ସମ୍ଭାଳିବା କଷ୍ଟକର ହେଲାଣି

କଂପାନି ସଂଖ୍ୟା‌ କମାଇବ ଟାଟା, ୧୦୦୦ରୁ ଅଧିକ କଂପାନି ଅଛି

ମୁମ୍ବାଇ: ଟାଟା ଗ୍ରୁପ୍ ଏକ ବିଶାଳ ବ୍ୟବସାୟ ସାମ୍ରାଜ୍ୟ। ଏହା ଅଧୀନରେ ବହୁ ସଂଖ୍ୟାରେ କଂପାନି ରହିଛି। ଏତେ ସଂଖ୍ୟକ କଂପାନିକୁ ସମ୍ଭାଳିବା କଷ୍ଟକର ହେଉଥିବାରୁ, ସହଯୋଗୀ କଂପାନି ସଂଖ୍ୟା କମ୍ କରିବା ଉପରେ ଟାଟା ଗ୍ରୁପ୍ ବିଚାର କରୁଛି। ଟାଟା ସନ୍ସର ମୁଖ୍ୟ ଏନ୍ ଚନ୍ଦ୍ରଶେଖରନ୍ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଟାଟା ଅଧୀନରେ ୧୦୦୦ରୁ ଅଧିକ ସହଯୋଗୀ କଂପାନି ରହିଛି। ଲୁଣ ଠାରୁ ଆରମ୍ଭ କରି ସଫ୍ଟଓୟାର୍‌ ପର୍ଯ୍ୟନ୍ତ କାରବାରରେ ପ୍ରବେଶ କରିଥିବା ଟାଟାର କିଛି କଂପାନି ବହୁତ ଭଲ ବ୍ୟବସାୟ କରୁଥିବା ବେଳେ ଅନ୍ୟ କେତେକ କଂପାନିର କ୍ଷତି ଏହା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କ୍ଷତିରେ ଚାଲୁଥିବା କଂପାନିର ସ୍ଥିତି ସୁଧାରିବା କିମ୍ବା ସେଥିରୁ ଓହରିଯିବାକୁ ଟାଟା ଉଦ୍ୟମ କରୁଛି। ଜାଗୁଆର୍‌ ଲ୍ୟାଣ୍ଡ୍‌ରୋଭର୍‌ କ୍ଷତିରେ ଚାଲୁଥିବାରୁ କଂପାନି ଚିନ୍ତିତ ଅଛି। ଏହାର ସ୍ଥିତି ସୁଧାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିମାନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଥିବା‌ ଟାଟା କଂପାନିଗୁଡ଼ିକର ପ୍ରଦର୍ଶନ ଏତେଟା ଭଲ ନାହିଁ। ଇସ୍ପାତ କାରବାର ଏକ ସମସ୍ୟା ଥିଲା। ମାତ୍ର ସେଥିରେ ସୁଧାର ହୋଇଗଲାଣି। କଂପାନି ପାଇଁ ଚିନ୍ତାର କାରଣ ପାଲଟିଥିବା ୟୁରୋପୀୟ କଂପାନି କୋରସ୍‌କୁ ସଫଳତାର ସହିତ ଥାଇସେନ୍‌କ୍ରୁପ୍ ସହ ମିଶ୍ରଣ କରି ଟାଟା ନିଜ ମୁଣ୍ଡର ବୋଝ ହାଲୁକା କରିଛି। ଟାଟା ଷ୍ଟିଲ୍ ଏବଂ ଇଣ୍ଡିଆନ୍ ହୋଟେଲସ୍‌ ଅଧୀନରେ ଥିବା ତାଜ୍, ଜିଞ୍ଜର୍‌ ଭଳି ହୋଟେଲ୍ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ଟାଟା ପାୱାର, ଟାଟା କମ୍ୟୁନିକେସନ୍ ଏବଂ ଟାଟା କେମିକାଲ୍ସର ସ୍ଥିତି ସୁଧାରିବା ପ୍ରୟାସ ଆରମ୍ଭ ହୋଇଛି। ମୋବାଇଲ୍‌ ଫୋନ୍ କାରବାରରୁ କଂପାନି ସମ୍ପୂର୍ଣ୍ଣ ଓହରିଯିବାକୁ ବସିଛି। ଏହା ବ୍ୟତୀତ ଟାଟା ପେଟ୍ରୋଡାଇନ୍‌ରୁ ମଧ୍ୟ କଂପାନି ସଫଳତାର ସହ ଓହରିଆସିଛି। ନାଟ୍‌ଷ୍ଟିଲ୍‌ରୁ ମଧ୍ୟ ଟାଟା ଓହରି ଆସିଛି।

ଗ୍ରୁପ୍ ଅଧୀନରେ ଥିବା ହଜା‌େରରୁ ଅଧିକ ସହଯୋଗୀ କଂପାନି ସଂଖ୍ୟା କମାଇବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି। କାରଣ ଏହି ସବୁ କଂପାନି ଉପରେ ଟାଟାର ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ। ବିଭିନ୍ନ କଂପାନିର ସ୍ବତନ୍ତ୍ର ବୋର୍ଡ ରହିଛି। ଆଉ କିଛି ଯୌଥ ଉଦ୍ୟୋଗ ମଧ୍ୟ ରହିଛି। କେଉଁ କଂପାନିକୁ କାହା ସହିତ ମିଶାଇଲେ ଭଲ ହେବ ତାହା ପ୍ରଥମେ ଟାଟା ଜାଣିବାକୁ ପ୍ରୟାସ କରିବ। ଏହା ସହିତ ଦୁର୍ବଳ ସ୍ଥିତିରେ ଥିବା କଂପାନିଗୁଡ଼ିକରୁ ନିଜର ଅଂଶଧନ ପରିମାଣ କମ୍ କରି ଦାୟିତ୍ବ ହାଲୁକା କରିବାକୁ ଟାଟା ପ୍ରୟାସ କରିବ। ‌ସହଯୋଗୀ ସଂସ୍ଥା ସଂଖ୍ୟା କମ୍ କରିବା ପାଇଁ ଟାଟାକୁ ଅତି କମ୍‌ରେ ୧୨-୧୮ ମାସ ସମୟ ଲାଗିବ। ଯଦି ଟାଟା ଅଧୀନରେ ଥିବା କଂପାନି ସଂଖ୍ୟା କମିଯିବ ତେବେ ଏହା ସହଜରେ ଖର୍ଚ ଉପରେ ନିୟନ୍ତ୍ରଣ ହାସଲ କରିପାରିବ।

ସମ୍ବନ୍ଧିତ ଖବର