ମିଳିଲା ସ୍ବିସ୍ ବ୍ୟାଙ୍କ ତଥ୍ୟ : ଅନେକ ଭାରତୀୟଙ୍କ ଖାତା ବନ୍ଦ

ନୂଆଦିଲ୍ଲୀ : ସ୍ବୟଂକ୍ରିୟ ବ୍ୟବସ୍ଥାରେ ଭାରତକୁ ସ୍ବିସ୍‌ ବ୍ୟାଙ୍କ ତଥ୍ୟ ମିଳିବା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ତଥ୍ୟ ମିଳିଛି ତାହାକୁ ସରକାର ଅନୁଧ୍ୟାନ କରୁଛନ୍ତି। ଏଥି ତଥ୍ୟରୁ ଭାରତୀୟଙ୍କ କଳାଧନ ବିଷୟରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିବ ବୋଲି ଆଶା କରାଯାଉଛି। ୨୦୧୮ରେ ଯେଉଁ ଭାରତୀୟଙ୍କ ଖାତା ସକ୍ରିୟ ଥିଲା ସେମାନଙ୍କ ସମ୍ପର୍କିତ ତଥ୍ୟ ମିଳିଛି।

ସ୍ବିସ୍‌ ବ୍ୟାଙ୍କ ତଥ୍ୟର ପ୍ରାରମ୍ଭିକ ଅନୁଶୀଳନରୁ ଜଣାପଡ଼ିଛି ଯେ ଖାତା ଖୋଲଥିବା ଅନେକ ଭାରତୀୟ କାର୍ଯ୍ୟାନୁଷ୍ଠାନ ଭୟରେ ନିଜ ଖାତାକୁ ବନ୍ଦ କରିଦେଇଛନ୍ତି। ସ୍ବିଜରଲ୍ୟାଣ୍ଡ୍‌ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାକୁ ବିଶ୍ଳେଷଣ କରାଯିବା ପରେ ବିଭିନ୍ନ ଭାରତୀୟ ଗ୍ରାହକଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯିବ। କୁହାଯାଉଛି ଯେ, କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ଭାରତୀୟ ନିଜ ଖାତାରୁ ବିପୁଳ ପରିମାଣର ଜମା ରାଶି ଉଠାଇ ନେଇଛନ୍ତି। ଅନ୍ୟମାନେ ଖାତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ୨୦୧୮ ପୂର୍ବରୁ ବନ୍ଦ ହୋଇଯାଇଥିବା ୧୦୦ ଭାରତୀୟଙ୍କ ଖାତା ବିଷୟରେ ମଧ୍ୟ ସୂଚନା ମିଳିଛି। ରସାୟନ, ପୋଷାକ, ରିଅଲ ଇଷ୍ଟେଟ୍‌, ହୀରା ଓ ଗହଣା ଏବଂ ଇସ୍ପାତ କାରବାର ସହ ଜଡ଼ିତ ଥିବା ଲୋକ ଓ ବ୍ୟବସାୟୀମାନେ ଏହି ସବୁ ଖାତା ଖୋଲିଥିଲେ।

ବିଦେଶରେ କଳାଧନ ରଖିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାର ସ୍ବତନ୍ତ୍ର ନିୟମ ପ୍ରଣୟନ କରିଛନ୍ତି। ପୂର୍ବରୁ ଲିକ୍ ହୋଇଯାଇଥିବା ସ୍ବିସ୍ ବ୍ୟାଙ୍କ ତଥ୍ୟକୁ ନେଇ କିଛି ବ୍ୟକ୍ତି ଓ ସଂସ୍ଥା ବିରୋଧରେ ମାମଲା ଦାୟର କରାଯାଇଛି। କିନ୍ତୁ ପ୍ରମାଣ ଅଭାବ ଯୋଗୁ ସେହି ମାମଲାଗୁଡ଼ିକର ଗୁରୁତ୍ବ କମିଯାଇଛି। ଏବେ ସ୍ବିସ୍ ବ୍ୟାଙ୍କକୁ ନେଇ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ତାହା ପୁରୁଣା ମାମଲାଗୁଡ଼ିକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି କୁହାଯାଇଛି। କାରଣ ସ୍ବିସ୍ କର୍ତ୍ତୃପକ୍ଷ ଦେଇଥିବା‌ ତଥ୍ୟରେ ଖାତାରେ ଥିବା ଜମା ରାଶି, ଟ୍ରାନ୍ସଫର, ପ୍ରତିଭୂ୍ତି ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ସମ୍ପତ୍ତି ସମ୍ପର୍କିତ ତଥ୍ୟ ରହିଛି।

ଭାରତକୁ ଯେଉଁ ତଥ୍ୟ ମିଳିଛି ସେଥିରେ ଅନେକ ପ୍ରବାସୀ ଭାରତୀୟଙ୍କ ବିଷୟରେ ସୂଚନା ରହିଛି। ସେମାନେ ଦକ୍ଷିଣ-ପୂର୍ବ ଏସିଆ, ଆମେରିକା, ଦକ୍ଷିଣ ଆମେରିକା, ବ୍ରିଟେନ୍ ଏବଂ ଆଫ୍ରିକା ମହାଦେଶର କେତେକ ଦେଶରେ ବସବାସ କରୁଛନ୍ତି।

କଳାଧନକୁ ନେଇ କିଛି ବର୍ଷ ପୂର୍ବେ ସାରା ବିଶ୍ବରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଟିକସ ଠକ ଓ କଳାଧନ ସୃଷ୍ଟିକାରୀଙ୍କୁ ସ୍ବିସ୍ ବ୍ୟାଙ୍କଗୁଡ଼ିକ ସହାୟତା କରୁଥିବା ଅଭିଯୋଗ ହୋଇଥିଲା। ବିଶ୍ବର ଅନେକ ରାଷ୍ଟ୍ରରୁ ଚାପ ପଡ଼ିବା ପରେ ସ୍ବିଜରଲ୍ୟାଣ୍ଡ୍‌ କର୍ତ୍ତୃପକ୍ଷ ବ୍ୟାଙ୍କ ସମ୍ପର୍କିତ ନିୟମକୁ ବଦଳାଇଥିଲେ। ଯେଉଁ ତଥ୍ୟ ଏକଦା ସମ୍ପୂର୍ଣ୍ଣ ଗୋପନୀୟ ରହିଥିଲା ତାହାକୁ ବିଭିନ୍ନ ଦେଶକୁ ଆଦାନପ୍ରଦାନ କରିବା ଲାଗି ସ୍ବିଜରଲ୍ୟାଣ୍ଡ ରାଜି ହୋଇଥିଲା। ଅନେକ ଦେଶ ତଥ୍ୟ ଆଦାନପ୍ରଦାନ ପାଇଁ ସ୍ବିଜରଲ୍ୟାଣ୍ଡ୍‌ ସରକାରଙ୍କ ସହ ବୁଝାମଣା କରିଥିଲେ, ସେଥି ମଧ୍ୟରୁ ଭାରତ ହେଉଛି ଅନ୍ୟତମ। ଭାରତକୁ ଚଳିତ ବର୍ଷ ଠାରୁ ଭାରତୀୟଙ୍କ ସମ୍ପର୍କିତ ଖାତାର ତଥ୍ୟ ମିଳିବା ଆରମ୍ଭ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ ସ୍ବୟଂଚାଳିତ ଭାବେ ଏହି ତଥ୍ୟ ମିଳିବା ଜାରି ରହିବ।

ସମ୍ବନ୍ଧିତ ଖବର