ଉପଗ୍ରହ ଇଣ୍ଟରନେଟ୍ ସେବା ଆରମ୍ଭ କରିବ ଟାଟା

ନୂଆଦିଲ୍ଲୀ: ଉପଗ୍ରହ ମାଧ୍ୟମରେ ଦ୍ରୁତ ଗତିର ଇଣ୍ଟରନେଟ୍ ସେବା ପ୍ରଦାନ କରିବା କ୍ଷେତ୍ରରେ ଟାଟା ଗ୍ରୁପ୍ ପ୍ରବେଶ କରିଛି। ଟାଟା ଗ୍ରୁପ୍‌ର ଏକ ସଂସ୍ଥା ନେଲ୍‌କୋ ପକ୍ଷରୁ ଏ ନେଇ କାନାଡାର କଂପାନି ଟେଲିସାଟ୍ ସହିତ ଆଲୋଚନା କରାଯାଉଛି। ଏହି ଆଲୋଚନା ସଫଳ ହେଲେ ଟେଲିସାଟ୍‌ର ଲାଇଟ୍‌ସ୍ପିଡ୍ ବ୍ରାଣ୍ଡ୍ ଭାରତ ଆସିବ। ଏହା ସିଧାସଳଖ ଭାରତୀ ଏୟାରଟେଲ୍‌ର ୱାନ୍‌ୱେବ୍, ଆମାଜନ୍‌ର ପ୍ରୋଜେକ୍ଟ କୁଇପର୍ ଓ ଏଲନ୍ ମସ୍କଙ୍କ ସ୍ପେସ୍‌ ଏକ୍ସ ସହ ପ୍ରତିଦ୍ବନ୍ଦ୍ବିତା କରିବ।

ନେଲ୍‌କୋର ଏମ୍‌ଡି ପିଜେ ନାଥ କହିଛନ୍ତି ଯେ ଟେଲିସାଟ୍‌ ସହ ସ୍ବାକ୍ଷର ହେବାକୁ ଥିବା ବାଣିଜ୍ୟିକ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଟେଲିସାଟ୍‌ ସହିତ କୌଣସି ‌ଅଲଗା ଯୌଥ ଉଦ୍ୟୋଗ ସ୍ଥାପନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୱାନ୍‌ୱେବ୍, ଆମାଜନ୍‌ ଓ ସ୍ପେସ୍‌ଏକ୍ସ ଭାରତରେ ଉପଗ୍ରହ ବ୍ରଡ୍‌ବ୍ୟାଣ୍ଡ୍ ସେବା କ୍ଷେତ୍ରରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। ଟେଲିସାଟ୍ ପକ୍ଷରୁ ଭାରତରେ ୨୮ ଗିଗାହର୍ଜ ବ୍ୟାଣ୍ଡ୍‌ରେ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରାଯିବ। ଯେହେତୁ ଭାରତର ଗ୍ରାମାଞ୍ଚଳରେ ବାସ କରୁଥିବା ୭୫% ଲୋକଙ୍କ ପାଖରେ ବ୍ରଡ୍‌ବ୍ୟାଣ୍ଡ୍ ଇଣ୍ଟରନେଟ୍ ପହଞ୍ଚିପାରିନାହିଁ ସେଥିପାଇଁ ଭାରତକୁ ଉପଗ୍ରହ ଇଣ୍ଟରନେଟ୍‌ ସେବା ପାଇଁ ଏକ ବଡ଼ ବଜାର ଭାବେ ବିଚାର କରାଯାଉଛି। ଏହି ବଜାରର ଭାଗ ବସାଇବା ଲାଗି ବିଶ୍ବର ଅଗ୍ରଣୀ କଂପାନିଗୁଡ଼ିକ ଆଗଭର ରହିଛନ୍ତି। ଏଭଳି ସ୍ଥିତିରେ ଲୋ ଅର୍‌ବିଟ୍‌ ସାଟେଲାଇଟ୍‌ (ଏଲ୍‌ଇଓ) ଜରିଆରେ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବା ଏକ ଉପଯୁକ୍ତ ବିକଳ୍ପ ବୋଲି ବିଚାର କରାଯାଉଛି।

ଟେଲିସାଟ୍‌ ୮୦୦ କୋଟି ଡଲାର ନିବେଶ କରି ୨୯୮ ଏଲ୍‌ଇଓ ସାଟେଲାଇଟ୍‌କୁ ନେଇ ଏକ ନେଟ୍‌ୱର୍କ ସ୍ଥାପନ କରିବ। ୨୦୨୪ ସୁଦ୍ଧା ଭାରତରେ ଏହା ନିଜର ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ୱାନ୍‌ୱେବ୍ ଓ ସ୍ପେସ୍‌ଏକ୍ସ ଆସନ୍ତା ବର୍ଷ ଠାରୁ ଉପଗ୍ରହ ଇଣ୍ଟରନେଟ୍ ସେବା ପ୍ରଦାନ କରିବେ। ଟେଲିସାଟ୍ ସହ ମିଶି ଟାଟା ପକ୍ଷରୁ ମୁଖ୍ୟତଃ ବ୍ୟବସାୟ ଜଗତର ଆବଶ୍ୟକତା ପୂରଣ କରିବା ଲାଗି ସେବା ପ୍ରଦାନ କରାଯିବ। ଏହା ବ୍ୟତୀତ ଦୁର୍ଗମ ଗ୍ରାମଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗ ପ୍ରଦାନ କରିବା ଉପରେ ଏହା କାର୍ଯ୍ୟ କରିବ। ଉପଗ୍ରହ ଇଣ୍ଟରନେଟ୍ ସେବା ଲାଗି ରହିଥିବା ସ୍ପେସ୍‌କମ୍ ନୀତି ଚୂଡ଼ାନ୍ତ ହୋଇଯିବା ପରେ କଂପାନି ବୈଧାନିକ ମଞ୍ଜୁରି ଲାଗି ଆବେଦନ କରିବାକୁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର