ପୁଣି ବ୍ୟାଙ୍କ ଖୋଲିପାରନ୍ତି ଟାଟା, ବିର୍ଲା

ମୁମ୍ବାଇ: ଦେଶର ଦୁଇଟି ବୃହତ୍‌ ଶିଳ୍ପଗୋଷ୍ଠୀ ପୁନର୍ବାର ବ୍ୟାଙ୍କ ଖୋଲିପାରନ୍ତି। ସେମାନେ ହେଲେ ଟାଟା ଗ୍ରୁପ୍ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ସୁପାରିସ ଯଦି ଏମାନଙ୍କୁ ସୁହାଇବ ତାହେଲେ ସେମାନେ ପୁନର୍ବାର ବ୍ୟାଙ୍କ ବ୍ୟବସାୟକୁ ଆସିପାରନ୍ତି। ବ୍ୟାଙ୍କିଂ ଆଇନରେ ସଂଶୋଧନ ଆଣି ଶିଳ୍ପଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କିଂ ଲାଇସେନ୍ସ ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ କମିଟି ସୁପାରିସ କରିବା ପରେ ଏଭଳି କଳ୍ପନାଜଳ୍ପନା ଦୃଢ଼ୀଭୂତ ହେବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ କମିଟି ଏହା ମଧ୍ୟ ସୁପାରିସ କରିଛି ଯେ ଶିଳ୍ପଗୋଷ୍ଠୀଙ୍କ ଅଧୀନରେ ପରିଚାଳିତ ଏନ୍‌ବିଏଫ୍‌ସିଗୁଡ଼ିକୁ ମଧ୍ୟ ବ୍ୟାଙ୍କରେ ପରିବର୍ତ୍ତନ କରାଯାଇ ପାରିବ। କିନ୍ତୁ ଏମାନଙ୍କ ସମ୍ପତ୍ତି ପରିମାଣ ୫୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ଆବଶ୍ୟକ। ଟାଟା ଅଧୀନରେ ପରିଚାଳିତ ଟାଟା କ୍ୟାପିଟାଲର ସମ୍ପତ୍ତି ପରିମାଣ ୭୪୫୦୦ କୋଟି ଟଙ୍କା ହୋଇଥିବାବେଳେ ଆଦିତ୍ୟ ବିର୍ଲା ଗ୍ରୁପର ଏନବିଏଫସି ଆଦିତ୍ୟ ବିର୍ଲା କ୍ୟାପିଟାଲର ସଂପତ୍ତି ପରିମାଣ ୫୯ ହଜାର କୋଟି ଟଙ୍କାରୁ ଅଧିକ ରହିଛି।

କିଛିବର୍ଷ ପୂର୍ବରୁ ଏହି ଦୁଇ ଶିଳ୍ପଗୋଷ୍ଠୀ ସମେତ ଅନ୍ୟମାନେ ବ୍ୟାଙ୍କ ଖୋଲିବା ପାଇଁ ଆଗ୍ରହ ଦେଖାଇଥିଲେ। ୨୦୧୩ରେ ଏମାନେ ବ୍ୟାଙ୍କିଂ ଲାଇସେନ୍ସ ପାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ପରେ ଟାଟା ଗ୍ରୁପ୍ ଏଥିରୁ ଓହରି ଯାଇଥିବାବେଳେ ଆଦିତ୍ୟ ବିର୍ଲା ଗ୍ରୁପକୁ ଲାଇସେନ୍ସ ମିଳି ନଥିଲା। କେବଳ ଟାଟା ଏବଂ ବିର୍ଲା ନୁହେଁ, ୨୦୧୩ରେ ଯେଉଁସବୁ ଶିଳ୍ପଗୋଷ୍ଠୀ ବ୍ୟାଙ୍କ ଲାଇସେନ୍ସ ପାଇବା ପାଇଁ ଆଶା ରଖିଥିଲେ ସେମାନେ ମଧ୍ୟ ଆଗାମୀ ଦିନରେ ଆଗକୁ ବଢ଼ିପାରନ୍ତି। ତେବେ ଟାଟା ଗ୍ରୁପ୍ ପ୍ରଥମ ଥର ପାଇଁ ବ୍ୟାଙ୍କ ବ୍ୟବସାୟରେ ପ୍ରବେଶ କରୁନାହିଁ। ୧୯୧୭ ମସିହାରେ ଟାଟା ଗ୍ରୁପ ପକ୍ଷରୁ ଟାଟା ଇଣ୍ଡଷ୍ଟ୍ରିଆଲ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ପରେ ଏଥିରେ ସମସ୍ୟା ଦେଖାଦେବାରୁ ୧୯୨୩ ମସିହାରେ ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶାଇ ଦିଆଯାଇଥିଲା। ଭାରତୀୟ ବ୍ୟାଙ୍କିଂ ଇତିହାସରେ ଏହା ପ୍ରଥମ ମିଶ୍ରଣ ବୋଲି କୁହାଯାଏ। ସେହିଭଳି ବିର୍ଲା ଗ୍ରୁପ ପକ୍ଷରୁ ୧୯୪୩ ମସିହାରେ ୟୁନାଇଟେଡ କମର୍ସିଆଲ ବ୍ୟାଙ୍କ ବା ୟୁ‌କୋ ବ୍ୟାଙ୍କ ସ୍ଥାପନ କରାଯାଇଥିଲା। କୁମାର ମଙ୍ଗଳ ବିର୍ଲାଙ୍କ ଅଣଜେଜେ ଘନଶ୍ୟାମ ଦାସ ବିର୍ଲା ଏହି ବ୍ୟାଙ୍କର ପ୍ରତିଷ୍ଠାତା ଥିଲେ। ତେବେ ୧୯୬୯ ମସିହାରେ ବ୍ୟାଙ୍କ ଜାତୀୟକରଣ ସମୟରେ ଏହି ବ୍ୟାଙ୍କର ମଧ୍ୟ ଜାତୀୟକରଣ କରାଯାଇଥିଲା।

ସମ୍ବନ୍ଧିତ ଖବର