ମୋବାଇଲ୍‌ରୁ ଟାଟା ଡୋକୋମୋ ଟାଓ୍ଵାର ଉଭାନ:ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର: ଟାଟା ଡୋକୋମୋ ଗ୍ରାହକମାନଙ୍କ ମୋବାଇଲ୍‌ରୁ ହଠାତ୍‌ ଟାଓ୍ଵାର ଉଭାନ୍‌ ହୋଇଯାଇଛି। ଅନେକ ଗ୍ରାହକ ଏଭଳି ସମସ୍ୟା ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି। ଟାଓ୍ଵାର ନଥିବାରୁ ସେମାନେ ନିଜ ମୋବାଇଲ୍‌କୁ ବ୍ୟବହାର କରିପାରୁନାହାନ୍ତି। ବହୁ ଦିନରୁ ଗୋଟିଏ ନମ୍ବର ବ୍ୟବହାର କରୁଥିବା ଗ୍ରାହକମାନେ ପୋର୍ଟିଂ କରି ଅନ୍ୟ ନେଟ୍‌ଓ୍ଵର୍କକୁ ଚାଲିଯିବାକୁ ଚାହୁଁଛନ୍ତି। କିନ୍ତୁ ସେହି ସୁବିଧା ମଧ୍ୟ ସେମାନଙ୍କୁ ମିଳୁନାହିଁ।
କଂପାନିର କଷ୍ଟମର୍‌ କେୟାର ସହିତ ଯୋଗାଯୋଗ କରିବା ସମ୍ଭବପର ହେଉନାହିଁ। ଅନ୍ୟ କୌଣସି ନମ୍ବରରୁ ଟାଟା ଡୋକୋମୋର କଷ୍ଟମର୍‌ କେୟାର ନମ୍ବର ୧୮୬୦ ୨୬୬ ୫୫୫୫ ଡାଏଲ୍‌ କଲେ କଷ୍ଟମର୍‌ କେୟାର ଏକ୍‌ଜିକ୍ୟୁଟିଭ୍‌୍‌ଙ୍କ ସହ କଥାବାର୍ତା ସମ୍ଭବ ହେଉନାହିଁ। କିଛି ଗ୍ରାହକ ସ୍ଥାନୀୟ ରିଚାର୍ଜ ଦୋକାନଗୁଡ଼ିକରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେମାନେ ବିଫଳ ହୋଇଛନ୍ତି। କେଉଁ କାରଣ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି ସେ ବିଷୟରେ କଂପାନି ପକ୍ଷରୁ ଗ୍ରାହକଙ୍କୁ କୌଣସି ସୂଚନା ଦିଆଯାଇନାହିଁ।
କଂପାନିର ଫର୍ଚୁନ୍‌ ଟାଓ୍ଵାର କାର୍ଯ୍ୟାଳୟରେ କାମ କରୁଥିବା ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଏଭଳି ସମସ୍ୟା ହେଉଛି ବୋଲି ଆମ ପାଖରେ କିଛି ଗ୍ରାହକଙ୍କ ଅଭିଯୋଗ ପହଞ୍ଚିଛି। ସେଗୁଡ଼ିକୁ ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ କିଛି ନିର୍ଦିଷ୍ଟ ହ୍ୟାଣ୍ଡସେଟ୍‌ରେ ଆମ ସିମ୍‌ କାମ କରୁନାହିଁ। ହ୍ୟାଣ୍ଡସେଟ୍‌ ବଦଳାଇବା ପରେ ସିମ୍‌ ପୂର୍ବଭଳି କାମ କରୁଛି। ମାତ୍ର, କିଛି ଗ୍ରାହକ ହ୍ୟାଣ୍ଡସେଟ୍‌ ବଦଳାଇବା ପରେ ମଧ୍ୟ ସିମ୍‌ କାମ କରୁ ନଥିବା ଅଭିଯୋଗ କରୁଛନ୍ତି। ଟାଓ୍ଵାର ଉଭାନ୍‌ ସମସ୍ୟାର ବିଭିନ୍ନ କାରଣ ରହିଛି ବୋଲି ସେ କହିଛନ୍ତି। କିଛି ମାମଲାରେ ହ୍ୟାଣ୍ଡସେଟ୍‌ ଦାୟୀ ରହିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ନେଟ୍‌ଓ୍ଵର୍କ ଅପ୍‌ଗ୍ରେଡ୍‌ କରାଯାଉଥିବାରୁ ସାମୟିକ ସମସ୍ୟା ଦେଖାଦେଉଛି। ଫାଇବର୍‌ ଅପ୍‌ଟିକ୍‌ ବିଛାଯାଉଥିବାରୁ ମଧ୍ୟ କିଛି ସ୍ଥାନର ଗ୍ରାହକମାନେ ସମସ୍ୟା ସାମ୍ନା କରୁଥିବା ସେ କହିଛନ୍ତି। ଟାଟା ଡୋକୋମୋ ସେବା ଠିକ୍‌ ଭାବେ ଚାଲିଛି। ଏହାର ସେବା ବନ୍ଦ ହେବ ନାହିଁ ବୋଲି ସେ ଦୃଢ଼ତାର ସହିତ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଟାଟା ଟେଲି ସର୍ଭିସେସ୍‌ର ଏୟାରଟେଲ୍‌ ସହିତ ମିଶ୍ରଣ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏୟାରଟେଲ୍‌ର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଟାଟା ଡୋକୋମୋର ଯେଉଁ ଗ୍ରାହକମାନଙ୍କ ଟାଓ୍ଵାର ଉଭାନ୍‌ ହୋଇଯାଇଛି ସେମାନେ ମାନୁଆଲ୍‌ ସର୍ଚ କରି ଏୟାରଟେଲ୍‌ ନେଟ୍‌ଓ୍ଵର୍କକୁ ଚୟନ କରିପାରିବେ। ଏୟାରଟେଲ୍‌ ନେଟ୍‌ଓ୍ଵର୍କକୁ ଆସିଯିବା ପରେ ନମ୍ବରକୁ ପୋର୍ଟିଂ କରିପାରିବେ। ତେବେ ମାନୁଆଲ୍‌ ନେଟଓ୍ଵର୍କ ସର୍ଚରେ ମଧ୍ୟ ସମସ୍ୟା ଦେଖାଦେଉଥିବା ଜଣାପଡ଼ିଛି।
ଟାଟା ଡୋକୋମୋ ସମସ୍ୟା ବିଷୟରେ ରିଚାର୍ଜ ଦୋକାନିମାନେ କହିଛନ୍ତି ଯେ ଏଭଳି ସମସ୍ୟା ହେଉଛି ବୋଲି ଆମେ ଜାଣିନାହୁଁ। କିନ୍ତୁ ଟାଟାର ରିଚାର୍ଜ କରୁଛୁ। ରିଚାର୍ଜ କରିବାରେ କୌଣସି ଅସୁବିଧା ହେଉନାହିଁ ବୋଲି ସେମାନେ କହିଛନ୍ତି। କିଛି ନିର୍ଦିଷ୍ଟ ଗ୍ରାହକ ଟାଓ୍ଵାର ସମସ୍ୟା ଦେଇ ଗତି କରୁଥାଇପାରନ୍ତି ବୋଲି ସେମାନେ କହିଛନ୍ତି। ଚଳିତ ବର୍ଷ ମାର୍ଚ ମାସରେ ଓଡ଼ିଶାରେ ଟାଟା ଟେଲି ଗ୍ରାହକ ସଂଖ୍ୟା୯୯,୦୨୭ ଥିଲା। ଫେବ୍ରୁଆରିରୁ ମାର୍ଚ ଭିତରେ ୮୫,୦୨୨ ଜଣ ଗ୍ରାହକ ଟାଟା ନେଟ୍‌ଓ୍ଵର୍କରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର