ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ଟାଟା-ମିସ୍ତ୍ରୀ ଲଢ଼େଇ

ନୂଆଦିଲ୍ଲୀ: ଟାଟା କମ୍ପାନିର ଅଧ୍ୟକ୍ଷ ପଦରୁ ସାଇରସ୍‌ ମିସ୍ତ୍ରୀଙ୍କୁ ବିଦା କରିବା ମାମଲା ଏବେ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। ସାଇରସ୍ ମିସ୍ତ୍ରୀଙ୍କୁ କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ପୁନଃଅବସ୍ଥାପିତ କରିବା ପାଇଁ ଗତମାସ ୧୮ ତାରିଖରେ ରାଷ୍ଟ୍ରୀୟ କମ୍ପାନି ବିଧି ଅପିଲ ପ୍ରାଧିକରଣ (ଏନସିଏଲଏଟି) ଦେଇଥିବା ରାୟକୁ ଟାଟା ସନ୍ସ ପକ୍ଷରୁ ଚାଲେଞ୍ଜ କରାଯାଇଛି। ଆଜି ଏ ନେଇ ଟାଟା ସନ୍ସ ‌ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ମଗାଯାଇଛି। ସାଇରସ୍‌ଙ୍କୁ କମ୍ପାନିରୁ ବିଦା କରାଯିବାର ପ୍ରାୟ ୩ ବର୍ଷ ପରେ ଏନସିଏଲଏଟି ତାଙ୍କୁ ପୁନଃଅବସ୍ଥାପିତ କରିବାର ରାୟ ଦେବା ପରେ କର୍ପୋରେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଥିଲା। ଟାଟା ସନ୍ସ ପକ୍ଷରୁ କେବଳ ସାଇରସ ମିସ୍ତ୍ରୀଙ୍କୁ ପୁନର୍ବାର ପଦରେ ଅବସ୍ଥାପିତ କରିବା ପାଇଁ ଏନସିଏଲଏଟି ଦେଇଥିବା ରାୟ ବିରୋଧରେ ନୁହେଁ ଏଥିସହିତ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ଙ୍କ ନିଯୁକ୍ତିକୁ ବେଆଇନ ବୋଲି ମଧ୍ୟ ଏନସିଏଲଏଟି ଯେଉଁ ରାୟ ଦେଇଛି ତାହା ଉପରେ ରହିତାଦେଶ ଦେବାକୁ ଆବେଦନ କରାଯାଇଛି। ବଡ଼ଦିନ ଏବଂ ନୂଆବର୍ଷ ପାଇଁ ସୁପ୍ରିମ କୋର୍ଟ ଏବେ ବନ୍ଦ ରହିଛି। ଆସନ୍ତା ୬ ତାରିଖରେ ଅଦାଲତ ଖୋଲିବ। ତେଣୁ ଅଦାଲତ ଖୋଲିବା ପରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଟାଟା ସନ୍ସ ଆବେଦନ କରିଛି।

ଆବେଦନରେ ଟାଟା ସନ୍ସ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଯୁକ୍ତିରେ ଏନସିଏଲଏଟି ରାୟର ଘୋର ବିରୋଧ କରାଯାଇଛି। ପ୍ରତି‌ଷ୍ଠାତାମାନେ କଷ୍ଟସ୍ବୀକାର କରି କମ୍ପାନି ପାଇଁ ଯେଉଁ ଶାସନ ଢାଞ୍ଚା ସୃଷ୍ଟି କରିଛନ୍ତି ତାହାକୁ ଏନସିଏଲଏଟି ରାୟରେ ଭାଙ୍ଗିରୁଜି ଦିଆଯାଇଛି। ସେହିଭଳି ସାଇରସଙ୍କୁ ପୁନଃଅବସ୍ଥାପିତ କରିବା ପାଇଁ ରାୟ ଦେଇ ଏନସିଏଲଏଟି ଏକ ଗୁରୁତ୍ବପୂର୍ଣ୍ଣ କର୍ପୋରେଟ୍ ସଂସ୍ଥାରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଟାଟା ସନ୍ସର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକଭାବେ ସାଇରସ୍‌ଙ୍କ କାର୍ଯ୍ୟକାଳ ୨୦୧୭ ମାର୍ଚ୍ଚରେ ଶେଷ ହୋଇସାରିଛି। ସାଇରସ୍‌ ଏହି ପଦରେ ପୁନଃଅବସ୍ଥାପିତ ହେବା ପାଇଁ ଆବେଦନ ମଧ୍ୟ କରି ନଥିଲେ। ତେଣୁ ଏନସିଏଲଏଟି ପକ୍ଷରୁ ତାଙ୍କୁ ପୁନଃଅବସ୍ଥାପିତ କରିବା ପାଇଁ ଦିଆଯାଇଥିବା ରାୟ ଠିକ୍ ନୁହେଁ ବୋଲି ଟାଟା ସନ୍ସ ଯୁକ୍ତି ଦର୍ଶାଇଛି। ଉଲ୍ଲେଖଯୋଗ୍ୟ, ଏନସିଏଲଏଟି ତାଙ୍କ ଡିସେମ୍ବର ୧୮ ରାୟରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ଭାବେ ପୁନଃଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର