୫ ରାଜ୍ୟରେ କର୍କଟରୋଗ ଚିକିତ୍ସାଳୟ ବିକାଶ ପାଇଁ ଟାଟା ଦେବ ୧୦୦୦ କୋଟି

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ କର୍କଟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଟାଟା ଟ୍ରଷ୍ଟ ୧୦୦୦ କୋଟି ଟଙ୍କା ଯୋଗାଇ ଦେବ। ଏଥିସହିତ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରିବ। ଏଥିଯୋଗୁଁ ଦୂରଦୂରାନ୍ତର କର୍କଟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇବା ପାଇଁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରକୁ ଆସି ଅଧିକ ଖର୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଟାଟା ଟ୍ରଷ୍ଟ ପକ୍ଷରୁ ଯେଉଁସବୁ ରାଜ୍ୟକୁ ସହାୟତା ଯୋଗାଇ ଦିଆଯିବ ସେଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶ, ଆସାମ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସବୁ ରାଜ୍ୟରେ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ବିକାଶ ପାଇଁ ଉଦ୍ୟମ କରୁଛନ୍ତି। ଦେଶରେ ଲୋକମାନଙ୍କୁ କମ୍‌ ଖର୍ଚ୍ଚରେ କର୍କଟ ରୋଗର ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ରତନ ଟାଟା ଆଗ୍ରହ ପ୍ରକାଶ କରିବା ସହିତ ଟାଟା ଗ୍ରୁପ୍‌ କମ୍ପାନି ଗୁଡ଼ିକ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଅଧିକ ଅର୍ଥ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୧୦୦୦ କୋଟି ଟଙ୍କା ମଧ୍ୟରୁ ଟାଟା ଟ୍ରଷ୍ଟ ଗୌହାଟିରେ କ୍ୟାନସର କେୟାର ଇନ୍‌ଷ୍ଟିଚ୍ୟୁଟର ଆଧୁନିକୀକରଣ ପାଇଁ ୫୪୦ କୋଟି ଟଙ୍କା ଯୋଗାଇ ଦେବ। ସେହିଭଳି ରାଜସ୍ଥାନରେ ଏକ ନୂଆ ଚିକିତ୍ସାଳୟ ସ୍ଥାପନ ଲାଗି ୨୦୦ କୋଟି ଟଙ୍କା ଯୋଗାଇ ଦେବ। ଏତଦ୍‌ବ୍ୟତୀତ ରାଞ୍ଚିରେ ଟାଟା ଟ୍ରଷ୍ଟକୁ ଚିକିତ୍ସାଳୟ ସ୍ଥାପନ ନିମନ୍ତେ ୨୩.୫ ଏକର ଜମି ମିଳିବ। ବାରଣାସୀରେ ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ ରିସର୍ଚ ସେଣ୍ଟରର ଆଧୁନିକୀକରଣ ଟାଟା ଟ୍ରଷ୍ଟ କରିବ। ଆନ୍ଧ୍ର ପ୍ରଦେଶର ତିରୁମାଳାଠାରେ ଏକ ନୂଆ ଚିକିତ୍ସାଳୟ ସ୍ଥାପନ ନିମନ୍ତେ ତିରୁପତି ବାଲାଜୀ ମନ୍ଦିର ଟ୍ରଷ୍ଟ ୨୫ ଏକର ସ୍ଥାନ ଯୋଗାଇ ଦେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର