ସ୍ବିସ୍ ବ୍ୟାଙ୍କ ଜମା, ୭୪ତମ ସ୍ଥାନକୁ ଖସିଲା ଭାରତ

ଭାରତୀୟମାନେ ରଖିଛନ୍ତି ୬୭୫୭ କୋଟି, ଶୀର୍ଷରେ ବ୍ରିଟେନ୍

ଜୁରିକ୍‌/ବ୍ରସେଲ୍ସ: ସ୍ବିସ୍ ବ୍ୟାଙ୍କରେ ଟଙ୍କା ଜମା କରିବା କ୍ଷେତ୍ରରେ ଭାରତ ଏବେ ୭୪ତମ ସ୍ଥାନରେ ରହିଛି। ପୂର୍ବବର୍ଷ ଭାରତ ୭୩ତମ ସ୍ଥାନରେ ଥିବାବେଳେ ଚଳିତବର୍ଷ ଗୋଟିଏ ସ୍ଥାନ ତଳକୁ ଖସିଛି। ସ୍ବିସ୍ ବ୍ୟାଙ୍କରେ ଟଙ୍କା ରଖିବା କ୍ଷେତ୍ରରେ ବ୍ରିଟେନ ଶୀର୍ଷରେ ରହିଛି ବୋଲି ସୁଇଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଗତବର୍ଷ ଏହି ତାଲିକାରେ ଭାରତ ୭୩ ତମ ସ୍ଥାନରେ ଥିଲେ ମଧ୍ୟ ତା ପୂର୍ବ ବର୍ଷ ୮୮ତମ ସ୍ଥାନରେ ରହିଥିଲା।

ସ୍ବିସ୍ ବ୍ୟାଙ୍କରେ ବିଦେଶୀମାନେ ଜମା କରିଥିବା ଟଙ୍କାର ପ୍ରତିଶତକୁ ଦେଖିଲେ ଭାରତ ୦.୦୭ ପ୍ରତିଶତ ଟଙ୍କା ରଖିଛି। ଅନ୍ୟପକ୍ଷରେ ଶୀର୍ଷରେ ଥିବା ବ୍ରିଟେନ ମୋଟ ଜମାରାଶି ମଧ୍ୟରୁ ୨୬ ପ୍ରତିଶତରୁ ଅଧିକ ଅର୍ଥ ରଖିଛି। ଅଧିକ ଟଙ୍କା ରଖିବା କ୍ଷେତ୍ରରେ ବ୍ରିଟେନ ପଛକୁ ଆମେରିକା ଦ୍ବିତୀୟ, ୱେଷ୍ଟ ଇଣ୍ଡିଜ୍ ତୃତୀୟ, ଫ୍ରାନ୍ସ ଚତୁର୍ଥ ଏବଂ ହଂକଂ ପଞ୍ଚମ ସ୍ଥାନରେ ରହିଛି। ସ୍ବସ୍ ବ୍ୟାଙ୍କରେ ବିଦେଶୀମାନେ ଜମା ରଖିଥିବା ସମୁଦାୟ ଟଙ୍କା ମଧ୍ୟରୁ ଶୀର୍ଷ ୫ଟି ଦେଶର ଲୋକ ଏବଂ ସଂସ୍ଥା ପ୍ରାୟ ୫୦ ପ୍ରତିଶତରୁ ଅଧିକ ଅର୍ଥ ଜମା ରଖିଛନ୍ତି। ସେହିଭଳି ଶୀର୍ଷ ୧୦ଟି ଦେଶର ମୋଟ ବିଦେଶୀ ଜମାର ପ୍ରାୟ ଦୁଇ ତୃତୀୟାଂଶ ଅର୍ଥରାଶି ଜମା ରଖିଛନ୍ତି। ଶୀର୍ଷ ୧୫ଟି ଦେଶର ଜମାରାଶି ପରିମାଣ ପାଖାପାଖି ୭୫ ପ୍ରତିଶତ ହୋଇଥିବାବେଳେ ଶୀର୍ଷ ୩୦ଟି ଦେଶର ଜମାରାଶି ମୋଟ ଜମାର ପ୍ରାୟ ୯୦ ପ୍ରତିଶତ ବୋଲି ଜଣାଯାଇଛି। ଶୀର୍ଷ ୧୦ଟି ମଧ୍ୟରେ ବାହାମାସ, ଜର୍ମାନୀ, ଲକ୍ସେମବର୍ଗ, କେମ୍ୟାନ ଆଇଲାଣ୍ଡ ଏବଂ ସିଙ୍ଗାପୁର ରହିଛନ୍ତି।

ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକର ଜମାରାଶିକୁ ତୁଳନା କରିଲେ ସଦସ୍ୟ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଭାରତ ସବାତଳେ ଥିବାବେଳେ ରୁଷ ୨୦ତମ ସ୍ଥାନରେ ରହି ସର୍ବାଗ୍ରେ ରହିଛି। ଏହା ପଛକୁ ଚୀନ୍ ୨୨ତମ, ଦକ୍ଷିଣ ଆଫ୍ରିକା ୬୦ତମ, ବ୍ରାଜିଲ ୬୫ତମ ସ୍ଥାନରେ ରହିଛନ୍ତି। ଭାରତର ପଡ଼ୋଶୀ ଦେଶ ଗୁଡ଼ିକ ମଧ୍ୟରେ ପାକିସ୍ତାନ ୮୨ତମ, ବାଂଲାଦେଶ ୮୯ତମ, ନେପାଳ ୧୦୯ତମ, ଶ୍ରୀଲଙ୍କା ୧୪୧ତମ, ମିଆଁମାର ୧୮୭ତମ ଏବଂ ଭୁଟାନ ୧୯୩ତମ ସ୍ଥାନରେ ରହିଛି। ବିଦେଶୀମାନେ ସ୍ବିସ୍ ବ୍ୟାଙ୍କରେ ରଖିଥିବା ମୋଟ ଜମା ପରିମାଣ ପ୍ରାୟ ୪ ପ୍ରତିଶତ ହ୍ରାସ ଘଟି ୨୦୧୮ରେ ପାଖାପାଖି ୯୯ ଲକ୍ଷ କୋଟି ଟଙ୍କାରେ ରହିଛି।

ସ୍ବିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିବା କ୍ଷେତ୍ରରେ ଭାରତ ୧୯୯୯୬ରୁ ୨୦୦୭ ମଧ୍ୟରେ ଶୀର୍ଷ ୫୦ଟି ଦେଶ ମଧ୍ୟରେ ରହୁଥିଲା। କିନ୍ତୁ ଏହାପରଠାରୁ ଭାରତର ରୢାଙ୍କରେ ହ୍ରାସ ବୃଦ୍ଧି ଦେଖା‌ଦେଇଛି। ୨୦୦୮ରେ ଭାରତ ୫୫ତମ, ୨୦୦୯ ଏବଂ ୨୦୧୦ରେ ୫୯ତମ ସ୍ଥାନ, ୨୦୧୨ରେ ୭୧ତମ ସ୍ଥାନରେ ରହିଥିଲା। ୨୦୧୧ରେ ଭାରତ ୫୫ତମ ଏବଂ ୨୦୧୩ରେ ୫୮ତମ ସ୍ଥାନରେ ରହିଥିଲା। ୨୦୧୮ରେ ଭାରତୀୟମାନେ ସ୍ବିସ୍ ବ୍ୟାଙ୍କରେ ରଖିଥିବା ଜମା ପରିମାଣ ପାଖାପାଖି ୬ ପ୍ରତିଶତ ହ୍ରାସ ଘଟି ପ୍ରାୟ ୬୭୫୭ କୋଟି ଟଙ୍କା ରହିଛି, ଯାହାକି ଗତ ଦୁଇ ଦଶନ୍ଧିରୁ ଊର୍ଧ୍ବ ସମୟ ମଧ୍ୟରେ ଦ୍ବିତୀୟ ସର୍ବନିମ୍ନ।

ସମ୍ବନ୍ଧିତ ଖବର