ଟ୍ରେନ୍ ଚଲାଇବେ ଟାଟା, ଆଦାନି, ହୁଣ୍ଡାଇ ଓ ଏସେଲ୍‌ ଗ୍ରୁପ୍ : ୧୦୦ଟି ରୁଟ୍‌ରେ ଗଡ଼ିବ ୧୫୦ ଘରୋଇ ଟ୍ରେନ୍

ନୂଆଦିଲ୍ଲୀ: ଘରୋଇ ଟ୍ରେନ୍‌ ଚଲାଇବା ଲାଗି ଦେଶ ଓ ବିଦେଶର ଅନେକ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ଟାଟା ରିଅଲିଟି ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌, ହିଟାଚି ଇଣ୍ଡିଆ, ‌ଏସେଲ୍‌ ଗ୍ରୁପ୍, ଆଦାନି ପୋର୍ଟ‌ ଆଣ୍ଡ୍‌ ଏସ୍‌ଇଜେଡ୍‌ ଓ ଆଇଆର୍‌ସିଟିସି ଭଳି ଦେଶ ଭିତର ସଂସ୍ଥା ଏହି ‌ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପରି ବିଦେଶ କଂପାନିଗୁଡ଼ିକ ମଧ୍ୟରେ ଆଲ୍‌ଷ୍ଟୋମ୍ ଟ୍ରାନ୍ସପୋର୍ଟ, ବୋମ୍ବାର୍ଡିୟର୍‌, ସି‌ମେନ୍ସ ଏଜି, ହୁଣ୍ଡାଇ ରୋଟେମ୍ କଂପାନି ଓ ମାକ୍ବାରି ଭଳି ସଂସ୍ଥା ମଧ୍ୟ ଭାରତରେ ଘରୋଇ ଟ୍ରେନ୍ ଚଲାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଦେଶର ୧୦୦ଟି ରୁଟ୍‌ରେ ୧୫୦ ଘରୋଇ ଟ୍ରେନ୍‌ର ଆରମ୍ଭ କରିବା ଲାଗି ଭାରତୀୟ ରେଳ ଯୋଜନା ରଖିଛି।

NDTV

ଚଳିତ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଘୋଷଣା କରିଛନ୍ତି ଯେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ପର୍ଯ୍ୟନ୍ତ ଗମନାଗମନ ସୁବିଧା ପ୍ରଦାନ କରିବା ଲାଗି ତେଜସ୍ ଭଳି ୧୦୦ଟି ଟ୍ରେନ୍ ଚାଲିବ। ମୁମ୍ବାଇ-ନୂଆଦିଲ୍ଲୀ, ଚେନ୍ନାଇ-ନୂଆଦିଲ୍ଲୀ, ନୂଆଦିଲ୍ଲୀ-ହାୱଡ଼ା, ଶାଲିମାର-ପୁନେ ଓ ନୂଆଦିଲ୍ଲୀ-ପାଟନା ଭଳି ରୁଟ୍‌ରେ ଘରୋଇ ଟ୍ରେନ୍ ଚାଲିବ। ଘରୋଇ ସଂସ୍ଥାର ଟ୍ରେନ୍‌ ପ୍ରଥମ ଷ୍ଟେସନ୍‌ରୁ ଛାଡ଼ିବାର ୧୫ ମିନିଟ୍ ଭିତରେ ଅନ୍ୟ କୌଣସି ଟ୍ରେନ୍ ଗଡ଼ିବ ନାହିଁ। ପ୍ରତି ଘରୋଇ ଟ୍ରେନ୍‌ରେ ସର୍ବନିମ୍ନ ୧୬ଟି କୋଚ୍‌ ରହିବ। ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ ସର୍ବାଧିକ ଘଣ୍ଟା ପିଛା ୧୬୦ କିମି ବେଗରେ ଦୌଡ଼ିପାରିବ। ଘରୋଇ ଟ୍ରେନ୍‌ର ଭଡ଼ା ସେହି ଟ୍ରେନ୍‌କୁ ଚଲାଉଥିବା କଂପାନି ଧାର୍ଯ୍ୟ କରିବ। ଫାଇନାନ୍ସ ଠାରୁ ଆରମ୍ଭ କରି ଟ୍ରେନ୍‌ର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ସବୁ କିଛି ଉକ୍ତ ଘରୋଇ କଂପାନି ଉପରେ ନିର୍ଭର କରିବ।

ରେଳ ଭିତ୍ତିଭୂମି ବିକଶିତ କରିବା ଲାଗି ଚଳିତ ବର୍ଷ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ନୂଆ ରେଳ ଧାରଣା ବିଛାଇବା ଲାଗି ୧୨ ହଜାର କୋଟି ଟଙ୍କା, ଗେଜ୍ ପରିବର୍ତ୍ତନ ଲାଗି ୨୨୫୦ କୋଟି ଟଙ୍କା, ଦୋହରୀକରଣ ପାଇଁ ୭୦୦ କୋଟି ଟଙ୍କା, ରୋଲିଂ ଷ୍ଟକ୍ ଲାଗି ୫୭୬ କୋଟି ଟଙ୍କା ଏବଂ ସିଗ୍‌ନାଲିଂ ଓ ଟେଲିକମ୍ ବାବଦରେ ୧୬୫୦ କୋଟି ଟଙ୍କା ବ୍ୟୟ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର