କ୍ଷତିରେ ଟାଟା ମୋଟର୍ସର ଅଲୋଡ଼ା ରେକର୍ଡ

ନୂଆଦିଲ୍ଲୀ, ୮/୨: କ୍ଷତିରେ ଟାଟା ମୋଟର୍ସ ଅଲୋଡ଼ା ରେକର୍ଡ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଟାଟା ମୋଟର୍ସ ରେକର୍ଡ ୨୬,୯୬୧ କୋଟି ଟଙ୍କାର କ୍ଷତି କରିଛି। ଦଲାଲ ଷ୍ଟ୍ରିଟରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକ ମଧ୍ୟରୁ କୌଣସି ତ୍ରୟମାସରେ ଆଜି ପର୍ଯ୍ୟନ୍ତ ଏହି ବୃହତ୍ ପରିମାଣର କ୍ଷତି କୌଣସି କମ୍ପାନି କରି ନଥିଲେ। ସହାୟକ କମ୍ପାନି ଜାଗୁଆର ଆଣ୍ଡ ଲ୍ୟାଣ୍ଡରୋଭର (ଜେଏଲ୍‌ଆର୍‌) ପାଇଁ ଟାଟା ମୋଟର୍ସକୁ ହିଁ ମୁଖ୍ୟତଃ ଏହି କ୍ଷତି ବୋଝ ବହନ କରିବାକୁ ପଡ଼ିଛି। ଏକଦା ଟାଟା ମୋଟର୍ସର ଲାଭ ବଢ଼ାଇବାରେ ସହାୟକ ହେଉଥିବା ଜେଏଲ୍‌ଆର୍‌ ଏବେ କଂପାନି ପାଇଁ ବୋଝ ପାଲଟିଗଲାଣି। ଚୀନ୍‌ ବଜାର ଉପରେ ଜେଏଲ୍ଆର୍‌ ଅତ୍ୟଧିକ ନିର୍ଭରଶୀଳ। ଆମେରିକା-ଚୀନ୍ ବାଣିଜ୍ୟ ଲ‌ଢ଼େଇ ଯୋଗୁ ସେଠାକାର ଅର୍ଥନୀତି ପ୍ରଭାବିତ ହେବା ପରେ ଜେଏଲ୍‌ଆର୍‌ ସମସ୍ୟା ଆହୁରି ବଢ଼ିଯାଇଛି। ଟାଟା ମୋଟର୍ସ ପୂର୍ବରୁ ରାଷ୍ଟ୍ରାୟତ୍ତ କମ୍ପାନି ଆଇଓସିଏଲ ୨୦୧୨-୧୩ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ୨୨,୪୫୧ କୋଟି ଟଙ୍କାର କ୍ଷତି କରିଥିଲା। ସେହିଭଳି ବେଦାନ୍ତ ୨୦୧୬ ମାର୍ଚ୍ଚ ତ୍ରୟମାସରେ ୨୧,୧୦୪ କୋଟି ଟଙ୍କାର କ୍ଷତି କରିଥିବାବେଳେ ୨୦୧୮ ମାର୍ଚ୍ଚ ତ୍ରୟମାସରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୧୩,୪୧୭ କୋଟି ଟଙ୍କାର କ୍ଷତି କରିଥିଲା।

ସମ୍ବନ୍ଧିତ ଖବର