ପାଣ୍ଠି ସଂଗ୍ରହ ପାଇଁ ସମ୍ପତ୍ତି ବିକିବନି ଟାଟା

ମୁମ୍ବାଇ: ପାଣ୍ଠି ବୃଦ୍ଧି ପାଇଁ ଟାଟା ଗ୍ରୁପ୍‌ର ଏବେ ସମ୍ପତ୍ତି ବିକ୍ରି କରିବା ‌ଯୋଜନା ନାହିଁ। କରୋନା ମହାମାରୀ ପାଇଁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଦ୍ବାରା ଉଦ୍ୟୋଗ ‌ଜଗତ ବିଶେଷ ଭାବେ ପ୍ରଭାବିତ ହୋଇଛି। ତେବେ ଟାଟା ଗ୍ରୁପ୍‌ କମ୍ପାନି ଟାଟା ସନ୍ସ ଲିମିଟେଡ ସମ୍ପତ୍ତି ବିକ୍ରି କରି ପାଣ୍ଠି ସଂଗ୍ରହ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛି। କମ୍ପାନି ନିକଟରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି। ମାର୍ଚ୍ଚ ୨୫ ତାରିଖରୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଜନିତ ଆହ୍ବାନକୁ ସମ୍ମୁଖୀନ ହେବାପାଇଁ କମ୍ପାନି ନିକଟରେ ଆବଶ୍ୟକ ପାଣ୍ଠି ରହିଛି।

ଶୁକ୍ରବାର କମ୍ପାନିର ବୋର୍ଡ ବୈଠକ ପରେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଟାଟା ସନ୍ସର ଆର୍ଥିକ ସ୍ଥିତି ଦୃଢ଼ ରହିଛି। ତେଣୁ ପୁଞ୍ଜି ସଂଗ୍ରହ ପାଇଁ କମ୍ପାନି ସମ୍ପତ୍ତି ବିକ୍ରି ଯୋଜନା ରଖିନାହିଁ। କମ୍ପାନି ଉପରେ ଲକ୍‌ଡାଉନ୍‌ର ପ୍ରଭାବ କେତେ ରହିଛି ତାହାର ସମୀକ୍ଷା କରିବା ପାଇଁ ଏହା ଏକ ନିୟମିତ ବୋର୍ଡ ବୈଠକ ଥିଲା ବୋଲି ଅଧିକାରୀମାନେ କହିଛନ୍ତି। ବୋର୍ଡ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ପ୍ରସଙ୍ଗରେ କିଛି ନିର୍ଯ୍ୟାସ ବାହାରି ନଥିଲା ବୋଲି ଅଧିକାରୀମାନେ ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି। ଟାଟା ମୋଟର୍ସ ଲିମିଟେଡ ଏବେ ସାଂଘାତିକ ଅସୁବିଧା ଦେଇ ଗତି କରୁଛି। ଏଥିସହିତ ଗ୍ରୁପ୍‌ର ବିଳାସପୂର୍ଣ୍ଣ କାର କମ୍ପାନି ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ବ୍ରିଟିସ ସରକାରଙ୍କ ଠାରୁ ୧ ବିଲିଅନ ପାଉଣ୍ଡ ପ୍ୟାକେଜ ଦାବିରେ ଆଲୋଚନା ଚାଲିଛି। ଏଥିସହିତ ଲକ୍‌ଡାଉନ୍ ପାଇଁ ଗ୍ରୁପ୍ କମ୍ପାନି ଟାଟା ଷ୍ଟିଲ ଓ ଏୟାର ଭିସ୍ତାରା ଆଦି ମଧ୍ୟ ଅସୁବିଧା‌େରେ ଅଛନ୍ତି। ତେବେ ବୋର୍ଡ ବୈଠକ ପରେ ଟାଟା ସନ୍ସ ପକ୍ଷରୁ କୁହାଯାଇଛି, କରୋନା ମହାମାରୀ ପରେ ଦେଖାଦେଇଥିବା ଅର୍ଥନୈତକ ପରିସ୍ଥିତି ପାଇଁ ଉଭୟ ଆହ୍ବାନ ଓ ସୁଯୋଗ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର