ଜେଜେମା-ନାତୁଣୀ ଆରମ୍ଭ କଲେ ମିଠା ବ୍ୟବସାୟ, ୮ ମାସରେ ୪ ଲକ୍ଷ ଟଙ୍କାରେ ପହଞ୍ଚିଲା ବେପାର

କୋଲକାତା: ଆପଣ ମିଠା ଖାଇବାକୁ ପସନ୍ଦ କରୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଏବେ ସୁଆଦିଆ ମିଠାର ପସରା ଆଣିଦେଛନ୍ତି ଜଣେ ଜେଜେମା ଓ ତାଙ୍କ ନାତୁଣୀ | ଆଜି ଆମେ ଆପଣଙ୍କୁ ଏମିତି ଦୁଇ ଜେଜେମା-ନାତୁଣୀଙ୍କ କାହାଣୀ କହିବୁ ଯିଏ ନିଜ ଉଦ୍ୟମରେ ମିଠା ପ୍ରସ୍ତୁତ କରୁଛନ୍ତି ଆଉ ଏହାକୁ ବିକ୍ରି କରି ସଫଳ ମଧ୍ୟ ହୋଇଛନ୍ତି | ପଶ୍ଚିମବଙ୍ଗର କୋଲକାତାରେ ରହୁଥିବା ୬୫ ବର୍ଷୀୟ ମଞ୍ଜୁ ଦେବୀ ପୋଦ୍ଦାର ନିଜ ୨୧ ବର୍ଷୀୟ ନାତୁଣୀ ଯୋଶୀ ଚୌଧୁରୀଙ୍କ ସହ ମିଶି ଗତ ଅଗଷ୍ଟ ମାସରେ ମିଠା ବ୍ୟବସାୟ ଆରମ୍ଭ କରିଥିଲେ | ‘ନାନୀଜ ସ୍ପେଶାଲ’ ନାମରେ ପ୍ରସ୍ତୁତ ବ୍ରାଣ୍ଡରେ ଦୁହେଁ ମିଠା ବ୍ୟତୀତ ଭଜା ଚୁଡା, ଗାଣ୍ଠିଆ, ସେଓ ଆଦି ପ୍ରସ୍ତୁତ କରୁଛନ୍ତି |

ତେବେ ଯୋଶୀଙ୍କ କହିବା କଥା ଯେ ଲକଡାଉନ ସମୟରେ ନିଜ ଜେଜେମାଙ୍କ ସହ ଲମ୍ବା ସମୟ କାଟିବାର ଅବସର ମିଳିଥିଲା | ଆଉ ତାଙ୍କ ଜେଜେମା ମିଠା ପ୍ରସ୍ତୁତିର ବିଭିନ୍ନ ତରିକା ତାଙ୍କୁ ଶିଖାଇଥିଲେ | ପୂର୍ବରୁ ଯେତେବେଳେ ଜେଜେମାଙ୍କ ଘରକୁ ସେ ବୁଲିବାକୁ ଆସୁଥିଲେ ସେତେବେଳେ ଜେଜେମା ବିଭିନ୍ନ ମିଠା ପ୍ରସ୍ତୁତ କରି ଖୁଆଉଥିଲେ | ଆଉ ଲକଡାଉନ ସମୟରେ ଜେଜେମାଙ୍କ ସହ ଲମ୍ବା ସମୟ କାଟିବା ପରେ ଅନୁଭବ ହେଲା ଯେ ଜେଜେମାର ସୁଆଦିଆ ମିଠାକୁ ନେଇ ବ୍ୟବସାୟ ମଧ୍ୟ କରିହେବ |

photo-better India

ତେଣୁ ନାନୀଜ ସ୍ପେଶାଲ ନାମରେ ବ୍ୟବସାୟ ଆରମ୍ଭ କରାଗଲା | ଏବେ କୋଲକାତାରେ ଏହି ମିଠା ଏତେ ଲୋକପ୍ରିୟ ହୋଇପାରିଛି ଯେ ଲୋକ ଅନଲାଇନରେ ଅର୍ଡର କରୁଛନ୍ତି | ଆଉ ଠିକଣାରେ ମିଠା ପହଁଚିଯାଉଛି | ଯୋଶୀଙ୍କ କହିବା ମୁତାବକ ଘରେ ମିଠା ପ୍ରସ୍ତୁତ କରି ଏହାକୁ ବିକ୍ରି କରିବା ଦ୍ୱାରା ୮ ମାସରେ ସେମାନେ ୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି |

ସମ୍ବନ୍ଧିତ ଖବର