ଟିକା, ଅମ୍ଳଜାନ ଆମଦାନି ଉପରୁ ଶୁଳ୍କ ହଟିଲା

ନୂଆଦିଲ୍ଲୀ: ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଅମ୍ଳଜାନ, ଟିକା ଓ ଅନ୍ୟାନ୍ୟ କେତେକ ଚିକିତ୍ସା ଉପକରଣର ଆମଦାନି ଉପରେ ଶୁଳ୍କକୁ ହଟାଇ ଦେଇଛନ୍ତି। କୋଭିଡ-୧୯ ଟିକା ଆମଦାନି ଉପରୁ ମୌଳିକ ଆମଦାନି ଶୁଳ୍କ, ମେଡିକାଲ ଗ୍ରେଡ୍ ଅକ୍ସିଜେନ୍ ଏବଂ ରୋଗୀଙ୍କୁ ଅକ୍ସିଜେନ ଯୋଗାଣ ପାଇଁ ବ୍ୟବହୃତ ଉପକରଣ ଉପରୁ ମୌଳିକ ଆମଦାନି ଶୁଳ୍କ ଏବଂ ସ୍ବାସ୍ଥ୍ୟ ସେସ୍‌କୁ ହଟାଇ ଦିଆଯାଇଛି। ୩ ମାସ ପାଇଁ ଏସବୁ ସାମଗ୍ରୀ ଉପରୁ ଆମଦାନି ଶୁଳ୍କକୁ ଉଠାଇ ଦିଆଯାଇଛି। ଦେଶରେ ଅକ୍ସିଜେନର ଉପଲବ୍ଧତା ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶନିବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ଏମ୍‌ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପ୍ରମୁଖ ଉପସ୍ଥିତ ଥିଲେ।

ମେଡିକାଲ ଗ୍ରେଡ୍ ଅକ୍ସଜେନ ଛଡ଼ା ଅକ୍ସିଜେନ କନସେନ୍‌ଟ୍ରେଟର, ଅକ୍ସିଜେନ୍ କାନିଷ୍ଟର୍ସ, ଫିଲିଂ ସିଷ୍ଟମ୍ସ, ଷ୍ଟୋରେଜ୍ ଟ୍ୟାଙ୍କ, ଭେଣ୍ଟିଲେଟର, କମ୍ପ୍ରେସର ଏବଂ ଏଭଳି ଉତ୍ପାଦ ଉପରୁ ଆମଦାନି ଶୁଳ୍କକୁ ହଟାଇ ଦିଆଯାଇଛି। ଏସବୁ ଉପକରଣର ସୀମା ଶୁଳ୍କ ଅନୁମତି ଯେଭଳି ଶୀଘ୍ର ମିଳିବ ତାହାକୁ ନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଯୁଗ୍ମ ସଚିବ ଗୌରବ ମାସଲଦାନଙ୍କୁ ନୋଡାଲ ଅଧିକାରୀଭାବେ ନିଯୁକ୍ତ କରାଯାଇଛି। ଶନିବାର ସଂଧ୍ୟାରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ୨୦୨୧ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଶୁଳ୍କ ଛାଡ଼ କରାଯିବ ବୋଲି ଏଥିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ବୁଧବାର କେନ୍ଦ୍ର ସରକାର ରେମଡେସଭିର ଓ ଏହାର ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା କଞ୍ଚାମାଲ ଉପରୁ ମୌଳିକ ଉତ୍ପାଦନ ଶୁଳ୍କକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ‌ଛାଡ଼ କରି ସାରିଛନ୍ତି।

ସମ୍ବନ୍ଧିତ ଖବର