ନୂଆଦିଲ୍ଲୀ: ଡିଜିଟାଲ୍ ପ୍ଲାଟ୍ଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିବା ପରେ ଚାପରେ ଥିବା ଡାଇରେକ୍ଟ ଟୁ ହୋମ୍ (ଡିଟିଏଚ୍) କ୍ଷେତ୍ରରେ ଏକ ବଡ଼ ଧରଣର ମିଶ୍ରଣ ହେବାକୁ ଯାଉଛି। ଦେଶର ଦୁଇ ପ୍ରମୁଖ ଡିଟିଏଚ୍ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍ଟେଲ୍ ଡିଜିଟାଲ୍ ଟିଭି ମଧ୍ୟରେ ମିଶ୍ରଣ ହେବ। ଉଭୟ କମ୍ପାନି ପକ୍ଷରୁ ଏସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଆଗାମୀ କିଛି ସପ୍ତାହରେ ଏନେଇ ଘୋଷଣା ହେବା ଆଶା କରାଯାଉଛି। ଏହା ପୂର୍ବରୁ ୨୦୧୬ରେ ଡିସ୍ ଟିଭି ଓ ଭିଡିଓକନ୍ ଡି୨ଏଚ୍ ମଧ୍ୟରେ ମିଶ୍ରଣ ହୋଇଥିଲା।
ସୂଚନା ଅନୁସାରେ, ଟାଟା ଓ ଏୟାରଟେଲ୍ ଡିଟିଏଚ୍ର ମିଶ୍ରଣରେ ଗଠନ ହେବାକୁ ଥିବା କମ୍ପାନିରେ ଏୟାରଟେଲ୍ର ୫୨-୫୫ ପ୍ରତିଶତ ଏବଂ ଟାଟା ପ୍ଲେର ୪୫-୪୮ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ରହିବ। ଏହି କମ୍ପାନି ଅଧୀନରେ ୩.୫ କୋଟିରୁ ଅଧିକ ଡିଟିଏଚ୍ ଗ୍ରାହକ ରହିବେ। ଟାଟା ପ୍ଲେକୁ ଟାଟା ସନ୍ସ ଓ ୱାଲ୍ଡ ଡିଜ୍ନି ପକ୍ଷରୁ ମିଳିତ ଭାବେ ପରିଚାଳନା କରାଯାଉଛି। ଏହି କମ୍ପାନିରେ ଟାଟା ସନ୍ସର ୭୦ ପ୍ରତିଶତ ଓ ୱାଲ୍ଟ ଡିଜ୍ନିର ୩୦ ପ୍ରତିଶତ ଅଂଶଧନ ରହିଛି। ଏୟାରଟେଲ୍ ଡିଜିଟାଲ୍ ଟିଭିର ସମ୍ପୂର୍ଣ୍ଣ ମାଲିକାନା ଏୟାରଟେଲ୍ ପାଖରେ ରହିଛି।
ଦେଶର ଡିଟିଏଚ୍ ବଜାରର ସର୍ବାଧିକ ୩୨ ପ୍ରତିଶତ ଅଂଶ ଟାଟା ପ୍ଲେ ପାଖରେ ଥିବା ବେଳେ ଏୟାରଟେଲ୍ ଡିଜିଟାଲ୍ ଟିଭି ପାଖରେ ୨୯ ପ୍ରତିଶତ, ଡିସ୍ ଟିଭି ପାଖରେ ୨୦ ପ୍ରତିଶତ ଓ ସନ୍ ଡାଇରେକ୍ଟ ପାଖରେ ୧୯ ପ୍ରତିଶତ ବଜାର ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଟାଟା ପ୍ଲେର ମୋଟ ରାଜସ୍ବ ୪୩୨୭ କୋଟି ଟଙ୍କା ଏବଂ ଏୟାରଟେଲ୍ ଡିଟିଏଚ୍ର ୩୦୪୫ କୋଟି ଟଙ୍କା ଥିଲା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁସାରେ ଦେଶରେ ଡିଟିଏଚ୍ ଗ୍ରାହକ ସଂଖ୍ୟା ୨୦୨୩-୨୪ ସୁଦ୍ଧା ୬ କୋଟିକୁ ହ୍ରାସ ପାଇଛି। ୨୦୨୦-୨୧ରେ ସେହି ସଂଖ୍ୟା ୭ କୋଟିରୁ ଅଧିକ ଥିଲା।