ନୂଆଦିଲ୍ଲୀ: ଭାରତୀୟମାନଙ୍କ ସ୍ବିସ୍ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଚଳିତ ମାସରେ ମିଳିବ। ସ୍ବିସ୍ ବ୍ୟାଙ୍କରେ ଜମା ରାଶି ରଖିଥିବା ଗ୍ରାହକମାନଙ୍କ ପାଖରେ କେତେ ରିଅଲ ଇଷ୍ଟେଟ୍ ସମ୍ପତ୍ତି ରହିଛି ତାହାର ତଥ୍ୟ ମଧ୍ୟ ପ୍ରଥମ ଥର ଲାଗି ଜାରି ହେବ। ବ୍ୟାଙ୍କ ତଥ୍ୟ ଆଦାନପ୍ରଦାନ କରିବା ଲାଗି ଭାରତ ଓ ସ୍ବିଜରଲ୍ୟାଣ୍ଡ୍ ମଧ୍ୟରେ ଯେଉଁ ଚୁକ୍ତି ସ୍ବାକ୍ଷରିତ ହୋଇଛି ତାହା ଅଧୀନରେ ତୃତୀୟ ଥର ଲାଗି ଭାରତକୁ ସ୍ବିସ୍ ବ୍ୟାଙ୍କ ତଥ୍ୟ ମିଳିବ। କଳାଧନ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ଏଥର ଯେଉଁ ତଥ୍ୟ ସ୍ବିଜରଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ଜାରି କରିବେ ସେଥିରେ ଭାରତୀୟମାନଙ୍କର ସ୍ବିଜରଲ୍ୟାଣ୍ଡ୍ରେ ଥିବା ଫ୍ଲାଟ୍, ଘର ଓ ଅନ୍ୟାନ୍ୟ ରିଅଲ ଇଷ୍ଟେଟ୍ ସମ୍ପତ୍ତି ଓ ସେଥିରୁ ମିଳୁଥିବା ଆୟର ବିବରଣୀ ରହିବ। ତେବେ ଅଣ ଲାଭକାରୀ ସଂସ୍ଥା, ଫାଉଣ୍ଡେସନକୁ ଅବଦାନ ଓ ଡିଜିଟାଲ୍ ମୁଦ୍ରାରେ ନିବେଶ ସମ୍ପର୍କିତ ତଥ୍ୟ ଭାରତକୁ ମିଳିବ ନାହିଁ। ଟିକସ ତଥ୍ୟ ଆଦାୟପ୍ରଦାନ ଚୁକ୍ତିରେ ଏଗୁଡ଼ିକୁ ସାମିଲ କରାଯାଇନାହିଁ।
କଳାଧନ ଲୁଚାଇବା ଲାଗି ଏକ ସ୍ବର୍ଗ ଭାବେ ଯେଉଁ ଅପବାଦ ରହିଛି ତାହା ଦୂରେଇବା ଲାଗି ସ୍ବିଜରଲ୍ୟାଣ୍ଡ୍ ନିଜକୁ ନୂତନ ଢଙ୍ଗରେ ଉପସ୍ଥାପନ କରୁଛି। ସ୍ବିଜରଲ୍ୟାଣ୍ଡ୍କୁ ଆସୁଥିବା ସବୁ ରାଶି କଳାଧନ ନୁହେଁ। ଅନେକ କିଛି ନିବେଶ ଭାବେ ଆସୁଛି। ତାହା ପ୍ରମାଣ କରିବା ଲାଗି ସ୍ବିଜରଲ୍ୟାଣ୍ଡ୍ ପକ୍ଷରୁ ରିଅଲ ଇଷ୍ଟେଟ୍ ବିବରଣୀ ଜାରି କରାଯିବ। ଭାରତର ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଲାଗି ପୁଞ୍ଜିନିବେଶ ହବ୍ରେ ପରିଣତ ହେବା ଲାଗି ସ୍ବିଜରଲ୍ୟାଣ୍ଡ୍ ନିଜ ଆଡ଼ୁ ଉଦ୍ୟମ କରୁଛି। ଏଥିପାଇଁ ସ୍ବତନ୍ତ୍ର ସଂସ୍ଥା କାର୍ଯ୍ୟ କରୁଛି। ରିଅଲ ଇଷ୍ଟେଟ୍ ତଥ୍ୟ ଲୁଚାଇବା ବିଷୟ ନୁହେଁ। ସେହି ସୂଚନା ଅନ୍ୟ ଦେଶଗୁଡ଼ିକ ସହ ବିନିମୟ କଲେ ସ୍ବଚ୍ଛତା ବଢ଼ିବ। ସ୍ବିଜରଲ୍ୟାଣ୍ଡ୍ର ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ଅଧିକ ପୁଞ୍ଜିନିବେଶ ଆସିପାରିବ। ଯେଉଁମାନେ ଅନ୍ୟାୟ ଉପାୟରେ ଅର୍ଥ ଉପାର୍ଜନ କରି ରିଅଲ ଇଷ୍ଟେଟ୍ ସମ୍ପତ୍ତି କିଣିବାକୁ ଚାହୁଛନ୍ତି ସେମାନେ ଭୟରେ ନିଜ ଯୋଜନାକୁ ବଦଳାଇବାକୁ ବାଧ୍ୟ ହେବେ।
ଟିକସ ତଥ୍ୟର ସ୍ବୟଂକ୍ରିୟ ଆଦାନପ୍ରଦାନ ଲାଗି ଭାରତ ଓ ସ୍ବିଜରଲ୍ୟାଣ୍ଡ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତାହା ଅଧୀନରେ ପ୍ରଥମ ତଥ୍ୟ ୨୦୧୯ ସେପ୍ଟେମ୍ବର ଓ ଦ୍ବିତୀୟ ଥର ଲାଗି ୨୦୨୦ ସେପ୍ଟେମ୍ବରରେ ମିଳିଥିଲା। ସ୍ବିଜରଲ୍ୟାଣ୍ଡ୍ ଭାରତ ସମେତ ବିଶ୍ବର ୭୫ଟି ଦେଶକୁ ବ୍ୟାଙ୍କ ତଥ୍ୟ ଦେଉଛି। ପ୍ରତିବର୍ଷ ଏହା ଅଧିକରୁ ଅଧିକ ଦେଶ ସହ ତଥ୍ୟ ବିନିମୟ କରୁଛି। କେବଳ ବ୍ୟାଙ୍କ ତଥ୍ୟ ନଦେଇ ତା’ ସହିତ ରିଅଲ ଇଷ୍ଟେଟ୍ ସମ୍ପତ୍ତିରେ ନିବେଶ ଓ ଅନ୍ୟାନ୍ୟ ତଥ୍ୟ ଜାରି କରିବାକୁ ସ୍ବିଜରଲ୍ୟାଣ୍ଡ୍କୁ କୁହାଯାଇଥିଲା। ରିଅଲ ଇଷ୍ଟେଟ୍ ତଥ୍ୟ ଜାରି କରିବା ପ୍ରସ୍ତାବକୁ ଏହା ମାନି ନେଇଛି। କିନ୍ତୁ ଡିଜିଟାଲ୍ ମୁଦ୍ରାରେ ହେଉଥିବା ନିବେଶର ତଥ୍ୟ ଦେବାକୁ ଏହା ଏପର୍ଯ୍ୟନ୍ତ ରାଜି ହୋଇନାହିଁ। ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସିେରେ ନିବେଶ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ସେଥିପାଇଁ ଏହି ନିବେଶ ତଥ୍ୟ ପାଇବାକୁ ଅନେକ ଦେଶ ଚାହୁଛନ୍ତି।