକୁ ପରିବେଶ ପ୍ରତି ସଚେତନ ହେବାକୁ ପଡ଼ିବ। ଲକ୍ ଡାଉନ୍ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ବିକ୍ରି ହୋଇସାରିଛି ଓ ଗ୍ରାହକ ପେମେଣ୍ଟ୍ କରିସାରିଛନ୍ତି ସେହି ଗାଡ଼ିଗୁଡ଼ିକ ଲକ୍ ଡାଉନ୍ ପରେ ପଞ୍ଜୀକୃତ ହୋଇପାରିବ। ଏକ ହିସାବରୁ ଜଣାପଡ଼ିଛି ଯେ ଗାଡ଼ି କଂପାନିଗୁଡ଼ିକ ପାଖରେ ଏବେବି ୭୦୦୦ କୋଟି ଟଙ୍କା ମୂଲ୍ୟର ବିଏସ୍-୪ ଗାଡ଼ି ଷ୍ଟକ୍ ରହିଛି। ସେଥି ମଧ୍ୟରେ ୭ ଲକ୍ଷ ଦୁଇ ଚକିଆ ଗାଡ଼ି ଥିବା ବେଳେ ୧୨୦୦୦ କାର୍ ଏବଂ ୭୦୦୦ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିବା ଗାଡ଼ି ରହିଛି।

ସମ୍ବନ୍ଧିତ ଖବର