ଜେଟ୍‌କୁ କିଣିବ ଟାଟା!

ନୂଆଦିଲ୍ଲୀ: ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଭାରତୀୟ ବିମାନ ଶିଳ୍ପରେ ତିଷ୍ଠି ରହିବାକୁ ଅନେକ କଂପାନି ସଂଘର୍ଷ କରୁଥିବା‌ ବେଳେ ଦେଶର ଅନ୍ୟତମ ପୁରୁଣା ବ୍ୟବସା‌ୟ ପ୍ରତିଷ୍ଠାନ ଏହି କାରବାରରେ ବଡ଼ ଆକାରରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଟାଟା ଗ୍ରୁପ୍‌ର ଏହି‌ ଯୋଜନା ଯଦି ସଫଳ ହେବ ତେବେ ଦେଶର ବିମାନ ଶିଳ୍ପର ସମୀକରଣ ବଦଳିଯିବ। ଏବେ ଦୁଇଟି ବଡ଼ କଂପାନି ଏୟାର ଇଣ୍ଡିଆ ଓ ଜେଟ୍‌ ଏୟାରୱେଜ୍ ବ୍ୟବସାୟରେ ତିଷ୍ଠିବାକୁ ସଂଘର୍ଷ କରୁଛନ୍ତି। ଦୁଇ ସଂସ୍ଥାକୁ କିଣିବା ପାଇଁ କୌଣସି ନିବେଶକ ଆଗ୍ରହ ଦେଖାଉନାହାନ୍ତି। ଏଭଳି ସ୍ଥିତିର ସୁଯୋଗ ଭାବେ ବିଚାର କରୁଛି ଟାଟା। ନରେଶ ଗୋଏଲଙ୍କ କଂପାନି ଜେଟ୍‌ର ବିପୁଳ ପରିମାଣର ଅଂଶଧନ କିଣି ଏହାର ନୂତନ ମାଲିକ ହେବାକୁ ଟାଟା ଲକ୍ଷ୍ୟ ରଖିଛି। ସେଥିପାଇଁ କଥାବାର୍ତା ମଧ୍ୟ ଆରମ୍ଭ କରିସାରିଲାଣି। ଲୁଣ ଠାରୁ ଆରମ୍ଭ କରି ସଫ୍ଟଓୟାର ପର୍ଯ୍ୟନ୍ତ ୧୦୦ରୁ ଅଧିକ ପ୍ରକାର କାରବାର କରୁଥିବା ଟାଟା ଗ୍ରୁପ୍‌ ଅନେକ ଦିନରୁ ନିଜର ଏକ ବିମାନ କଂପାନି କରିବାକୁ ସ୍ବପ୍ନ ଦେଖୁଛି। ସେହି ସ୍ବପ୍ନ ପୂରଣ କରିବାକୁ କଂପାନି ୨୦୧୩ ପରେ ଏୟାର ଏସିଆ ସହ ଯୌଥ ଉଦ୍ୟୋଗ ସ୍ଥାପନ କରି ‘ଏୟାର ଏସିଆ ଇଣ୍ଡିଆ’ ନାମକ କଂପାନି ଗଠନ କରିଥିଲା। ଏହା ପରେ ସିଙ୍ଗାପୁର ଏୟାରଲାନ୍ସ ସହିତ ମିଶି ‘ଭିସ୍ତାରା’ ନାମକ ଆଉ ଏକ ବିମାନ କଂପାନି ସ୍ଥାପନ କରିଥିଲା। ଦେଶରେ ଯାତ୍ରୀ ସେବା ପ୍ରଦାନ କରିବାରେ ଆଖିଦୃଶିଆ ପ୍ରଦର୍ଶନ କରୁଥିବା ୭ଟି କଂପାନିର ତାଲିକାର ଶେଷ ଦୁଇ ପାହାଚରେ ଏୟାର ଏସିଆ ଓ ଭିସ୍ତାରା ଅଛନ୍ତି। ଏହାକୁ ନେଇ ଟାଟା ଆଦୌ ଖୁସି ନୁହେଁ। ଏୟାର ଇଣ୍ଡିଆର ଅଂଶଧନ କିଣିବାକୁ କଂପାନି ମନ କରିଥିଲା। କିନ୍ତୁ ସେହି ସଂସ୍ଥାର ଋଣ ବୋଝ ଦେଖି ଟାଟା ଆଉ ବିଶେଷ ଧ୍ୟାନ ଦେଇନଥିଲା। ଜେଟ୍‌ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି, କିନ୍ତୁ ଏୟାର ଇଣ୍ଡିଆ ଠାରୁ ଏହା ନିଶ୍ଚିତ ରୂପେ ଭିନ୍ନ। ତେଣୁ ଜେଟ୍‌କୁ କିଣିବା ପାଇଁ ଟାଟା କଥାବାର୍ତା ଆରମ୍ଭ କରିଦେଇଛି। ଟାଟା ସନ୍ସ ପକ୍ଷରୁ ଆଜି କୁହାଯାଇଛି ଯେ, ଜେଟ୍‌ ସହିତ କେବଳ କଥାବାର୍ତା ଆରମ୍ଭ ହୋଇଛି। ଏହାର ଅଂଶଧନ କିଣିବା ପାଇଁ ଟାଟା କୌଣସି ପ୍ରସ୍ତାବ ଦେଇନାହିଁ।

ଏୟାର ଏସିଆ ସହ ସମ୍ପର୍କ ତୁଟାଇବ
ଭିସ୍ତାରା ସହ ଜେଟ୍‌କୁ ମିଶାଇଦେବ
ଖବରକୁ ‌େଜଟ୍‌ ଏୟାରୱେଜ୍‌ର ଖଣ୍ଡନ

କିଏ ଆଗରେ
୧-ଇଣ୍ଡିଗୋ
୨-ଜେଟ୍‌ ଏୟାରୱେଜ୍
୩-ଏୟାର ଇଣ୍ଡିଆ
୪-ସ୍ପାଇସ୍‌ ଜେଟ୍‌
୫-ଗୋଏୟାର
୬-ଏୟାର ଏସିଆ
୭-ଭିସ୍ତାରା

ଟାଟା ଏବେ ଦୁଇଟି ବିଷୟ ଉପରେ ବିଚାର କରୁଛି। ପ୍ରଥମେ ଏହା ଏୟାର ଏସିଆ ଇଣ୍ଡିଆ ସହ ସମ୍ପର୍କ ତୁଟାଇବାକୁ ଚାହୁଁଛି। ଏନେଇ କଂପାନି ଆଲୋଚନା ମଧ୍ୟ ଆରମ୍ଭ କରିସାରିଲାଣି। ଏୟାର ଏସିଆ ବିରୋଧରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ଏହାର ମୁଖ୍ୟ ଟୋନି ଫର୍ଣ୍ଣାଡିଜ୍‌ଙ୍କ ବିରୋଧରେ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ନିଜର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିବାକୁ ସବୁ ବେଳେ ପ୍ରୟାସ କରିବାକୁ ଚାହୁଁଥିବା ଟାଟା ଆଉ ଅଧିକ ଦିନ ଏୟାର ଏସିଆ ସହ ରହିବାକୁ ଚାହୁଁନାହିଁ। କିନ୍ତୁ ଏୟାର ଏସିଆରୁ ବାହାରିବା ଟାଟା ପାଇଁ ସହଜ ହେବନି। କାରଣ ଏଥିରେ ଥିବା ଅଂଶଧନ ବିକ୍ରି କରିବା ବହୁତ କଷ୍ଟକର ହେବ।

ଦ୍ବିତୀୟ ବିଷୟଟି ହେଉଛି, ଯଦି ଏୟାର ଏସିଆ ଅଂଶଧନ ସୁବିଧାରେ ବିକ୍ରି ହୋଇଯିବ ଏବଂ ଜେଟ୍‌ ଏୟାରୱେଜ୍‌ କିଣିବା ସଫଳ ହେବ ତେବେ ଟାଟା ପକ୍ଷରୁ ଭିସ୍ତାରା ଓ ଜେଟ୍‌କୁ ମିଶାଇ ଗୋଟିଏ ବଡ଼ କଂପାନି ଗଠନ କରାଯିବ। ଜେଟ୍‌ର ଆନ୍ତର୍ଜାତିକ ଉଡ଼ାଣ ସୁବିଧା ରହିଛି। ଭିସ୍ତାରା ଦେଶ ଭିତରେ ଯାତ୍ରୀସେବା ପ୍ରଦାନ କରୁଛି। ଏକାଥରେ ଉଭୟ ଭାରତ ଓ ଆନ୍ତର୍ଜାତିକ ଉଡ଼ାଣ ସୁବିଧା ଟାଟାକୁ ମିଳିଯିବ। କିନ୍ତୁ, ଜେଟ୍‌ର ଆର୍ଥିକ ସ୍ଥିତି ବିଷୟରେ ଅବଗତ ଥିବା ବିଶେଷଜ୍ଞମାନେ ଟାଟାକୁ ସତର୍କ କରାଇ ଦେଇଛନ୍ତି। ଜେଟ୍‌କୁ କିଣିବା ମହଙ୍ଗା ପଡ଼ିପାରେ ବୋଲି ସେମାନେ ଟାଟାକୁ କହିଛନ୍ତି। ଇଣ୍ଡିଗୋ ଭଳି କଂପାନି ଏକ ନମ୍ବରରେ ଥାଇ ମଧ୍ୟ ଲାଭ କରିବାକୁ ସଂଘର୍ଷ କରୁଛି। ସେଭଳି ଏକ ବଜାରରେ ପୁଞ୍ଜିନିବେଶ କରି ଲାଭ ହାସଲ କରିବା ଟାଟା ପାଇଁ ସହଜ ହେବନି। ଅନ୍ୟ ପକ୍ଷରେ ବଜାରରେ ଚାଲିଥିବା ଚର୍ଚାକୁ କେବଳ ଆକଳନ ବୋଲି କହିଛି ଜେଟ୍‌ ଏୟରୱେଜ୍। ଟାଟା ସିଙ୍ଗାପୁର ଏୟାରଲାଇନ୍ସ ସହିତ ମିଶ୍ରଣକୁ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଦେଶ ଭିତରେ ଅଧିକ ଯାତ୍ରୀଙ୍କୁ ବିମାନ ସେବା ପ୍ରଦାନ କରିବାରେ ଇଣ୍ଡିଗୋ ଅନ୍ୟମାନଙ୍କଠାରୁ ବହୁତ ଆଗରେ ରହିଛି। ବଜାରର ୪୦% ଭାଗ ଇଣ୍ଡିଗୋ କବ୍‌ଜାରେ ରହିଛି। ଇଣ୍ଡିଗୋ ଏକାକୀ ଯେତିକି ଯାତ୍ରୀଙ୍କୁ ସେବା ଯୋଗାଉଛି, ଏହା ପଛକୁ ଥିବା ଅନ୍ୟ ତିନି କଂପାନି ଜେଟ୍‌ ଏୟାରୱେଜ୍, ଏୟାର ଇଣ୍ଡିଆ ଓ ସ୍ପାଇସ୍‌ଜେଟ୍ ମିଳିମିଶି ସେତିକି ଯାତ୍ରୀଙ୍କୁ ସେବା ଯୋଗାଇ ପାରୁନାହାନ୍ତି।

ସମ୍ବନ୍ଧିତ ଖବର