୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି ଲକ୍ଷ୍ୟ, ରଙ୍ଗରାଜନ କହିଲେ ପ୍ରଶ୍ନ ଉଠୁନି

୯% ହାରରେ ବି ବଢ଼ିଲେ ୨୨ ବର୍ଷ ଲାଗିବ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ପାଞ୍ଚ ଟ୍ରିଲିଅନ୍ ଡଲାରରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ ସନ୍ଦେହ ପ୍ରକଟ କରିଛନ୍ତି। ଅର୍ଥନୀତି ବର୍ତ୍ତମାନ ଯେଉଁଭଳି ଖରାପ ସ୍ଥିତିରେ ଅଛି ତାହାକୁ ଦୃଷ୍ଟି‌ ଦେଲେ ଏହି ଲକ୍ଷ୍ୟ ହାସଲ ହେବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି। ରଙ୍ଗରାଜନ କହିଛନ୍ତି, ଏବେ ଭାରତ ହେଉଛି ଏକ ୨.୭ ଟ୍ରିଲିଅନ ଡଲାରର ଅର୍ଥନୀତି। ଏହାର ପରିମାଣକୁ ଆସନ୍ତା ଦୁଇ ବର୍ଷରେ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଲକ୍ଷ୍ୟ ହାସଲ କରିବା ଲାଗି ବାର୍ଷିକ ୯ ପ୍ରତିଶତରୂ ଅଭିବୃଦ୍ଧି ଦରକାର। ତେଣୁ ୨୦୨୫ ସୁଦ୍ଧା ୫ ଟ୍ରିଲିଅନ୍ ଡଲାରରେ ଅର୍ଥନୀତିି ପହଞ୍ଚିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଆଇବିଏସ୍‌-ଆଇସିଏଫ୍‌ଏଆଇ ବିଜନେସ୍‌ ସ୍କୁଲ୍‌ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଦୁଇ ବର୍ଷର ସମୟ ଅପଚୟ ହୋଇସାରିଲାଣି। ଚଳିତ ବର୍ଷର ଅଭିବୃଦ୍ଧି ୬ ପ୍ରତିଶତରୁ କମ୍ ହେବ। ପରବର୍ତି ବର୍ଷ ଅଭିବୃଦ୍ଧି ୭ ପ୍ରତିଶତ ହୋଇପାରେ। ଏହା ପରେ ଅର୍ଥନୀତି ଆଗକୁ ବଢ଼ିପାରେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଯଦି ଭାରତ ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବ ତେବେବି ମୁଣ୍ଡପିଛା ଆୟ ୩୬୦୦ ଡଲାର ସ୍ତରରେ ରହିବ। ଏହା ସତ୍ତ୍ବେ ଭାରତ ମଧ୍ୟମ-ଆୟ ବର୍ଗର ଦେଶ ତାଲିକାରେ ରହିବ ବୋଲି ରଙ୍ଗରାଜନ କହିଛନ୍ତି। ବର୍ତ୍ତମାନ ଭାରତର ମୁଣ୍ଡପିଛା ଆୟ ୧୮୦୦ ଡଲାର ରହିଛି। ବିକଶିତ ଦେଶଗୁଡ଼ିକରେ ମୁଣ୍ଡପିଛା ଆୟ ପରିମାଣ ୧୨,୦୦୦ ଡଲାର ରହିଛି। ସେହି ସ୍ତରରେ ପହଞ୍ଚିବା ଲାଗି ବାର୍ଷିକ ୯ ପ୍ରତିଶତ ବେଗରେ ଆଗକୁ ବଢ଼ିଲେ ଆହୁରି ୨୨ ବର୍ଷ ସମୟ ଦରକାର ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦେଶର ଅର୍ଥନୀତିକୁ ୨୦୨୫ ସୁଦ୍ଧା ୫ ଟ୍ରିଲିଅନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ଘୋଷଣା ହେବା ପରଠାରୁ ଅର୍ଥନୀତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି। ଅର୍ଥନୀତିର ବିଭିନ୍ନ ମାନଦଣ୍ଡ ଦୁର୍ବଳ ହେବାରେ ଲାଗିଛି। ସେଥିପାଇଁ ଏହି ବୃହତ ଲକ୍ଷ୍ୟ ହାସଲ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର