ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହେବା ସହ ସରକାରଙ୍କ ରାଜସ୍ବ ଆୟ ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। କରୋନା ମୁକାବିଲା ଲାଗି ବିପୁଳ ପରିମାଣର ବ୍ୟୟ ହେଉଥିବା ବେଳେ ଆୟ କମିଯାଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। କେଉଁ ସବୁ ଉତ୍ସରୁ ପାଣ୍ଠି ଯୋଗାଡ଼ କରାଯାଇପାରିବ ତାହାକୁ ନେଇ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ କରାଯାଇଛି। ଏବେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ (ପିଏସ୍ୟ) ପାଖରେ ଥିବା ପାଣ୍ଠି ଉପରେ ସରକାର ନଜର ପକାଇଛନ୍ତି। ଲାଭାଂଶ ବାବଦ ଅର୍ଥ କଂପାନିଗୁଡ଼ିକ ଶୀଘ୍ର ଜାରି କରନ୍ତୁ ବୋଲି ସରକାର ଚାହୁଛନ୍ତି। ସରକାର ଭାବୁଛନ୍ତି ଯେ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିବାରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ବିଭିନ୍ନ ପ୍ରକଳ୍ପରେ ଯେତିକି ପୁଞ୍ଜିନିବେଶ କରିବା ପାଇଁ ଯୋଜନା ରଖିଥିଲେ ତାହା ନିଶ୍ଚିତ ରୂପେ କରିନଥିବେ। ସେବାବଦ ଟଙ୍କା ସେମାନଙ୍କ ପାଖରେ ଅଯଥାରେ ପଡ଼ିରହିଛି। ତାହାକୁ କଂପାନିଗୁଡ଼ିକ ଦେଇପାରିବେ। ଆଉ ଏକ ବିକଳ୍ପ ହେଉଛି ସେହି ବଳକା ଟଙ୍କାକୁ ବ୍ୟବହାର କରି କଂପାନିଗୁଡ଼ିକ ସରକାରଙ୍କ ସେୟାର ମଧ୍ୟ କିଣିପାରିବେ। ସେହି ପ୍ରକ୍ରିୟାକୁ ‘ସେୟାର ବାଏ ବ୍ୟାକ୍’ କୁହାଯାଏ। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ନିଜର ଆର୍ଥିକ ସ୍ଥିତିର ଅନୁଧ୍ୟାନ କରିବା ଲାଗି କେନ୍ଦ୍ରୀୟ ପିଏସ୍ୟୁଗୁଡ଼ିକୁ କୁହାଯାଇଛି। ସେମାନଙ୍କ ପାଖରେ କେତେ ପରିମାଣର ନଗଦ ରାଶି ପଡ଼ିରହିଛି ତାହା ସରକାର ଜାଣିବାକୁ ଚାହୁଛନ୍ତି। କେତେ ପାଣ୍ଠି ଜରୁରୀକାଳୀନ ସ୍ଥିତିର ମୁକାବିଲା ଲାଗି ରଖାଯାଇଛି? ଏବର୍ଷ କେତେ ପାଣ୍ଠି ବିନିଯୋଗ ହେବ? ସରକାରଙ୍କୁ କେତେ ଟଙ୍କା ଦେଇହେବ? ଏବିଷୟରେ ଜଣାଇବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। ଯଦି ସମ୍ଭବ ହେବ ତେବେ କଂପାନିଗୁଡ଼ିକ ବର୍ଷର ଦ୍ବିତୀୟ ଭାଗରେ ସରକାରଙ୍କୁ ପାଣ୍ଠି ଦେବେ।
ସାଧାରଣତଃ ଘରୋଇ କଂପାନିଗୁଡ଼ିକ ନିଜ ପାଖରେ ଅଧିକ ପାଣ୍ଠି ରହିଲେ ତାହାକୁ ଶୀଘ୍ର ବ୍ୟବସାୟ ସମ୍ପ୍ରସାରଣରେ ବିନିଯୋଗ କରିଥାନ୍ତି। କିନ୍ତୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦୁଇ ତିନି ବର୍ଷର ଆବଶ୍ୟକତା ପୂରଣ ହେବା ଭଳି ପାଣ୍ଠି ନିଜ ପାଖରେ ରଖନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବଳକା ପାଣ୍ଠି ହାସଲ କରିବା ପରିକଳ୍ପନା ନୂଆ ନୁହେଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଓ ପି ଚିଦମ୍ବରମ ମଧ୍ୟ ଏସଂକ୍ରାନ୍ତରେ ପୂର୍ବରୁ ଯୁକ୍ତି ବାଢ଼ିଥିଲେ। ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ପୁଞ୍ଜି ପ୍ରତ୍ୟାହାରରୁ ୫୦,୨୯୯ କୋଟି ଟଙ୍କା ପାଇଥିଲେ। ସେଥି ମଧ୍ୟରୁ ୮୨୧.୮ କୋଟି ଟଙ୍କା ସେୟାର ବାଏ ବ୍ୟାକ୍ ଜରିଆରେ ମିଳିଥିଲା। ତିନିଟି ସରକାରୀ କଂପାନି ସେହି ଅଂଶଧନ କରିଥିଲେ। ସେହିବର୍ଷ ସରକାରୀ ଉଦ୍ୟୋଗଗୁଡ଼ିକ ଠାରୁ ଲାଭାଂଶ ବାବଦରେ ୫୭,୪୮୭ କୋଟି ଟଙ୍କା ମିଳିବ ବୋଲି ସରକାର ବଜେଟ୍ରେ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବର୍ଷ ଶେଷ ବେଳକୁ ୪୮,୨୫୬ କୋଟି ଟଙ୍କାର ଲାଭାଂଶ ମିଳିଥିଲା। ୨୦୧୫-୧୬ ପରଠାରୁ ସେୟାର ବାଏ ବ୍ୟାକ୍କୁ ପୁଞ୍ଜିପ୍ରତ୍ୟାହାରର ଏକ ଅଂଶ ଭାବେ ବିଚାର କରାଯାଉଛି। ୨୦୧୬-୧୭ରେ ଏହି ମାଧ୍ୟମରେ ସର୍ବାଧିକ ୧୮,୯୬୩ କୋଟି ଟଙ୍କା ମିଳିଥିଲା। କୋଲ୍ ଇଣ୍ଡିଆ, ଏନ୍ଏଲ୍ସି ଇଣ୍ଡିଆ, ଏନ୍ଏଚ୍ପିସି ଓ ଏନ୍ଏମ୍ଡିସି ଭଳି ସଂସ୍ଥା ସେହିବର୍ଷ ନିଜ ପାଖରେ ଥିବା ପୁଞ୍ଜିକୁ ବ୍ୟବହାର କରି ସରକାରୀ ଅଂଶଧନ କିଣିଥିଲେ। ଚଳିତ ବର୍ଷ ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ୍ ଓ ସିପିଙ୍ଗ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଅଂଶଧନକୁ ସରକାର ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର କରୋନା ସଙ୍କଟ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଏହି ଯୋଜନା କେତେ ସଫଳ ହେବ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି।