ମୁମ୍ବାଇ: ବ୍ୟାଙ୍କ ହେଉ ଅଥାବ ବୀମା କଂପାନି। ସରକାରୀ ହେଉ କିମ୍ବା ବେସରକାରୀ ସଂସ୍ଥା। ଅନେକ ସଂସ୍ଥାର ଅଧ୍ୟକ୍ଷ, ଏମ୍ଡି ଓ ସିଇଓ ଭଳି ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଓଡ଼ିଆ ବ୍ୟକ୍ତିଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ଅନେକ ଓଡ଼ିଆ ଏବେ ଉଦ୍ୟୋଗ ଜଗତର ନେତୃତ୍ବ ନେଇ କଂପାନିକୁ ନୂତନ ଶିଖରରେ ପହଞ୍ଚାଇବା କାର୍ଯ୍ୟ କରୁଛନ୍ତି। ଏହି ତାଲିକାରେ ଆଉ ଏକ ନୂଆ ନାମ ଯୋଡ଼ି ହୋଇଛି। ସେ ହେଉଛନ୍ତି ସୁଶାନ୍ତ ଦାଶ। ତାଙ୍କୁ ଟାଟା ଷ୍ଟାର୍ବକ୍ସର ସିଇଓ ଭାବେ ନିଯୁକ୍ତ କରାଯାଇଛି। ୧୯୯୧-୧୯୯୪ରେ କଟକର ରେଭେନ୍ସା କଲେଜରେ ଅର୍ଥନୀତି ଓ ପରିସଂଖ୍ୟାନରେ ସ୍ନାତକ ପାଠପଢ଼ିଥିବା ସୁଶାନ୍ତ ଚଳିତ ବର୍ଷ ମେ’ ୧ରୁ ନୂତନ ପଦରେ କାର୍ଯ୍ୟ କରିବେ।
ଏବେ ସେ ଟାଟା ଗ୍ଲୋବାଲ୍ ବେଭରେଜେସ୍ର ଭାରତ ଓ ମଧ୍ୟପ୍ରାଚ୍ୟ ପାଇଁ ସଭାପତି ଭାବେ ବାଙ୍ଗାଲୋରରେ ରହି କାର୍ଯ୍ୟ କରୁଛନ୍ତି। କଞ୍ଜ୍ୟୁମର ବିଜନେସ୍ରେ ତାଙ୍କର ଦୀର୍ଘ ୨୦ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ଭାରତରେ ଷ୍ଟାର୍ବକ୍ସ ବ୍ରାଣ୍ଡ୍କୁ ପରିଚିତ କରିବାରେ ଯେଉଁ ଟିମ୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ତାହାର ଜଣେ ପ୍ରମୁଖ ସଦସ୍ୟ ହେଉଛନ୍ତି ସୁଶାନ୍ତ। ୨୦୧୪ ଡିସେମ୍ବରରେ ସେ କଂପାନିର ସଭାପତି ଦାୟିତ୍ବ ସମ୍ଭାଳିଥିଲେ। ଏହା ପୂର୍ବରୁ ସେ ଗ୍ଲୋବାଲ୍ ବ୍ରାଣ୍ଡ୍ ଡାଇରେକ୍ଟର ପଦରେ କାର୍ଯ୍ୟ କରୁଥିଲେ। ୧୯୯୬ ଜୁନ୍ରେ ଓଆର୍ଜି ମାର୍ଗର ଆସୋସିଏଟ୍ ରିସର୍ଚ୍ଚ ଡାଇରେକ୍ଟର ଥିବା ସୁଶାନ୍ତ ଟାଟା ଟି ଲିମିଟେଡ୍ରେ ୨୦୦୧ ଜୁନ୍ରେ ଯୋଗ ଦେଇଥିଲେ। ସେହି ସମୟରେ ସେ ଟାଟା ଟି ପ୍ରିମିୟମ୍ର ବରିଷ୍ଠ ବ୍ରାଣ୍ଡ୍ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ମୁଦ୍ରା ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେସନ୍ ଅହମ୍ମଦାବାଦ (ମାଇକା)ରେ ଶିକ୍ଷା ଗ୍ରହଣ କରିଥିବା ସୁଶାନ୍ତ ହେବେ ଟାଟା ଷ୍ଟାର୍ବକ୍ସର ଭାରତ ବ୍ୟବସାୟର ଚତୁର୍ଥ ସିଇଓ। ବର୍ତ୍ତମାନ କଂପାନିର ସିଇଓ ପଦରେ କାର୍ଯ୍ୟ କରୁଥିବା ନବୀନ ଗୁରନାନୀ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେବାରୁ ସୁଶାନ୍ତଙ୍କୁ ନୂତନ ଦାୟିତ୍ବ ଦିଆଯିବ ବୋଲି ଘୋଷଣା କରାଯାଇଛି। ଷ୍ଟାର୍ବକ୍ସ ୨୦୧୨ ଅକ୍ଟୋବରରେ ଭାରତରେ ଏହାର କାରବାର ଆରମ୍ଭ କରିଥିଲା। ବର୍ତ୍ତମାନ ଦେଶର ୧୭ଟି ସହରରେ ଏହାର ୨୧୫ରୁ ଅଧିକ ଷ୍ଟୋର୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Tata-box-ceo-odia-11_Thumb.jpg)