ଋଣଧାରୀଙ୍କ ପକ୍ଷ ନ ଶୁଣି ବ୍ୟାଙ୍କଖାତାକୁ ଠକେଇ ଘୋଷଣା କର ନାହିଁ : ବ୍ୟାଙ୍କମାନଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଋଣଧାରୀଙ୍କ ପକ୍ଷ ନ ଶୁଣିବା ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟକୁ ‘ଠକେଇ’ ଘୋଷଣା କରାଯିବ ନାହିଁ । ଶୁଣାଣିର ସୁଯୋଗ ନ ଦେଇ ଋଣଧାରୀଙ୍କ ଆକାଉଣ୍ଟକୁ ଠକେଇ ବୋଲି ଘୋଷଣା କଲେ ତାହା ସେମାନଙ୍କ ସିବିଲ ସ୍କୋରକୁ ଗୁରୁତରଭାବେ ପ୍ରଭାବିତ କରିଥାଏ । ଏହା ଦ୍ବାରା ଋଣଧାରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହା ଋଣଧାରୀଙ୍କୁ ‘ବ୍ଲାକ୍ ଲିଷ୍ଟ’ରେ ରଖିବା ସଦୃଶ। ତେଣୁ ଠକେଇ ସମ୍ପର୍କିତ ମୁଖ୍ୟ ନିର୍ଦ୍ଦେଶନାମା ଅନୁଯାୟୀ ଋଣଧାରୀଙ୍କୁ ଶୁଣାଣିର ସୁଯୋଗ ଦିଆଯିବା ଉଚିତ ।

ଅଦାଲତ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟର ଜାଲିଆତି ଆକାଉଣ୍ଟର ବର୍ଗୀକରଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାରରେ ଥିବା ଅଡି ଅଲଟିମେଟମ ପାର୍ଟେମର ସିଦ୍ଧାନ୍ତ ପାଳନ କରାଯିବା ଉଚିତ୍ ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୦ ଡିସେମ୍ବରରେ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ରାୟକୁ ବଜାୟ ରଖିଛନ୍ତି । ଖଣ୍ଡପୀଠ ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ମଧ୍ୟ ଖାରଜ କରିଦେଇଛନ୍ତି, ଯାହା ଏହାର ବିପରୀତ ଥିଲା। ତେଲେଙ୍ଗାନା ହାଇକୋର୍ଟ କହିଥିଲେ, କୌଣସି ବ୍ୟକ୍ତିକୁ ‘ଠକ ଋଣଦାତା’ ବା ‘ଜାଲ ଆକାଉଣ୍ଟଧାରୀ’ ଘୋଷଣା କରିବା ପୂର୍ବରୁ ଅଡି ଅଲଟ୍ରମ୍ ପାର୍ଟେମ୍ ସିଦ୍ଧାନ୍ତର ପାଳନ ଅର୍ଥାତ୍ ପ୍ରତିପକ୍ଷକୁ ଶୁଣାଣି ପାଇଁ ସୁଯୋଗ ଦିଆଯିବା ଉଚିତ ।

(ସୂଚନାଯୋଗ୍ୟ ଯେ ଆଇନ କ୍ଷେତ୍ରରେ ବହୁଳ ବ୍ୟବହାର ହେଉଥିବା ‘ଅଡି ଅଲଟ୍ରମ ପାର୍ଟେମ’ ହେଉଛି ଏକ ଲାଟିନ ଶବ୍ଦ ଓ ଏହାର ଅର୍ଥ ହେଉଛି ଅପରପକ୍ଷକୁ ଶୁଣାଣିର ସୁଯୋଗ ଦେବା)

ସମ୍ବନ୍ଧିତ ଖବର