ତାଳଚେର ସାର କାରଖାନା ୟୁରିଆ ପାଇଁ ସ୍ବତନ୍ତ୍ର ସବ୍‌ସିଡି ନୀତି, କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ତାଳଚେର ସାର କାରଖାନାରୁ ଉତ୍ପାଦିତ ହେବାକୁ ଥିବା ୟୁରିଆ ସାର ପାଇଁ ସରକାର ଆଜି ଏକ ସ୍ବତନ୍ତ୍ର ସବ୍‌ସିଡି ନୀତି ଘୋଷଣା କରିଛନ୍ତି। ନୂଆ କରି ନିର୍ମାଣ ହେଉଥିବା ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ (କୋଲ୍‌ ଗ୍ୟାସିଫିକେସନ) ପ୍ରଯୁକ୍ତିର ଉପଯୋଗ କରାଯିବ। ଏହି ଅଂଚଳରେ ପ୍ରଚୁର ମାତ୍ରାରେ କୋଇଲା ଉପଲବ୍ଧ ହେଉଥିବାରୁ ‌କୋଇଲାକୁ ଗ୍ୟାସରେ ରୂପାନ୍ତରିତ କରାଯିବ ଏବଂ ସେହି ଗ୍ୟାସରୁ ୟୁରିଆ ସାର ଉତ୍ପାଦନ କରାଯିବ। ଏଥିପାଇଁ କମ୍ପାନିକୁ ସ୍ବତନ୍ତ୍ର ସବ୍‌ସିଡି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ବୈଠକରେ ଏହି ସ୍ବତନ୍ତ୍ର ସବ୍‌ସିଡି ପ୍ରଦାନ ନୀତିକୁ ମଞ୍ଜୁରି ଦିଆଯାଇଛି। ବୈଠକ ପରେ କେନ୍ଦ୍ର ବାଣିଜ୍ୟ ଏବଂ ରେଳମନ୍ତ୍ରୀ ପୀୟୂଷ‌ ଗୋୟଲ ‌ଏ ନେଇ ସୂଚନା ଦେଇଛନ୍ତି।

ତାଳଚେର ଫର୍ଟିଲାଇଜର ଲିମିଟେଡର ଗଠନ ୨୦୧୫ ମସିହାରେ କରାଯାଇଛି। ୪ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଗେଲ୍‌ ଇଣ୍ଡିଆ ଲିମିଟେଡ, କୋଲ୍‌ ଇଣ୍ଡିଆ ଲିମିଟେଡ, ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍ ଫର୍ଟିଲାଇଜର୍ସ ଲିମିଟେଡ ଏବଂ ଫର୍ଟିଲାଇଜର୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡର ଏହା ହେଉଛି ଏକ ଯୌଥ ଉଦ୍ୟୋଗ। ପୂର୍ବରୁ ଫର୍ଟିଲାଇଜର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ ଦ୍ବାରା ସ୍ଥାପନ ହୋଇଥିବା ତାଳଚେର ସାର କାରଖାନାର ପୁନରୁଦ୍ଧାର କରାଯାଉଛି। ଏହାର ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ଟନ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୩୨୭୭.୨୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଦେଶରେ କୋଇଲା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧହେଉଛି। ଏଥିସହିତ ଏହାର ଦରରେ ମଧ୍ୟ ସେତେଟା ଅସ୍ଥିରତା ରହି ନଥାଏ। ତେଣୁ କୋଇଲାରୁ ଗ୍ୟାସ ଏବଂ ଗ୍ୟାସରୁ ୟୁରିଆ ଉତ୍ପାଦନ ପାଇଁ ଭାରତରେ ପ୍ରଥମ ଥର ପାଇଁ ଉକ୍ତ ପ୍ରଯୁକ୍ତି ବ୍ୟବହାର କରାଯିବ। ସେଥିପାଇଁ ଉକ୍ତ ନୂଆ ପ୍ରଯୁକ୍ତିକୁ ସରକାର ସବ୍‌ସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଏହାଫଳରେ ଭାରତ ‌ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ। ତାଳଚେର ପ୍ଲାଣ୍ଟରେ ସ୍ବଚ୍ଛ କୋଇଲା ପ୍ରଯୁକ୍ତିର ଉପଯୋଗ କରାଯିବାକୁ ଥିବାରୁ ଏଠାରୁ କମ୍ ପରିମାଣର ବିଷାକ୍ତ ଗ୍ୟାସ ନିର୍ଗତ ହେବ।

ତାଳଚେର ସାର କାରଖାନାର ୟୁରିଆ ପାଇଁ ସବ୍‌ସିଡି ନୀତିକୁ କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଆଜିର ଏହି ନିଷ୍ପତ୍ତି ଚାଷୀମାନଙ୍କ ପାଇଁ ସାରର ଉପଲବ୍ଧତାକୁ ବୃଦ୍ଧି କରିବାରେ ସହାୟକ ହେବା ସହିତ ପୂର୍ବ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶକୁ ଏହା ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର