ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନକୁ ଗତି ଦେବା ଲାଗି ଏକ ୧୭ ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସର ଲକ୍ଷ୍ୟ ହେଉଛି ରାଜ୍ୟକୁ ଆସୁଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ପର୍ଯ୍ୟନ୍ତ ସହାୟତା କରିବା। ଏକ ପ୍ରସ୍ତାବକୁ କାରଖାନାରେ ପରିଣତ କରିବା ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ସହଯୋଗ ଯୋଗାଇ ଦେବା। ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଯେଉଁ ସମସ୍ୟା ରହିଛି ତାହାକୁ ଦୂର କରିବା। ଶିଳ୍ପ ପ୍ରକଳ୍ପଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ଟାସ୍କଫୋର୍ସରେ ବିଭିନ୍ନ ବିଭାଗର ସଦସ୍ୟ ରହିବେ। ବିଶେଷ କରି ପ୍ରକଳ୍ପ ପାଇଁ ରହିଥିବା ସମସ୍ୟାଗୁଡ଼ିକୁ ଦୂର କରିବା ଲାଗି ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟରେ ଉନ୍ନତି ଆଣିବା ଉପରେ ଟାସ୍କଫୋର୍ସ ଧ୍ୟାନ ଦେବ। ସୂଚନା ଅନୁସାରେ ‌ପ୍ରକଳ୍ପ ନିରୀକ୍ଷଣ ଦଳ (ପିଏମ୍‌ଜି) ଓ ପ୍ରଗତି ଅଭିଯାନ ଅଧୀନରେ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଟାସ୍କଫୋର୍ସ ଅନୁଧ୍ୟାନ କରିବ। 

Advertisment

ପ୍ରକଳ୍ପ ଅଗ୍ରଗତି ଉପ‌ରେ ନଜର ରଖିବ
ବିଭାଗୀୟ ସମନ୍ବୟ ଉପରେ ଗୁରୁତ୍ବ

ରାଜ୍ୟକୁ ଆସିଥିବା ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ତ୍ବରାନ୍ବିତ କରିବା ଲାଗି ଏହି ଟାସ୍କଫୋର୍ସ ଗଠନ କରାଯାଇଛି। ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ରାଜ୍ୟ ସରକାର ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଥିଲେ। ଏଥି ସହିତ କିଛି ଦିନ ପୂର୍ବେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନିବେଶକ ସମ୍ମିଳନୀରେ ୧.୦୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଓ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ନିୟମିତ ବ୍ୟବଧାନରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବା ଲାଗି କାର୍ଯ୍ୟ କରୁଥିବା ବେଳେ ଶିଳ୍ପାୟନ ତାହାର ଏକ ପ୍ରମୁଖ ଅଂଶ ହୋଇରହିଛି। ରାଜ୍ୟର ପ୍ରତି ଜିଲ୍ଲାରେ ଶିଳ୍ପ ସ୍ଥାପନ କରାଯିବ ବୋଲି ସେ ବାରମ୍ବାର କହୁଛନ୍ତି। ପାରମ୍ପରିକ ଖଣିଜ ଓ ଧାତବ କ୍ଷେତ୍ରରେ ରାଜ୍ୟ ସରକାର ନିବେଶ ପ୍ରସ୍ତାବ ହାସଲ କରୁଥିବା ବେଳେ ଏବେ ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ପ୍ରଯୁକ୍ତି, ସେମିକଣ୍ଡକ୍ଟର ଓ ଅକ୍ଷୟ ଶକ୍ତି ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି। ରାଜ୍ୟକୁ ପେଟ୍ରୋକେମିକାଲ୍ସର ଏକ ହବ୍‌ରେ ପରିଣତ କରିବାକୁ ସରକାର ଯୋଜନା ରଖିଛନ୍ତି। ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଅନୁକୂଳ ପରିବେଶ ଓ ଭିତ୍ତିଭୂମି ପ୍ରଦାନ କରିବା ଲାଗି ବିଭିନ୍ନ ସ୍ଥାନରେ ଶିଳ୍ପ କରିଡର ମଧ୍ୟ ବିକାଶ କରାଯାଉଛି।