‘ତନେଇରା’ ଖୋଲିଲା ପ୍ରଥମ ଷ୍ଟୋର

୨୦୨୪ ମାର୍ଚ୍ଚ ସୁଦ୍ଧା ଷ୍ଟୋର୍‌ ସଂଖ୍ୟା ୧୦୦ ଛୁଇଁବ: ସିଇଓ

ଭୁବନେଶ୍ବର: ଟାଟା ଗ୍ରୁପ୍‌ର ସଂସ୍ଥା ତନେଇରା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନଠାରେ ଏହାର ପ୍ରଥମ ଷ୍ଟୋର ଖୋଲାଯାଇଛି। ଏହାକୁ ଟାଇଟାନ୍ କଂପାନି ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ସି କେ ଭେଙ୍କଟରମଣ, ତନେଇରାର ସିଇଓ ଅମ୍ବୁଜ ନାରାୟଣ ଏବଂ ବିଜନେସ୍‌ ଆସୋସିଏଟ୍‌ ଯୋଗେନ୍ଦ୍ର ହଂସଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଛି। ତନେଇରା ହେଉଛି ଶାଢ଼ି ଓ ଏଥ୍‌ନିକ୍ ଓୟାରର ଏକ ସ୍ବତନ୍ତ୍ର ଷ୍ଟୋର ଯେଉଁଠାରେ ଗ୍ରାହକମାନେ ଦେଶର ୧୦୦ରୁ ଅଧିକ ହସ୍ତତନ୍ତ ପୁଞ୍ଜରେ ତିଆରି ହେଉଥିବା ଶାଢ଼ିଗୁଡ଼ିକୁ ଗୋଟିଏ ଛାତ ତଳେ ପାଇପାରିବେ। ଶାଢ଼ିର ଦାମ୍ ୯୯୯ ଟଙ୍କାରୁ ଆରମ୍ଭ ହୋଇ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଷ୍ଟୋର୍‌କୁ ଓଡ଼ିଆ ଛାପ ପ୍ରଦାନ କରିବା ଲାଗି‌ ଢୋକ୍ରା କାନ୍ଥ ଓ ସ୍ଥାନୀୟ ଚିତ୍ରକଳାକୁ ସ୍ଥାନିତ କରାଯାଇଛି।

୨୮୦୦ ବର୍ଗଫୁଟର ଏହି ଷ୍ଟୋର୍‌ରେ ଗ୍ରାହକମାନେ କାଞ୍ଜୀବରମ, ବନାରସୀ, ସାଉଥ୍‌ ସିଲ୍କ, ପୋଚାମ୍‌ପଲ୍ଲୀ ଇକତ୍, ମଙ୍ଗଲଗିରି, ‌ଚନ୍ଦେରି, ମାହେଶ୍ବରୀ, ଜାମ୍‌ଦାନି ଏବଂ ଟସର ଆଦିର ଶାଢ଼ି ପାଇପାରିବେ। ଏହା ବ୍ୟତୀତ ବ୍ଲାଉଜ୍‌ ଏବଂ କୁର୍ତା ସେଟ୍‌ ମଧ୍ୟ କିଣିପାରିବେ। ‌‌ଷ୍ଟୋର୍‌ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଅଫର ଘୋଷଣା କରାଯାଇଛି ଯାହା ନଭେମ୍ବର ୧୬ରୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କରୁଥିବା ଗ୍ରାହକଙ୍କୁ ୦.୨ ଗ୍ରାମର ତନିସ୍କ ସ୍ବର୍ଣ୍ଣ ମୁଦ୍ରା ଉପହାର ସୂତ୍ରରେ ପ୍ରଦାନ କରାଯିବ। ଏହି ଅବସରରେ କଂପାନିର ଆର୍‌ବିଏଚ୍‌ ସୋମ୍‌ପ୍ରଭ ସିଂହ ଓ ଜାତୀୟ ବିକ୍ରି ମୁଖ୍ୟ ଅନିର୍ବାଣ ବାନାର୍ଜୀ ଉପସ୍ଥିତ ଥିଲେ

୨୦୨୪ ମାର୍ଚ୍ଚ ସୁଦ୍ଧା ଷ୍ଟୋର୍‌ ସଂଖ୍ୟା ୧୦୦ ଛୁଇଁବ: ସିଇଓ
‘ତନେଇରା’ର ନୂଆ ଷ୍ଟୋର୍‌ ଉଦ୍‌ଘାଟନ ଅବସରରେ ଭୁବନେଶ୍ବର ଆସିଥିବା କଂପାନିର ଏମ୍‌ଡି ସି କେ ଭେଙ୍କଟରମଣ ଓ ସିଇଓ ଅମ୍ବୁଜ ନାରାୟଣଙ୍କ ସହ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି:

ଶାଢ଼ି ଓ ଏଥ୍‌ନିକ୍ ଓୟାର ବଜାର କେତେ ବଡ଼?
ଦେଶରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶାଢ଼ି ବ୍ୟବସାୟ ହେଉଛି। ଏହି ଶିଳ୍ପ ବାର୍ଷିକ ୬-୮ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। ସେହିପରି, ଏଥ୍‌ନିକ୍ ଓୟାର ବଜାର ଆହୁରି ବଡ଼। ବର୍ଷକୁ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର କାରବାର ହେଉଛି। ଏହି କ୍ଷେତ୍ରରେ ବହୁ ସଂସ୍ଥା ରହିଛନ୍ତି। ତେବେ ତନେଇରା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ପ୍ରଦାନ କରୁଛି। ଆପଣମାନେ ଷ୍ଟୋର୍‌କୁ ପ୍ରବେଶ କଲେ ତାହା ଜାଣିପାରିବେ। ସେଠାରେ ଗ୍ରାହକମାନେ ନିଜେ ଶାଢ଼ି ଦେଖିପାରିବେ।

ଷ୍ଟୋର ସଂଖ୍ୟା ବଢ଼ିବାର ଯୋଜନା ଅଛି କି?
ଆଜି ମାଷ୍ଟରକ୍ୟାଣ୍ଟିନ୍‌ରେ ଖୋଲିଥିବା ଷ୍ଟୋର୍‌ ହେଉଛି ପୂର୍ବ ଭାରତରେ ଆମର ପଞ୍ଚମ ଷ୍ଟୋର। ସାରା ଦେଶରେ ମୋଟ ୩୨ଟି ଷ୍ଟୋର ରହିଛି। ଓଡ଼ିଶା ସମେତ ପୂର୍ବ ଭାରତରେ ଆମେ ଅଧିକ ଷ୍ଟୋର ଖୋଲିବାକୁ ଯୋଜନା ରଖିଛୁ। ରାଜ୍ୟର ପ୍ରମୁଖ ସହର ଯଥା ରାଉରକେଲା, ବ୍ରହ୍ମପୁର, କଟକ ଆଦିରେ ବହୁତ ସମ୍ଭାବନା ରହିଛି। ପ୍ରଥମେ ଆମେ ଷ୍ଟୋର ସଂଖ୍ୟାକୁ ୫୦ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଏବଂ ୨୦୨୪ ମାର୍ଚ୍ଚ ସୁଦ୍ଧା ୧୦୦ରେ ପହଞ୍ଚାଇବାକୁ ଯୋଜନା ରଖିଛୁ।

ନୂଆ ଷ୍ଟୋର୍‌ ପାଇଁ କେଉଁ ଭଳି ସହରକୁ ପ୍ରାଥମିକତା ଦିଆଯାଉଛି?
ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ମେଟ୍ରୋ ସହରରେ ଷ୍ଟୋର୍‌ ଖୋଲିଥିଲୁ। ଏହା ପରେ ପ୍ରଥମ ଶ୍ରେଣୀ ସହରଗୁଡ଼ିକରେ ସମ୍ପ୍ରସାରଣ କରିଥିଲୁ। ଆଗାମୀ ଦିନରେ ସେହି କାର୍ଯ୍ୟ ଜାରି ରହିବ। ଏଥି ସହିତ ଦ୍ବିତୀୟ ଏବଂ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଷ୍ଟୋର ଖୋଲିବାକୁ ପ୍ରାଥମିକତା ଦିଆଯିବ।‌

ଶାଢ଼ି, ଏଥ୍‌ନିକ୍ ଓୟାର ବ୍ୟତୀତ କିଛି ନୂଆ ସାମଗ୍ରୀ ଷ୍ଟୋର୍‌ରେ ଯୋଡ଼ିବା ଯୋଜନା ରହିଛି କି?
ନିଶ୍ଚିତ ରୂପେ ଉତ୍ପାଦ ବର୍ଗମାଳାକୁ ବୃଦ୍ଧି କରାଯିବ। ଆଗାମୀ ଦିନରେ ଆମ ଷ୍ଟୋର୍‌ରେ ଗ୍ରାହକମାନେ ଲେହେଙ୍ଗା ଓ ସାଲ୍‌ ଆଦି କିଣିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର