ଏୟାର ଇଣ୍ଡିଆକୁ କିଣିବା ପାଇଁ ସହଯୋଗୀ ଖୋଜୁଛି ଟାଟା, ବିଦେଶରେ ୫ଟି କାର୍ଯ୍ୟାଳୟ ବନ୍ଦ କରିବ ଏୟାର ଇଣ୍ଡିଆ

ମୁମ୍ବାଇ: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ କିଣିବା ଲାଗି ଟାଟା ଗ୍ରୁପ୍ ଏକ ଆର୍ଥିକ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବାକୁ ଚାହୁଛି। ବିଡ୍‌ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୩୧ ହୋଇଥିବାରୁ ତା’ ପୂର୍ବରୁ ସହଯୋଗୀ ଖୋଜି ବିଡ୍‌ ଦାଖଲ କରିବାକୁ ଟାଟା ଗ୍ରୁପ୍ ଯୋଜନା ରଖିଛି। ଯୋଜନା ଅନୁସାରେ ଆର୍ଥିକ ସଂ‌ସ୍ଥାକୁ କିଛି ଅଂଶଧନ ଦେଇ ଟାଟା ଏକ ସ୍ପେସିଆଲ୍‌ ପରପସ୍ ଭେଇକିଲ୍‌ (ଏସ୍‌ପିଭି) ଗଠନ କରିବାକୁ ଚାହୁଛି। ଟାଟା ଏବେ ଭାରତରେ ଦୁଇଟି ବିମାନ କଂପାନି ଏୟାର ଏସିଆ ଇଣ୍ଡିଆ ଓ ଭିସ୍ତାରାର ପରିଚାଳନା କରୁଛି। ଯେହେତୁ ବିମାନ କଂପାନିର ଦେଖାଶୁଣା କରିବାରେ ଟାଟାର ଅଭିଜ୍ଞତା ରହିଛି ତେଣୁ କେତେକ ପ୍ରାଇଭେଟ୍ ଇକ୍ବିଟି ଫଣ୍ଡ୍‌ ଓ ଆମେରିକାର ଫଣ୍ଡ୍‌ ହାଉସ୍‌ ଟାଟା ସହ ସହଯୋଗିତା ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛନ୍ତି। ଏୟାର ଇଣ୍ଡିଆ ପାଇଁ ବିଡ୍‌ ଦାଖଲ କରିବା ଲାଗି ଟାଟା ଏକ ଆର୍ଥିକ ସଂସ୍ଥାର ସହଯୋଗ ଖୋଜିବା ପଛର କାରଣ ହେଉଛି ଆଡଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ବାବଦ ଦେୟ।

ପୂର୍ବରୁ ଟାଟା ଟେଲି ସର୍ଭିସେସ୍‌ ନାମରେ କଂପାନି ଟେଲିକମ୍ ବ୍ୟବସାୟରେ ସକ୍ରିୟ ଥିଲା ଯାହା ଏବେ ବନ୍ଦ ହୋଇଯାଇଛି। ତେବେ ଯେଉଁ କିଛି ବର୍ଷ ଟାଟା ଟେଲି କାରବାର କରିଥିଲା ତା’ ବାବଦରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏଜିଆର ବାବଦ ଦେୟ ଦେବାକୁ ପଡ଼ିବ। ସେଥିପାଇଁ ଟାଟା କିଛି ପାଣ୍ଠି ଅଲଗା ରଖିଛି। ଟାଟା ଏକାକୀ ଏୟାର ଇଣ୍ଡିଆକୁ କିଣିପାରିବ। ସେଥିପାଇଁ କଂପାନି ପାଖରେ ଅର୍ଥ ବଳ ରହିଛି। ମାତ୍ର ଏକ ବିଶ୍ବ ସ୍ତରୀୟ ଆର୍ଥିକ ସଂସ୍ଥାର ଅଭିଜ୍ଞତାକୁ ନେଇ ଆଗକୁ ବଢ଼ିବା ବେଶି ଭଲ ହେବ ବୋଲି ଟାଟା ଭାବୁଛି। ଚଳିତ ବର୍ଷ ଏପ୍ରିଲ୍‌ରେ ଟାଟା ସନ୍ସ ଓ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ଭାବେ ଭିସ୍ତାରାରେ ୫୦୦ କୋଟି ଟଙ୍କା ନିବେଶ କରିଥିଲେ। ଏୟାର ଏସିଆରୁ ସମ୍ପୂର୍ଣ୍ଣ ବାହାରିଯିବା ବିଷୟରେ ମଧ୍ୟ ଟାଟା ବିଚାର କରୁଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ବିଦେଶରେ ଏହାର ୫ଟି କାର୍ଯ୍ୟାଳୟକୁ ବନ୍ଦ କରିବ। କରୋନା ମହାମାରୀ ଯୋଗୁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏଥିଯୋଗୁ ଏୟାର ଇଣ୍ଡିଆ କ୍ଷତି ସହି ଚାଲିଛି। ତେଣୁ କ୍ଷତିକୁ କମ୍ କରିବା ପାଇଁ ଏୟାର ଇଣ୍ଡିଆ ଡେନମାର୍କର କୋପେନହେଗେନ, ସ୍ବିଡେନର ଷ୍ଟକହୋମ, ସ୍ପେନର ମାଦ୍ରିଦ ଆଦି କାର୍ଯ୍ୟାଳୟକୁ ବନ୍ଦ କରିବ। ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଭାରତକୁ ଫେରାଇ ଆଣିବ। କରୋନା ମହାମାରୀ ଆରମ୍ଭ ପୂର୍ବରୁ ଏସବୁ ସ୍ଥାନରୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଭରୁଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖି କମ୍ପାନି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର