ନୂଆଦିଲ୍ଲୀ: ଭାରତର ଗୋଟିଏ କମ୍ପାନିର ମୂଲ୍ୟ ଯେତିକି ସମଗ୍ର ପାକିସ୍ତାନ ଅର୍ଥନୀତି ସେତିକି ବଡ଼ ନୁହେଁ। ପୂରା ପାକିସ୍ତାନଠାରୁ ଟାଟା ଗ୍ରୁପ୍ ହେଉଛି ବଡ଼। ରତନ ଟାଟାଙ୍କ ଅଧୀନରେ ପରିଚାଳିତ ହେଉଥିବା ଟାଟା ‌ଗ୍ରୁପ୍‌ର କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩୬,୫୦୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍‌)ର ଆକଳନ ଅନୁସାରେ ପାକିସ୍ତାନ ଅର୍ଥନୀତିର ମୂଲ୍ୟ ଏହାଠାରୁ କମ୍ ଅର୍ଥାତ ୩୪,୧୦୦ କୋଟି ଡଲାର ରହିଛି। ଟାଟାର ଗୋଟିଏ କମ୍ପାନି ଟିସିଏସ୍‌ର ମୋଟ ବଜାର ପୁଞ୍ଜି ହେଉଛି ୧୭,୦୦୦ କୋଟି ଡଲାର ଯାହା ସମଗ୍ର ପାକିସ୍ତାନ ଅର୍ଥନୀତିର ପ୍ରାୟ ଅଧା। ଗତ ଏକ ବର୍ଷ ଭିତରେ ଟାଟାର ୮ଟି କମ୍ପାନିର ବଜାର ପୁଞ୍ଜି ପରିମାଣ ଦ୍ବିଗୁଣିତ ହୋଇଛି। ଟାଟା ମୋଟର୍ସ, ଟ୍ରେଣ୍ଟ, ଟାଇଟାନ୍, ଟିସିଏସ୍‌ ଓ ଟାଟା ପାୱାର ଭଲ ପ୍ରଦର୍ଶନ କରିଛନ୍ତି। ଟିଆର୍‌ଏଫ୍‌, ବନାରସ ହୋଟେଲ୍‌ସ, ଟାଟା ଇନ‌ଭେଷ୍ଟମେଣ୍ଟ କର୍ପୋରେସନ, ଟାଟା ମୋଟର୍ସ, ଅଟୋମୋବାଇଲ୍ କର୍ପୋରେସନ ଅଫ୍ ଗୋଆ ଓ ଆର୍ଟସନ୍ ଇଞ୍ଜିନିୟରିଂ ଭଲ ପ୍ରଦର୍ଶନ କରିଛନ୍ତି। ଟାଟା କ୍ୟାପିଟାଲ୍‌ ଆସନ୍ତା ବର୍ଷ ଷ୍ଟକ୍‌ବଜାରରେ ପ୍ରବେଶ କରିବା ଯୋଜନା ରଖିଛି। ତେବେ, କରୋନା ମହାମାରୀ ପରେ ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଛି। ବୈଦେଶିକ ମୁଦ୍ରାର ଅଭାବ ଦେଇ ଏହା ଗତି କରୁଥିବା ବେଳେ ତିଷ୍ଠି ରହିବା ଲାଗି ଏହା ଆଇଏମ୍ଏଫ୍‌, ୟୁଏଇ, ସାଉଦି ଆରବ ଓ ଚୀନ୍‌ ଆଦିର ଦ୍ବାରସ୍ଥ ହୋଇଛି। ଭିତ୍ତିଭୂମି ପ୍ରକଳ୍ପ ବିକାଶ ଲାଗି ଚୀନ୍‌ଠାରୁ ନେଇଥିବା ଋଣ ପାଇଁ ପାକିସ୍ତାନ ଆଜି ଏଭଳି ଦଶା ଭୋଗୁଥିବା କୁହାଯାଉଛି।