ପୁରୀରେ ସ୍ବସ୍ତି ଗ୍ରୁପ୍‌ର ପଞ୍ଚତାରକା ହୋଟେଲ୍, ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ହୋଟେଲ୍ ସଂସ୍ଥା ‘ସ୍ବସ୍ତି ଗ୍ରୁପ୍’ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ୍ ନିର୍ମାଣ କରାଯିବ। ସିପସରୁବାଲିରେ ‘ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ’ ନାମରେ ହେବାକୁ ଥିବା ଏହି ହୋଟେଲ୍‌ରେ ୧୬୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବେ।

ସ୍ବସ୍ତି ଗ୍ରୁପ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରିସୋର୍ଟ ପରିସରରେ ମୁକ୍ତାକାଶ ଲ୍ୟାଣ୍ଡ୍‌ସ୍କେପିଂ ଠାରୁ ଆରମ୍ଭ କରି ଶୀତତାପ ନିୟନ୍ତ୍ରିତ ବୃହତ ସମ୍ମିଳନୀ କକ୍ଷ ରଖାଯାଇଛି। ବିଭିନ୍ନ ରାଜ୍ୟ ଓ ଦେଶର ପ୍ରମୁଖ ଖାଦ୍ୟକୁ ନେଇ ଏକ ସ୍ବତନ୍ତ୍ର ଫୁଡ୍ କୋର୍ଟ ନିର୍ମାଣ କରାଯିବ। ଏକ ବଡ଼ ସୁଇମିଂ ପୁଲ୍ ବେଳାଭୂମି ନିକଟରେ ପର୍ଯ୍ୟଟକମାନଙ୍କୁ ଭିନ୍ନ ଅନୁଭବ ଦେବ। ଏହି ରିସୋର୍ଟର ଏକ ମୁଖ୍ୟ ଆକର୍ଷଣ ରହିବ ସ୍କାଏ ଲାଉଞ୍ଜ୍ ବାର୍। ରିସୋର୍ଟର ସବୁ ବାଙ୍କୁଏଟ୍ ହଲ୍ ସହ ଖୋଲା ଲନ୍ ଯୋଡ଼ି ହୋଇ ରହିବ। ଫୁଡ୍ କୋର୍ଟ ପରିସରରେ ପିଲାଙ୍କ ପାଇଁ ଉଭୟ ବୟସ୍କ ଓ ପିଲାଙ୍କ ପାଇଁ ସ୍ବତନ୍ତ୍ର ଗେମ୍ ଜୋନ୍ ରହିବ। ଫଳରେ ଅତିଥିମାନେ ବେଶ୍ କିଛି ସମୟ ସେଠାରେ ଅତିବାହିତ କରିପାରିବେ। ବଡ଼ ଧରଣର ବିବାହ ଓ ସମ୍ମିଳନୀ ପାଇଁ ବେସ୍‌ମେଣ୍ଟ୍‌ରେ ଯଥେଷ୍ଟ ପାର୍କିଂ ବ୍ୟବସ୍ଥା ରହିବ। ଏହି ରିସୋର୍ଟ ପାଇଁ ଆବଶ୍ୟକ ସରକାରୀ ଅନୁମତି ମିଳିସାରିଛି। ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟରେ ୩୭୫ ଜଣ ସିଧାସଳଖ ନିଯୁକ୍ତି ପାଇବାକୁ ଥିବା ବେଳେ ପ୍ରାୟ ୭୦୦ ଲୋକ ପରୋକ୍ଷ ଭାବେ ରୋଜଗାର ସୁଯୋଗ ପାଇବେ। ହୋଟେଲ୍ ଶିଳ୍ପରେ ଅଭିଜ୍ଞତା ଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯିବ ବୋଲି ଗ୍ରୁପ୍ ପକ୍ଷରୁ କୁହାଯାଇଛି।

ଜେ କେ ମହାନ୍ତିଙ୍କ ନେତୃତ୍ବରେ ସ୍ବସ୍ତି ଗ୍ରୁପ୍ ରାଜ୍ୟରେ ୧୯୮୧ ମସିହାରୁ ଆତିଥେୟତା ଶିଳ୍ପରେ ସକ୍ରିୟ ରହିଛି। ଭୁବନେଶ୍ବରରେ ସ୍ବସ୍ତି ଗ୍ରାଣ୍ଡ୍, ସ୍ବସ୍ତି ପ୍ରିମିୟମ୍, ଗୋପାଳପୁରରେ ସ୍ବସ୍ତି ପାମ୍ ରିସୋର୍ଟ ଓ ଚିଲିକା କୂଳରେ ସ୍ବସ୍ତି ଚିଲିକା ରିସୋର୍ଟ ରାଜ୍ୟର ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପରେ ବେଶ୍ ଲୋକପ୍ରିୟ ନାମ ପାଲଟିଯାଇଛି। ସ୍ବସ୍ତି ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି ଯେ ପଡ଼ୋଶୀ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ତାରକା ହୋଟେଲ୍ ରୁମ୍ ସଂଖ୍ୟା କମ୍ ରହିଛି। ରାଜ୍ୟକୁ ପର୍ଯ୍ୟଟକମାନଙ୍କ ଆଶାନୁରୂପ ଆଗମନ ନ ହେବାର ଏହା ଏକ ପ୍ରମୁଖ କାରଣ। ସ୍ବସ୍ତି ଗ୍ରୁପ୍ ପକ୍ଷରୁ ଏପରି ବିଳାସପୂର୍ଣ୍ଣ ହୋଟେଲ୍ ନିର୍ମାଣ ହେବା ଦ୍ବାରା ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରିବେ। ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବିଶ୍ବ ବଜାରରେ ପର୍ଯ୍ୟଟନ କ୍ଷେତ୍ରକୁ ସବୁଠାରୁ ବଡ଼ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ଭାବେ ପରିଗଣିତ ହେଉଛି। ଏ ଦିଗରେ ସ୍ବସ୍ତି ଗ୍ରୁପ୍ ତାହାର ଦାୟିତ୍ବବୋଧ ତୁଲାଉଛି।

ସମ୍ବନ୍ଧିତ ଖବର