ବିମୁଦ୍ରୀକରଣ ଦସ୍ତାବିଜ ମାଗିଲେ ସୁପ୍ରିମ୍‌କୋର୍ଟ; ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ଅଚଳ ଘୋଷଣା କରିବା ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ସେ ସମ୍ପର୍କିତ ଦସ୍ତାବିଜକୁ ଦାଖଲ କରିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ବିମୁଦ୍ରୀକରଣ ସମ୍ପର୍କିତ ମାମଲାରେ ଜଡ଼ିତ ପକ୍ଷମାନଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଡିସେମ୍ବର ୧୦ ସୁଦ୍ଧା ଲିଖିତ ଜବାବ ଦାଖଲ କରିବା ଲାଗି କୋର୍ଟ ସବୁ ପକ୍ଷଙ୍କୁ କହିଛନ୍ତି। ବିମୁଦ୍ରୀକରଣ ଦସ୍ତାବିଜକୁ ମୁଦ ଲଫାପାରେ ଦାଖଲ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣି କୋର୍ଟଙ୍କୁ କହିଛନ୍ତି।

୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ବିମୁଦ୍ରୀକରଣକୁ ବିରୋଧ କରି ଦାଖଲ ହୋଇଥିବା ୫୮ଟି ଆବେଦନର ଶୁଣାଣି ଚାଲିଥିଲା। ଜଷ୍ଟିସ୍‌ ଏସ୍‌ ଏନ ନାଜିରଙ୍କ ନେତୃତ୍ବରେ ଜଷ୍ଟିସ୍ ବି ଆର୍‌ ଗଭାଇ, ଏ ଏସ୍ ବୋପନ୍ନା, ଭି ରାମସୁବ୍ରମଣ୍ୟନ ଏବଂ ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ ଏହି ଶୁଣାଣି ଚାଲିଥିଲା।

ଗତ ମଙ୍ଗଳବାର ସୁପ୍ରିମକୋର୍ଟ କହିଥିଲେ ଯେ ଏକ ଅର୍ଥନୈତିକ ନୀତିର ବିଚାର ବିଭାଗୀୟ ସମୀକ୍ଷା ଲାଗି ସୀମିତ ସୁଯୋଗର ଅର୍ଥ ନୁହେଁ କୋର୍ଟ ହାତବାନ୍ଧି ବସିରହିବେ। ଯେଉଁ ଢଙ୍ଗରେ ସରକାର ନିଷ୍ପତ୍ତି ନେଇଛନ୍ତି, ତାହାକୁ ସର୍ବଦା ସମୀକ୍ଷା କରାଯାଇପାରିବ। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପି ଚିଦମ୍ବରମ କହିଥିଲେ ଯେ ଏହା ଏକ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା। ବିମୁଦ୍ରୀକରଣ ପାଇଁ ସୁପାରିସ କରିବାର କ୍ଷମତା କେବଳ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ପାଖରେ ରହିଛି। ସରକାର ନିଜ ଆଡ଼ୁ ସେଥିପାଇଁ ପ୍ରସ୍ତାବ ଦେଇପାରିବେ ନାହିଁ।

ବିମୁଦ୍ରୀକରଣ ସମ୍ପର୍କରେ ସରକାର ଖଣ୍ଡପୀଠକୁ କହିଥିଲେ ଯେ ଜାଲ ନୋଟ, ଆତଙ୍କବାଦ ପାଣ୍ଠି, ଟିକସ ଠକେଇ ଓ କଳାଧନର ମୁକାବିଲା ଲାଗି ପ୍ରସ୍ତୁତ କରାଯାଇଥିବା ବୃହତ୍ତର ରଣନୀତିର ଏକ ଅଂଶ ଥିଲା ବିମୁଦ୍ରୀକରଣ। ବହୁତ ଭାବିଚିନ୍ତି ସେହି ନିଷ୍ପତ୍ତି ନିଆଯାଇଥିଲା। ଏନେଇ ରିଜର୍ଭ ବ୍ୟାଙ୍କ ସହ ବ୍ୟାପକ ଆଲୋଚନା ହୋଇଥିଲା। ବିମୁଦ୍ରୀକରଣ ପରେ ଦେଖାଦେବାକୁ ଥିବା ସ୍ଥିତିର ମୁକାବିଲା ଲାଗି ପୂର୍ବ ପ୍ରସ୍ତୁତି ହୋଇଥିଲା। ରିଜର୍ଭ ବ୍ୟାଙ୍କ କୋର୍ଟଙ୍କୁ ଜଣାଇଥିଲେ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ କିଛିଟା କଷ୍ଟ ଭୋଗିବାକୁ ପଡ଼ିଥିଲା, ମାତ୍ର ଏହି ସମସ୍ୟାର ସମାଧାନ ଲାଗି ବ୍ୟବସ୍ଥା ପ୍ରସ୍ତୁତ ରହିଥିଲା।

ସମ୍ବନ୍ଧିତ ଖବର