ନୂଆଦିଲ୍ଲୀ: ବିଶ୍ବ ଜଳପଥରେ ସର୍ବାଧିକ ଗୁରୁତ୍ବ ବହନ କରୁଥିବା ଇଜିପ୍ଟର ସୁଏଜ କେନାଲ୍ରେ ଏକ ଟ୍ୟାଙ୍କର୍ ଖରାପ ହେବା ପରେ ଅଟକି ରହିଛି। ସେଥିପାଇଁ କେନାଲ୍ ମଧ୍ୟ ଦେଇ ପରିବହନ ବାଧାପ୍ରାପ୍ତ ହୋଇଛି। ସୁଏଜ କେନାଲ୍ର ୧୨ କିଲୋମିଟର ଲମ୍ବର ଅଣ ଓସାରିଆ ଅଞ୍ଚଳରେ ଟ୍ୟାଙ୍କର୍ଟି ଖରାପ ହୋଇ ଅଟକିଯିବାରୁ ଅନ୍ୟ କୌଣସି ଜାହାଜ ସେହି ପଥ ଦେଇ ଯାତ୍ରା କରିପାରୁନାହିଁ। ଅଟକି ରହିଥିବା ଟ୍ୟାଙ୍କରକୁ ସେଠାରୁ ବାହାର କରିବା ଲାଗି ତିନିଟି ବୋଟ୍ ମୂତୟନ କରାଯାଇଛି। ସୁଏଜ କେନାଲ କର୍ତ୍ତୃପକ୍ଷ କହିଛନ୍ତି ଯେ କେନାଲ୍ର ଗୋଟିଏ ଲେନ୍ ଥିବା ପଥରେ ଟ୍ୟାଙ୍କରଟି ଖରାପ ହୋଇଛି। ତା’ ପଛରେ ଆଉ ୮ଟି ଜାହାଜ ଥିଲା। ଖରାପ ହୋଇଥିବା ଟ୍ୟାଙ୍କରକୁ ସେଠାରୁ ବାହାର କରି ଡବଲ୍ ଲେନ୍କୁ ଅଣାଯିବା ପରେ ପରିବହନ ସ୍ବାଭାବିତ ହେବ।
ସୁଏଜ କେନାଲ୍ରେ ଏଭଳି ଅଘଟଣ ଘଟିବା କିଛି ନୂଆ କଥା ନୁହେଁ। ୨୦୨୧ ମାର୍ଚ୍ଚରେ ଏକ ଜାହାଜ ଦୁର୍ଘଟଣାଗସ୍ତ ହେବାରୁ ଛଅ ଦିନ ପର୍ଯ୍ୟନ୍ତ ପରିବହନ ବାଧାପ୍ରାପ୍ତ ହୋଇଥିଲା। ୧୮୬୯ରୁ ଶୁଭାରମ୍ଭ ହୋଇଥିବା ଏହି କେନାଲ୍ ବିଶ୍ବ ବାଣିଜ୍ୟ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହା ମଧ୍ୟ ଦେଇ ବିଶେଷ କରି ତୈଳ, ପ୍ରାକୃତିକ ଗ୍ୟାସ୍ ଓ ପଣ୍ୟ ପରିବହନ ହେଉଛି। ବିଶ୍ବର ୧୦% କାରବାର ଏହି କେନାଲ୍ ମଧ୍ୟ ଦେଇ ହେଉଛି। ଗତବର୍ଷ କେନାଲ୍ ଦେଇ ୨୩,୮୫୧ ଜାହାଜ ଯାତ୍ରା କରିଥିଲା। ଏହା ଇଜିପ୍ଟ ସରକାରଙ୍କ ପାଇଁ ବିଦେଶୀ ମୁଦ୍ରା ଅର୍ଜନ କରିବାର ଏକ ପ୍ରମୁଖ ମାଧ୍ୟମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/465456.jpg)