କଳାଧନକୁ ପ୍ରଶ୍ରୟ ଦେବନି ସ୍ବିଜରଲ୍ୟାଣ୍ଡ, ମନି ଲଣ୍ଡରିଂ, ଆତଙ୍କବାଦୀ ପାଣ୍ଠି ଉପରେ କଡ଼ା ନଜର

ବର୍ଣ୍ଣ/ନୂଆଦିଲ୍ଲୀ: ନିଜ ମୁଣ୍ଡରୁ ‘କଳାଧନର ଭୁସ୍ବର୍ଗ’ କଳଙ୍କ ଲିଭାଇବା ପାଇଁ ସ୍ବିଜରଲ୍ୟାଣ୍ଡ ଜୋରଦାର ଉଦ୍ୟମ କରୁଛି। ଏହା ନିଜର ନିୟମକୁ କଡ଼ାକଡ଼ି କରିଛି। ମନି ଲଣ୍ଡରିଂ ଉପରେ ତୀକ୍ଷ୍‌ଣ ନଜର ରଖିଛି। ସ୍ବିଜରଲ୍ୟାଣ୍ଡରେ ଆଉ କଳାଧନ ଲୁଚାଇବା ସହଜ ହେବନି। ମନି ଲଣ୍ଡରିଂ ରିପୋର୍ଟିଂ ଅଫିସ ସ୍ବିଜରଲ୍ୟାଣ୍ଡ୍‌ (ଏମ୍‌ଆର୍‌ଓଏସ୍‌) ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ମନି ଲଣ୍ଡରିଂ ଓ ଆତଙ୍କବାଦୀ ପାଣ୍ଠି କାରବାରକୁ ନେଇ ଅନେକ ରୋଚକ ତଥ୍ୟ ପ୍ରକାଶ କରାଯାଇଛି। କଳାଧନ ଓ ମନି ଲଣ୍ଡରିଂ ଉପରେ ଲଗାମ କଷିବା ପାଇଁ ସ୍ବିଜରଲ୍ୟାଣ୍ଡ୍‌ ପକ୍ଷରୁ ଅନ୍ୟ ଦେଶର ଆର୍ଥିକ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରାଯାଇଛି।

୨୦୧୮ ସ୍ବିଜରଲ୍ୟାଣ୍ଡ୍‌ର ମନି ଲଣ୍ଡରିଂ ରିପୋର୍ଟିଂ କାର୍ଯ୍ୟାଳୟ ୧୦୪ଟି ଦେଶରୁ ୭୯୫ଟି ଆବେଦନ ହାସଲ କରିଥିଲା। ୨୦୧୭ରେ ୯୪ଟି ଦେଶ ୭୧୧ଟି ଆବେଦନ କରିଥିଲେ। ୨୦୧୮ରେ ଉଭୟ ଦେଶ ଓ ଆବେଦନର ପରିମାଣ ବଢ଼ିଛି। ୨୦୧୧ ସହିତ ଯଦି ଏହାକୁ ତୁଳନା କରାଯିବ ତେବେ ଏହି କାର୍ଯ୍ୟାଳୟ ପାଖରେ ଦୁଇ ଗୁଣାରୁ ଅଧିକ ଆବେଦନ ପହଞ୍ଚିଥିବା କୁହାଯାଇପାରିବ। ‌ତେବେ କେଉଁ ଦେଶରୁ କେତୋଟି ଆବେଦନ ଆସିଛି ତାହାର ସୂଚନା ସ୍ବିଜରଲ୍ୟାଣ୍ଡ ଦେଇନାହିଁ। ଏମ୍‌ଆର୍‌ଓଏସ୍‌ ଏହାର ରିପୋର୍ଟରେ କେତେକ ରୋଚକ ତଥ୍ୟ ମଧ୍ୟ ପ୍ରକାଶ କରିଛି। ଦକ୍ଷିଣ ଏସିଆର ଜଣେ ବ୍ୟକ୍ତି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହ ବିଭିନ୍ନ ଦେଶର ଏଜେନ୍ସିରୁ ମିଳିଥିବା ସୂଚନାରୁ ଜଣାପଡ଼ିଥିଲା। ସେହି ବ୍ୟକ୍ତି ଜଣକ ନିଜ ଦେଶରେ ଗ୍ୟାସ୍‌ ପାଇପ୍‌ଲାଇନ୍, ମତଦାନ କେନ୍ଦ୍ର ଓ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ରହିଛି। ଏକ ସେନା କାର୍ଯ୍ୟାନୁଷ୍ଠାନ ସମୟରେ ସେ ଅଳ୍ପକେ ବର୍ତି ଯାଇଥିଲେ ଏବଂ ସେଠାରୁ ସ୍ବିଜରଲ୍ୟାଣ୍ଡ୍‌ ଚାଲିଆସି ଆଶ୍ରୟ ଖୋଜିଥିଲେ। ତାଙ୍କୁ ଆଶ୍ରୟ ଦିଆଯାଇନଥିଲା। କିନ୍ତୁ ରାଜନୈତିକ କ୍ଷେତ୍ରରେ ସକ୍ରିୟ ନଥିବାରୁ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ସ୍ବିଜରଲ୍ୟା‌ଣ୍ଡ୍‌ରେ ରହିବାର ସୁଯୋଗ ପ୍ରଦାନ କରାଯାଇଥିଲା। ସେହି ବ୍ୟକ୍ତି ଜଣକ ଏହା ପରେ ୟୁରୋପ ଚାଲିଯାଇଥିଲେ। ଟିଣ୍ଡରକୁ ବ୍ୟବହାର କରି ଆଫ୍ରିକାର ଜଣେ ବ୍ୟକ୍ତି ମନି ଲଣ୍ଡରିଂ କରୁଥିବା ମାମଲା ମଧ୍ୟ ତଦନ୍ତ ବେ‌ଳେ ଜଣାପଡ଼ିଥିଲା ବୋଲି ଏମ୍‌ଆର୍‌ଓଏସ୍‌ ପକ୍ଷରୁ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର