ଟାଟା ହାତକୁ ଗଲା ନୀଳାଚଳ ଇସ୍ପାତ: ଓଏମ୍‌ସି, ଇପିକଲ୍ ପାଇଲେ ୧,୬୯୮ କୋଟି

କର୍ମଚାରୀଙ୍କୁ ମିଳିଲା ୩୮୭ କୋଟି ବକେୟା

ଭୁବନେଶ୍ବର: ଟାଟା ଷ୍ଟିଲ୍‌ର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ସକୁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ହସ୍ତାନ୍ତର ପ୍ରକ୍ରିୟା ଆଜି ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ଦିପମ୍ ବିଭାଗ ସଚିବ ତୁହିନ୍‌କାନ୍ତ ପାଣ୍ଡେ ଓ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଦସ୍ତାବିଜ ହସ୍ତାନ୍ତର ହୋଇଛି। ଏନ୍‌ଆଇଏନ୍‌ଏଲ୍‌କୁ କିଣିବା ଲାଗି ଟାଟା ଷ୍ଟିଲ୍ ଲଙ୍ଗ୍‌ ପ୍ରଡକ୍ଟସ୍‌ ୨୧,୧୦୦ କୋଟି ଟଙ୍କାର ବିଜୟୀ ବିଡ୍ ଦାଖଲ କରିଥିଲା। ସେଥିରୁ ଓଡ଼ିଶାର ଦୁଇ ସଂସ୍ଥା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଓ ଇପିକଲ୍‌ ୧,୬୯୮ କୋଟି ଟଙ୍କା ପାଇଛନ୍ତି। ଓଏମ୍‌ସି ସର୍ବାଧିକ ୧,୨୪୬ କୋଟି ଟଙ୍କା ପାଇଥିବା ବେଳେ ଇପିକଲ୍‌କୁ ୪୫୨ କୋଟି ଟଙ୍କା ମିଳିଛି।

ଏ ସମ୍ପର୍କର ସୂଚନା ଦେଇ ଦିପମ୍‌ ବିଭାଗର ସଚିବ ଶ୍ରୀ ପାଣ୍ଡେ କହିଛନ୍ତି ଯେ ଏନ୍‌ଆଇଏନ୍‌ଏଲ୍‌ର ପୁରୁଣା ବୋର୍ଡର ସଦସ୍ୟମାନେ ଇସ୍ତଫା ଦେଇଛନ୍ତି ଓ ନୂଆ ବୋର୍ଡ କଂପାନିର ଦାୟିତ୍ବ ଗ୍ରହଣ କରିଛି। ସେୟାର ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି। ମୋଟ ଛଅଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ (ଜେଭି) ଏନ୍‌ଆଇଏନ୍‌ଏଲ୍‌କୁ ସ୍ଥାପନ କରିଥିଲେ। ଏନ୍‌ଆଇଏନ୍‌ଏଲ୍‌ରେ କେନ୍ଦ୍ର ସରକାରଙ୍କ ଚାରିଟି ଉଦ୍ୟୋଗ ଏମ୍‌ଏମ୍‌ଟିସିର ୪୭.୭୮%, ଏନ୍‌ଏମ୍‌ଡିସିର ୧୦.୧୦%, ମେକନ୍‌ର ୦.୬୮ ଓ ଭେଲ୍‌ର ୦.୬୮% ଏବଂ ଓଡ଼ିଶା ସରକାରଙ୍କ ଦୁଇ ଉଦ୍ୟୋଗ ଓଏମ୍‌ସିର ୨୦.୪୭% ଓ ଇପିକଲ୍‌ର ୧୨% ଅଂଶଧନ ଥିଲା। ମୋଟ ଉପରେ ଏହି ୬ଟି ସଂସ୍ଥାର ଏନ୍‌ଆଇଏନ୍‌ଏଲ୍‌ରେ ୯୩.୭୧% ଅଂଶଧନ ଥିଲା। ସମସ୍ତ କଂପାନି ନିଜର ଅଂଶଧନ ବିକ୍ରି କରିଛନ୍ତି। ଏନ୍‌ଆଇଏନ୍‌ଏଲ୍‌ ବିକ୍ରିକୁ ଏକ ବଡ଼ ସଫଳତା ଭାବେ ବର୍ଣ୍ଣନା କରି ଶ୍ରୀ ପାଣ୍ଡେ କହିଛନ୍ତି ଯେ ବିକ୍ରି ପୂର୍ବରୁ ୨୦୨୧ ମାର୍ଚ୍ଚ ସୁଦ୍ଧା କଂପାନିର ନିଟ୍ ମୂଲ୍ୟ ବିଯୁକ୍ତ ୩୬୦୦ କୋଟି ଟଙ୍କା ଥିଲା। ସେହି ଦୃଷ୍ଟିରୁ ୧୨,୧୦୦ କୋଟି ଟଙ୍କାରେ ଏହା ବିକ୍ରି ହେବା ନିଶ୍ଚିତ ରୂପେ ଏକ ବଡ଼ ସଫଳତା। ଏହି ଟଙ୍କାକୁ ରଥଯାତ୍ରା ଭଳି ଏକ ପବିତ୍ର ଦିନରେ ଏକ ଏସ୍‌କ୍ରୋ ଆକାଉଣ୍ଟ୍‌ରେ ଜମା କରାଯାଇଥିଲା। ଏନ୍‌ଆଇଏନ୍‌ଏଲ୍‌ ପାଇଁ ମିଳିଥିବା ୨୧,୧୦୦ କୋଟି ଟଙ୍କାରୁ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ବାବଦରେ ୩୮୭ କୋଟି ଟଙ୍କା, ଅପରେସନାଲ୍ କ୍ରେଡିଟରମାନଙ୍କୁ ୯୭୫ କୋଟି ଟଙ୍କା, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ୧,୮୬୦ କୋଟି ଟଙ୍କା, ବଣ୍ଡ୍‌ଧାରୀମାନଙ୍କୁ ୩୨୫ କୋଟି ଟଙ୍କା ଓ ଋଣ ଦେଇଥିବା ପ୍ରମୋଟରଙ୍କୁ ୪୪୧ କୋଟି ଟଙ୍କା ଦିଆଯାଇଛି। ୯୯୧ କୋଟି ଟଙ୍କାର ‌କୌଣସି ନିର୍ଦିଷ୍ଟ ଫଇସଲା ହୋଇପାରିନଥିବାରୁ ତାହାକୁ ଅଲଗା ରଖାଯାଇଛି। ଏହା ପରେ ଯେଉଁ ୮,୫୨୮ କୋଟି ଟଙ୍କା ବଳକା ରହିଥିଲା ତାହାକୁ ଛଅଟି ସରକାରୀ ଉଦ୍ୟୋଗ ମଧ୍ୟରେ ବାଣ୍ଟି ଦିଆଯାଇଛି।

ବାର୍ଷିକ ଏକ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏନ୍‌ଆଇଏନ୍‌ଏଲ୍‌କୁ ଟାଟା ଷ୍ଟିଲ୍ ଲଙ୍ଗ୍‌ ପ୍ରଡକ୍ଟସ୍‌ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଯୋଜନା ରଖିଛି। କଂପାନିର ଉତ୍ପାଦନ କ୍ଷମତାକୁ ପ୍ରଥମେ ୪.୫ ନିୟୁତ ଟନ୍ ଓ ୧୦ ବର୍ଷ ଭିତରେ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଟାଟା ଯୋଜନା ରଖିଛି ବୋଲି ଶିଳ୍ପ ସଚିବ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି ଏକ ନିୟୁତ ଟନ୍ କ୍ଷମତା ଯୋଡ଼ିବା ଲାଗି ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ସେହି ଅନୁସାରେ ଉତ୍ପାଦନ କ୍ଷମତାକୁ ୧୦ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ୩୦ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ବାରା ରାଜ୍ୟରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ସିଇଓ ଓ ଟାଟା ଷ୍ଟିଲ୍ ଲଙ୍ଗ ପ୍ରଡକ୍ଟସ୍‌ର ଅଧ୍ୟକ୍ଷ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ ଆମେ ଏନ୍‌ଆଇଏନ୍‌ଏଲ୍‌ ଓ ଏହାର କର୍ମଚାରୀମାନଙ୍କୁ ଆମ ପରିବାରକୁ ସ୍ବାଗତ କରି ଖୁସି ଅନୁଭବ କରୁଛୁ। ଆମେ ସମସ୍ତ ଅଂଶୀଦାର ଓ କର୍ମଚାରୀଙ୍କ ସହାୟତା ଓ ପ୍ରତିବଦ୍ଧତା ଆଶା କରୁଛୁ। ଏନ୍‌ଆଇନ୍‌ଏଲ୍‌କୁ ଏକ ଅତ୍ୟାଧୁନିକ, ପ୍ରତିଦ୍ବନ୍ଦ୍ବିତାମୂଳକ ଓ ଦୀର୍ଘସ୍ଥାୟୀ ଉଦ୍ୟୋଗରେ ରୂପାନ୍ତରିତ କରିବାକୁ ଟାଟା ଷ୍ଟିଲ୍ ପ୍ରୟାସ ଜାରି ରଖିବ। ୨୦୩୦ ସୁଦ୍ଧା ଟାଟା ଷ୍ଟିଲ୍ ଏହାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୪୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସେ ଦିଗରେ ଏନ୍ଆଇଏନ୍ଏଲ୍‌ ଅଧିଗ୍ରହଣ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

୨୦୧୮ ପରଠାରୁ ଏନ୍‌ଆଇଏନ୍‌ଏଲ୍‌ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା। କାରଖାନା ଅଧିକାଂଶ ସମୟ ବନ୍ଦ ରହୁଥିଲା ଓ ଅଳ୍ପ କିଛି ଦିନ ଚାଲୁଥିଲା। ୨୦୨୦ ମାର୍ଚ୍ଚ ପରେ କାରଖାନାରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହା ପରେ ଯୌଥ ‌ଉଦ୍ୟୋଗର ସମସ୍ତ ସଂସ୍ଥାର ସହମତିରେ କଂପାନିର ଅଂଶଧନ ବିକ୍ରି କରିବା ଲାଗି ଭାରତ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ସର୍ବୋଚ୍ଚ ମୂଲ୍ୟର ବିଡ୍ ଦାଖଲ କରି ଟାଟା ଷ୍ଟିଲ୍ ଲଙ୍ଗ୍‌ ପ୍ରଡକ୍ଟସ୍‌ ବିଜୟୀ ହୋଇଥିଲା। ଚଳିତ ବର୍ଷ ଫେବ୍ରୁଆରି ୨ରେ ଲେଟର ଅଫ୍‌ ଆୱାର୍ଡ ଜାରି କରାଯାଇଥିଲା। ମାର୍ଚ୍ଚ ୧୦ରେ ସେୟାର କିଣା ବୁଝାମଣା ସ୍ବାକ୍ଷର ହୋଇଥିଲା। ଏହା ପରେ ସବୁ ପକ୍ଷଙ୍କ ବକେୟା ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର