ନୂଆଦିଲ୍ଲୀ: ଗତ ଦଶକରେ ରତନ ଟାଟାଙ୍କ କଂପାନି ଟାଟା ଗ୍ରୁପ୍ ଦୁଇଟି ବଡ଼ ବିଦେଶୀ କଂପାନିକୁ ଅଧିଗ୍ରହଣ କରି ସାରା ବିଶ୍ବରେ ଭାରତ ପାଇଁ ଗୌରବ ଆଣିଥିଲା। ଅନେକ ବଡ଼ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ଟାଟା ସମସ୍ତଙ୍କୁ ଚମକାଇ ଦେଇଥିଲା। ବ୍ରିଟେନ୍ର କୋରସ୍ ଷ୍ଟିଲ୍ ଓ ଜାଗୁଆର୍ ଲ୍ୟାଣ୍ଡ୍ରୋଭର୍ ଅଧିଗ୍ରହଣ ଟାଟା ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟ ଥିଲା। ଏହି ଦୁଇ କଂପାନିକୁ କିଣିବା ପାଇଁ ଟାଟା ଗ୍ରୁପ୍ ବିପୁଳ ପରିମାଣର ପୁଞ୍ଜି ଖଟାଇଥିଲା। ସେହି ଦୁଇ କଂପାନି ଏବେ ଟାଟା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କୋରସ୍ ଷ୍ଟିଲ୍କୁ ଅଧିଗ୍ରହଣ କରିବା ବେଳେ ଅନେକ ବିଶେଷଜ୍ଞ ଟାଟାକୁ ସତର୍କ କରାଇଥିଲେ। କିନ୍ତୁ ଟାଟା ସେମାନଙ୍କ କଥା ଶୁଣିନଥିଲା। ଯଦି ବିଶେଷଜ୍ଞଙ୍କ କଥାକୁ କଂପାନି ଶୁଣିଥାନ୍ତା ତେବେ ବିପୁଳ ପରିମାଣର କ୍ଷତି ସହିବାରୁ ବଞ୍ଚିଯାଇଥାନ୍ତା। କୋରସ୍କୁ କିଣିବା ପରେ ତାହାର ନାମ ବଦଳାଇ ଟାଟା ଷ୍ଟିଲ୍ ୟୁରୋପ ରଖାଯାଇଥିଲା। କୋରସ୍ କେବେବି ଟାଟା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇନଥିଲା। କଂପାନି ବହୁତ ଚେଷ୍ଟା କରିଥିଲେ ମଧ୍ୟ କୋରସ୍ ସମସ୍ୟାକୁ ସୁଧାରି ପାରିନଥିଲା। ଏହାକୁ ବିକ୍ରି କରି ଋଣ ବୋଝ ହାଲୁକା କରିବାକୁ ଟାଟା ଗ୍ରୁପ୍ ଉଦ୍ୟମ ଆରମ୍ଭ କରିଛି। ୨୦୦୮ରେ ଫୋର୍ଡ ମାଲିକାନାରେ ଥିବା ବ୍ରିଟେନ୍ର ଦୁଇ ବିଳାସପୂର୍ଣ୍ଣ କାର୍ ବ୍ରାଣ୍ଡ୍ ‘ଜାଗୁଆର୍ ଓ ଲ୍ୟାଣ୍ଡ୍ରୋଭର୍ (ଜେଏଲ୍ଆର୍)’କୁ ଟାଟା ଗ୍ରୁପ୍ କିଣିଥିଲା। ଯେଉଁ କଂପାନିକୁ ଫୋର୍ଡ ଭଳି ବିଶ୍ବ ସ୍ତରୀୟ ସଂସ୍ଥା ସମ୍ଭାଳି ପାରିନଥିଲା ସେଭଳି ଏକ କଂପାନିକୁ କିଣି ଟାଟା ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାବସାୟିକ ସଫଳତା ହାସଲ କରିଥିଲା। କାର୍ ବଜାରରେ ଟାଟା ମୋଟର୍ସର ଭାଗ୍ୟକୁ ଜେଏଲ୍ଆର୍ ବଦଳାଇ ଦେଇଥିଲା। ଏବେ କିନ୍ତୁ ସେହି ସଂସ୍ଥା ଟାଟା ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଜେଏଲ୍ଆର୍ ପାଇଁ ଟାଟା ବିପୁଳ ପରିମାଣର କ୍ଷତି ସହୁଛି।