ନୂଆଦିଲ୍ଲୀ: ଫୁଡ଼ ଡେଲିଭରି ଆପ୍ସ ଲୋକଙ୍କ ପାଇଁ ଅନେକ ସୁବିଧା ଆଣି ଦେଇଛି। ଲୋକେ ଖୁବ କମ ସମୟ ମଧ୍ୟରେ ଗରମ ଓ ନିଜ ମନ ପସନ୍ଦର ଖାଦ୍ୟକୁ ଖାଇ ପାରୁଛନ୍ତି। ତେବେ ଗ୍ରାହକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଡେଲିଭରି ବଏଙ୍କ ଭୂମିକା ପ୍ରଶଂସନୀୟ।
କାରଣ ଏମାନେ ଖରା ହେଉ କି ବର୍ଷା କି ଥଣ୍ଡା ଯେକୌଣସି ମୁହୂର୍ତ୍ତରେ ଗ୍ରାହକ ଅର୍ଡର କରୁଥିବା ଖାଦ୍ୟକୁ ସଠିକ ସମୟରେ ପହଁଞ୍ଚାଇବାକୁ ଚେଷ୍ଟା କରିଥାଆନ୍ତି। ଏହି ସମୟରେ ଡେଲିଭରି ବଏ ଅନେକ ସମସ୍ୟାର ସାମ୍ନା ବି କରିଥାଆନ୍ତି। କିନ୍ତୁ ନିଜ କର୍ତ୍ତବ୍ୟ ସାମ୍ନାରେ ସବୁକିଛି ପଛ କରି ଦେଇଥାଆନ୍ତି।
ନିକଟରେ ଗ୍ରାହକ ଓ ଡେଲିଭରି ବଏଙ୍କୁ ନେଇ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଲିଙ୍କଡଇନ ବ୍ୟବହାରକାରୀ ଜଣେ ଫୁଡ଼ ଡେଲିଭରି ବଏଙ୍କୁ ଭଲ ଚାକିରି ଦେବାରେ ସାହାଯ୍ୟ କରିଛନ୍ତି ବୋଲି ଜଣାପଡ଼ିଛି।
ଟେକ କମ୍ପାନି ଫ୍ଲେସରେ ମାର୍କେଟିଂ ମ୍ୟାନେଜର ପ୍ରିୟାଂଶୀ ଚନ୍ଦେଲ ଜଣେ ଭୋକିଲା ଓ ନିରାଶ ସୁଇଗି ଡେଲିଭରି ବଏଙ୍କ କାହାଣୀ ସେୟାର କରିଛନ୍ତି। ଯିଏକି ଏକ ଆଇସ-କ୍ରିମ ଅର୍ଡର ନେଇ ତାଙ୍କ ଘରକୁ ଆସିଥିଲେ। ତେବେ ଡେଲିଭରିର ସମୟ ଯେତିକି ଥିଲା ତା’ଠାରୁ ବିଳମ୍ବରେ ଆସିବାରୁ ଚନ୍ଦେଲ ଡେଲିଭରି ବଏଙ୍କୁ ବିଳମ୍ବର କାରଣ ପଚାରିଥିଲେ।
ଡେଲିଭରି ବଏ ସାହିଲ ସିଂହ ଗ୍ରାହକଙ୍କୁ ନିଜର ସମସ୍ୟା ବିଷୟରେ ଜଣାଇ କହିଥିଲେ କି, ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତିନିକିମି ପର୍ଯ୍ୟନ୍ତ ପାଦରେ ଚାଲିବାକୁ ପଡ଼ିଥିଲା। କାରଣ ମୋ ପାଖରେ ଟଙ୍କା କି କୌଣସି ଗାଡ଼ି ନ୍ଥିଲା। ଗୋଟିଏ ଖାଦ୍ୟ ଡେଲିଭରି ପାଇଁ ୨୦ରୁ ୨୫ଟଙ୍କା ମିଳିଥାଏ। ମୁଁ ପୂର୍ବରୁ ବି କାମ କରୁଥିଲି। ସେଠାରୁ ମୋତେ ୨୫ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା। କିନ୍ତୁ କରୋନା ପାଇଁ ଚାକିରି ଛାଡ଼ି ବୁଢ଼ା ବାପା ଓ ମା’ଙ୍କ ପାଖକୁ ଚାଲି ଯାଇଥିଲି। ବହୁତ ଖୋଜାଖୋଜି ପରେ ଚାକିରି ନମିଳିବାରୁ ଡେଲିଭରି ବଏ ଭାବେ କାମ କରୁଛି। ୭ଦିନ ହେବ ମୁଁ କିଛି ଖାଇ ନାହିଁ। କେବଳ ପାଣି ଆଉ ଚା’ ପିଇ ରହିଛି। ମୁଁ କିଛି ମାଗୁ ନାହିଁ। ମୋ ପାଇଁ ଭଲ ଚାକିରିଟିଏ ଖୋଜି ଦିଅନ୍ତୁ।’
ଚନ୍ଦେଲ ବି ଅପଡେଟ ଦେଇ କହିଛନ୍ତି,‘ ଏହି ଡେଲିଭରି ବଏଙ୍କୁ ଚାକିରି ମିଳିଯାଇଛି। ସେ ଏବେ ଖୁସିରେ ଅଛନ୍ତି।’