ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଗୁରୁବାରଦିନ କେନ୍ଦ୍ର ସରକାର ଟାଟା ଗ୍ରୁପକୁ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରିବେ । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାରଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିବ ।
ତେବେ ଏହା ପୂର୍ବରୁ ଏୟାର ଇଣ୍ଡିଆର ଏକ ନିର୍ଦ୍ଦେଶକୁ ନେଇ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । କାରଣ ଏୟାର ଇଣ୍ଡିଆ ଏହି ଆଦେଶ ଅନୁସାରେ କ୍ୟାବିନ କ୍ରୁ ସଦସ୍ୟମାନଙ୍କ ବିଏମଆଇ ( ବଡି ମାସ ଇଣ୍ଡେକ୍ସ ) ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଏମଆଇ ସାଧାରଣତଃ ଗୋଟିଏ ଲୋକ କେତେ ମୋଟା ତାହା ଜଣାପଡ଼େ । ଏଣୁ ସରଳ ଭାଷାରେ କହିଲେ ମୋଟା କ୍ୟାବିନ କ୍ରୁମାନଙ୍କୁ ବିମାନରେ ପ୍ରବେଶ ଉପରେ କଟକଣା ଲଗାଯାଇପାରେ । ଏହା ହିଁ କର୍ମଚାରୀମାନଙ୍କୁ ଚିନ୍ତିତ କରିଛି । ଏହା ବିରୋଧରେ ଏୟାର ଇଣ୍ଡିଆର ୨ଟି ୟୁନିଅନ ପ୍ରତିବାଦ ଆରମ୍ଭ କରିଛନ୍ତି । ଏହି ନିର୍ଦ୍ଦେଶ ଡିଜିସିଏ ନିୟମର ଉଲ୍ଲଙ୍ଘନ ବୋଲି ସେମାନେ କହୁଛନ୍ତି ।
ଗତ ବର୍ଷ ଅକ୍ଟୋବର ମାସରେ ଟାଟା ଗ୍ରୁପ ୧୮ ହଜାର କୋଟି ବିନିମୟରେ ଏୟାର ଇଣ୍ଡିଆ ନିଲାମ ଜିତିଥିଲା । ନିଲାମ ପାଇଁ ରଖାଯାଇଥିବା ସର୍ତ୍ତ ଅନୁସାରେ ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଟାଟା ନିଜ ପାଖରେ ରହିବ। ଦ୍ବିତୀୟ ବର୍ଷ ଠାରୁ ଏହା ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍ଏସ୍) ଘୋଷଣା କରିପାରିବ। ଏୟାର ଇଣ୍ଡିଆକୁ କିଣିବା ଲାଗି ଟାଟା ଯେଉଁ ୧୮ ହଜାର କୋଟି ଟଙ୍କା ଦେବ, ତାହାର ୧୫% ରାଶି ସରକାରଙ୍କ ଖାତାକୁ ଯିବ। ବଳକା ଟଙ୍କା କଂପାନିର ଋଣ ଶୁଝିବା ଲାଗି ବ୍ୟବହାର କରାଯିବ।