ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧ରୁ ଭାରତୀୟ ଗ୍ରାହକମାନେ ସୁଲଭ ମୂଲ୍ୟରେ ସ୍ବିସ୍ ହାତଘଣ୍ଟା, ଚକୋଲେଟ୍, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ସାଇକଲ୍ ଆଦି କିଣିପାରିବେ। କାରଣ ସେହିଦିନଠାରୁ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇଏଫ୍ଟିଏ) ସହ ହୋଇଥିବା ରାଜିନାମା କାର୍ଯ୍ୟକାରୀ ହେବ। ଏହି ରାଷ୍ଟ୍ର ସମୂହରେ ସ୍ବିଜରଲ୍ୟାଣ୍ଡ୍, ଆଇସ୍ଲ୍ୟାଣ୍ଡ୍, ନରୱେ ଓ ଲିଚେନ୍ଷ୍ଟିନ୍ ରହିଛନ୍ତି। ରାଜିନାମା ଅନୁସାରେ ଆସନ୍ତା ୧୫ ବର୍ଷରେ ଭାରତରେ ୧୦,୦୦୦ କୋଟି ଡଲାର ନିବେଶ କରିବାକୁ ଏହି ଦେଶଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି।
୨୦୨୪ ମାର୍ଚ୍ଚ ୧୦ରେ ଇଏଫ୍ଟିଏ ଓ ଭାରତ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗିତା ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି ସମୂହରେ ଥିବା ଦେଶଗୁଡ଼ିକ ଲାଗି ଭାରତ ଏହାର ବଜାରକୁ ଅଧିକ ଖୋଲା କରିବ। ବିଶେଷ କରି ହାତଘଣ୍ଟା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଚକୋଲେଟ୍, ଅଲିଭ୍ ଅଏଲ୍, ବିସ୍କୁଟ୍, ଶିଳ୍ପ ଉତ୍ପାଦ, ସାଇକଲ୍, କେତେକ କୃଷିଜାତ ସାମଗ୍ରୀ, ଖଣିଜ ପଦାର୍ଥ, ମୃଦୁ ପାନୀୟ, କଫି ଓ ଔଷଧ ଉପରୁ ଭାରତ ଆମଦାନୀ ଶୁଳ୍କ ହ୍ରାସ କରିବ। ଫଳରେ ସେହି ସବୁ ଜିନିଷ ଭାରତରେ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କୁ ମିଳିପାରିବ। ତେବେ ଏକାଥରେ ଭାରତ ଶୁଳ୍କ କମ୍ କରିବ ନାହିଁ। ୧୦ ବର୍ଷ ସମୟ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିନିଷ ଉପରୁ ଶୁଳ୍କ କମ୍ ହେବ। ତେବେ ଇଏଫ୍ଟିଏ ଦେଶଗୁଡ଼ିକ ଲାଗି ଭାରତ ଏହାର ଦୁଗ୍ଧ ବଜାରକୁ ଖୋଲିବାକୁ ମନା କରିଦେଇଛି। ଅନେକ କୃଷିଜାତ ସାମଗ୍ରୀକୁ ମଧ୍ୟ ରାଜିନାମାରେ ସାମିଲ କରାଯାଇନାହିଁ। କିଭଳି ଏହି ଦେଶଗୁଡ଼ିକରୁ ଘରୋଇ କ୍ଷେତ୍ର ପାଇଁ ନିବେଶ ଆସିପାରିବ, ତାହା ଉପରେ ରାଜିନାମାରେ ଅଧିକ ଧ୍ୟାନ ଦିଆଯାଇଛି।
ଇଏଫ୍ଟିଏ ଦେଶଗୁଡ଼ିକ ସହ ଭାରତର ବଡ଼ ଧରଣର ବାଣିଜ୍ୟ ନିଅଣ୍ଟ ରହିଛି। ୨୦୨୪-୨୫ରେ ଏହି ଦେଶଗୁଡ଼ିକ ମିଳିତ ଭାବେ ଭାରତକୁ ୨୨୪୦ କୋଟି ଡଲାରର ସାମଗ୍ରୀ ରପ୍ତାନି କରିଥିଲେ। କିନ୍ତୁ ଭାରତ ମାତ୍ର ୨୦୦ କୋଟି ଡଲାରର ଜିନିଷ ସେମାନଙ୍କୁ ବିକ୍ରି କରିଥିଲା। ବ୍ୟବସାୟରେ ଥିବା ଏହି ବୃହତ୍ ଅନ୍ତରକୁ ନିବେଶ ଜରିଆରେ ଦୂର କରିବାକୁ ଭାରତ ସେମାନଙ୍କୁ କହିଛି। କିନ୍ତୁ ସମସ୍ୟା ହେଉଛି ଘରୋଇ କମ୍ପାନିଗୁଡ଼ିକ ନିବେଶ କରିବେ, ଯାହା ଉପରେ ସେହି ଦେଶଗୁଡ଼ିକର ସରକାର କୌଣସି ପ୍ରତିଶ୍ରୁତି ଦେଇପାରିବେ ନାହିଁ। ରାଷ୍ଟ୍ରଦୂତମାନଙ୍କ ଜରିଆରେ ବିଦେଶୀ କମ୍ପାନିଗୁଡ଼ିକୁ ନିବେଶ ପାଇଁ ମନାଇବାକୁ ଏହି ଦେଶଗୁଡ଼ିକ ଭାରତକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/29/swiss-2025-09-29-04-26-06.jpg)