ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ଜେଆର୍‌ଡି ଟାଟାଙ୍କ ଉଦ୍ୟମରେ ୧୯୩୨ରେ ଏୟାର ଇଣ୍ଡିଆର ଜନ୍ମ ହୋଇଥିଲା। ଟାଟା ଏୟାରଲାଇନ୍ସ ନାମରେ ଟାଟା ତାହାକୁ ପ୍ରତିଷ୍ଠା କରିଥିଲେ। ପାଇଲଟ୍‌ ଭାବେ ପ୍ରଥମ ଲାଇସେନ୍ସ ପାଇଥିବା ଜେଆର୍‌ଡିଙ୍କ ବିମାନ ଚଳାଚଳ ପ୍ରତି ଅହେତୁକ ଆଗ୍ରହ ଥିଲା। ମନ ପ୍ରାଣ ଦେଇ ସେ ଅତି ଯତ୍ନର ସହ ନିଜର ପିଲା ଭଳି ଏୟାର ଇଣ୍ଡିଆକୁ ଗଢ଼ିଥିଲେ। ଭାରତୀୟଙ୍କୁ ଆକାଶରେ ଉଡ଼ିବା ବେଳେ ସବୁଠୁ ଭଲ ଅନୁଭୂତି ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ଥିଲା। ୧୯୪୬ରେ ଟାଟା ଏୟାରଲାଇନ୍ସର ନାମକୁ ପରିବର୍ତ୍ତନ କରି ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୪୮ରେ କଂପାନି ଏହାର ପ୍ରଥମ ଆନ୍ତର୍ଜାତିକ ଉଡ଼ାଣ ଆରମ୍ଭ କରିବା ସହ ୟୁରୋପ ଯାତ୍ରା କରିଥିଲା। ୧୯୫୩ରେ ଏୟାର ଇଣ୍ଡିଆର ଜାତୀୟକରଣ ହୋଇଥିଲା ଓ ତାହା କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଥିଲା। ଦୀର୍ଘ ଚାରି ଦଶନ୍ଧୀ ପର୍ଯ୍ୟନ୍ତ ଆକାଶରେ ରାଜୁତି କରିବା ସହ ଲୋକମାନଙ୍କୁ ଦେଶବିଦେଶର ବିଭିନ୍ନ ସ୍ଥାନ ପହଞ୍ଚାଇବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଏଥି ସହିତ ବହୁ ମୂଲ୍ୟବାନ ସମ୍ପତ୍ତି ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇଥିଲା।

Advertisment

publive-image ଏୟାର ଇଣ୍ଡିଆ ବିମାନ ସହ ଜେଆର୍‌ଡି ଟାଟା

୧୯୯୪-୯୫ରେ ବିମାନ ଚଳାଚଳ କ୍ଷେତ୍ରରେ ଘରୋଇ କଂପାନିଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଘରୋଇ କଂପାନି ଆସିବା ପରେ ସେମାନେ ସୁଲଭ ମୂଲ୍ୟର ଟିକଟ୍ ଉପଲବ୍ଧ କରି ଯାତ୍ରୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ। ସେମାନଙ୍କ ସହିତ ଏୟାର ଇଣ୍ଡିଆ ପ୍ରତିଦ୍ବନ୍ଦ୍ବିତା କରିପାରିନଥିଲା ଓ ଯାତ୍ରୀ ବଜାରରେ ନିଜ ଭାଗ ଦ୍ରୁତ ଗତିରେ ହରାଇଥିଲା। ୨୦୦୦-୦୧ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ଏୟାର ଇଣ୍ଡିଆର ୪୦% ଅଂଶଧନ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ଟାଟା ଗ୍ରୁପ୍ ଓ ସିଙ୍ଗାପୁର୍‌ ଏୟାରଲାଇନ୍ସ ସେହି ଅଂଶଧନ କିଣିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ, ଘରୋଇକରଣକୁ ଶ୍ରମିକ ସଂଘଗୁଡ଼ିକ ତୀବ୍ର ବିରୋଧ କରିବାରୁ ସିଙ୍ଗାପୁର ଏୟାରଲାଇନ୍ସ ଶେଷ ମୁହୂର୍ତରେ ଓହରିଯାଇଥିଲା। ଫଳରେ ସେହି ସମୟରେ ଏୟାର ଇଣ୍ଡିଆର ଅଂଶଧନ ବିକ୍ରି ହୋଇପାରିନଥିଲା। ଏହା ପରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ଶାସନ କାଳ ଆରମ୍ଭ ହୋଇଥିଲା। ୧୦ ବର୍ଷର ଦୁଇ ପାଳି ଶାସନ ଭିତରେ ଉପା ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ଉଦ୍ୟମ କରିନଥିଲେ। ଇଣ୍ଡିଆନ ଏୟାରଲାଇନ୍ସ ସହ ମିଶ୍ରଣ ହେବା ପରେ ୨୦୦୭-୦୮ ପରଠାରୁ ଏୟାର ଇଣ୍ଡିଆ ପ୍ରତିବର୍ଷ ବିପୁଳ କ୍ଷତି ସହୁଥିଲା। ରାଜକୋଷରୁ ଦିଆଯାଉଥିବା ସହାୟତାରେ ତାହା ବଞ୍ଚି ରହିଥିଲା। ଏୟାର ଇଣ୍ଡିଆର ପୁନରୁଦ୍ଧାର ଲାଗି ୨୦୧୨ରେ ଉପା ସରକାର ଏକ ଯୋଜନା ପ୍ରସ୍ତୂତ କରିଥିଲେ। କିନ୍ତୁ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶାସନ ଭାର ସମ୍ଭାଳିବା ପରେ ପୁଣି ଥରେ ସରକାରୀ କଂପାନି ବିକ୍ରି କରିବା ଉପରେ ଜୋର ଦିଆଯାଇଥିଲା।

ଏୟାର ଇଣ୍ଡିଆର ଘରୋଇକରଣ ଲାଗି ୨୦୧୭ରେ କ୍ୟାବିନେଟ୍‌ କମିଟିରେ ନିଷ୍ପତ୍ତି ହୋଇଥିଲା। କଂପାନିର ୭୬% ଅଂଶଧନ ବିକ୍ରି କରିବା ଲାଗି ୨୦୧୮ ମାର୍ଚ୍ଚରେ ବିଡ୍ ଆହ୍ବାନ କରାଯାଇଥିଲା। ସେହି ସମୟରେ ଭାରତୀୟ ବିମାନ ଶିଳ୍ପ ଦୁର୍ଦ୍ଦିନ ଦେଇ ଗତି କରୁଥିଲା। ତେଣୁ କୌଣସି ସଂସ୍ଥା ଏହାକୁ କିଣିବାକୁ ଆଗ୍ରହ ଦେଖାଇନଥିଲେ। ସେହି ସମୟରେ ସରକାର ନିଜ ପାଖରେ ଏୟାର ଇଣ୍ଡିଆର ୨୪% ଅଂଶଧନ ରଖିବାକୁ ଚାହୁଥିଲେ। ଗ୍ରାହକ ନମିଳିବାର ଆଉ ଏକ କାରଣ ଥିଲା ଋଣ। ସେହି ସମୟରେ ଏୟାର ଇଣ୍ଡିଆ ଉପରେ ୩୩,୩୯୨ କୋଟି ଟଙ୍କାର ଋଣ ଥିଲା। ଯିଏ କଂପାନିକୁ କିଣିବ ତାହାର ଖାତାକୁ ସବୁ ଋଣ ସ୍ଥାନାନ୍ତର କରାଯିବ ବୋଲି ସର୍ତ୍ତ ରହିଥିଲା। ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି କରି ସମ୍ପୂର୍ଣ୍ଣ ଓହରିଯିବାକୁ ୨୦୨୦ ଜାନୁଆରିରେ ସରକାର ନିଷ୍ପତ୍ତି ‌ନେଇଥିଲେ। ସେହି ସମୟରେ ଏୟାର ଇଣ୍ଡିଆ ଖାତା‌ରେ ୬୦,୦୭୪ କୋଟି ଟଙ୍କାର ଋଣ ଥିଲା। ଯିଏ କଂପାନିକୁ କିଣିବ ତାହାର ଖାତାକୁ ୨୩,୨୮୬ କୋଟି ଟଙ୍କାର ଋଣ ସ୍ଥାନାନ୍ତର କରାଯିବ ‌ବୋଲି ସର୍ତ୍ତ ରଖାଗଲା। ୨୦୨୦ ଅକ୍ଟୋବରରେ ଋଣ ସର୍ତ୍ତକୁ ଆଉ ଟିକେ କୋହଳ କରାଯାଇଥିଲା। ୨୦୨୦ ଡିସେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ପାଇଁ ବିଭିନ୍ନ ସଂସ୍ଥା ବିଡ୍‌ ଦାଖଲ କରିଥିଲେ। କିଛି ସଂସ୍ଥାର ବିଡ୍ ନାକଚ ହେବା ପରେ ଚୂଡ଼ାନ୍ତ ପର୍ଯ୍ୟାୟରେ ଚଳିତ ବର୍ଷ ସେପ୍ଟେମ୍ବରରେ ଟାଟା ଓ ସ୍ପାଇସ୍‌ଜେଟ୍‌ ଆର୍ଥିକ ବିଡ୍ ଦାଖଲ କରିଥିଲେ। ଟାଟା ଶେଷରେ ବାଜି ମାରିନେଇଛି। ଏୟାର ଇଣ୍ଡିଆ ଯେଉଁ ସ୍ଥିତିରେ ରହିଛି ତାହାକୁ ଚଲାଇବା ଟାଟା ଲାଗି ଏତେଟା ସହଜ ହେବନି। ଏହା ପାଖରେ ଥିବା ଅନ୍ୟ ଦୁଇ ବିମାନ କଂପାନି ଏୟାର ଏସିଆ ଇଣ୍ଡିଆ ଓ ଭିସ୍ତାରାର ପ୍ରଦର୍ଶନ ଅାଶାନୁରୂପ ରହିନାହିଁ।