ବିକ୍ରି କମୁଛି, ୪ ଦିନ ପାଇଁ କାରଖାନା ବନ୍ଦ କରିବ ଟାଟା ମୋଟର୍ସ

ଜାମସେଦପୁର : ଭାରତୀୟ ଅଟୋମୋବାଇଲ ଶିଳ୍ପ ଏବେ ଗତ ୨୦ ବର୍ଷରେ ସବୁଠାରୁ ଖରାପ ସମୟର ସମ୍ମୁଖୀନ ହେଉଛି । ବଜାରରେ ଚାହିଦା ନଥିବାରୁ ପ୍ରାୟ ସବୁ କମ୍ପାନିଙ୍କ ବିକ୍ରି ହ୍ରାସ ପାଇଚାଲିଛି । ବଜାରରେ ଚାହିଦା ନଥିବାରୁ ଉତ୍ପାଦନ ମଧ୍ୟ କମାଇଚାଲିଛନ୍ତି ବିଭିନ୍ନ କମ୍ପାନି । ଦେଶର ପ୍ରମୁଖ ଯାନବାହାନ ନିର୍ମାତା କମ୍ପାନି ଟାଟା ମୋଟର୍ସ ପକ୍ଷରୁ ପୁଣି ଥରେ ଉତ୍ପାଦନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୧୬ରୁ ୪ ଦିନ ପାଇଁ କମ୍ପାନି ନିଜର ଉତ୍ପାଦନ ବନ୍ଦ କରିବ । ଚଳିତ ମାସରେ ୩ୟ ଥର ପାଇଁ କମ୍ପାନି ଉତ୍ପାଦନ ବନ୍ଦ କରିବାକୁ ଯାଉଛି । ପୂର୍ବରୁ ଅଗଷ୍ଟ ୧ ଓ ଅଗଷ୍ଟ ୮-୧୦ରେ କମ୍ପାନି ଉତ୍ପାଦନ ବନ୍ଦ କରିଥିଲା । ଜୁଲାଇ ମାସରେ ଟାଟା ମୋଟର୍ସର ଗ୍ରୁପ ଗ୍ଲୋବାଲ ହୋଲସେଲ୍ସ ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇଛି । ଏକକ ଭାବେ ଟାଟା ମୋଟର୍ସର ବିକ୍ରି ଜୁଲାଇ ମାସରେ ୩୧ ପ୍ରତିଶତ ହ୍ରାସ ପାଇଛି ।

ସାମଗ୍ରୀକ ଭାବେ ଜୁଲାଇ ମାସରେ ଭାରତରେ କାର ବିକ୍ରି ପରିମାଣ ୩୦.୯୮ ପ୍ରତିଶତ ହ୍ରାସ ପାଇ ୨୦୦,୭୯୦ ରେ ପହଞ୍ଚିଛି । ସେହିପରି ବାଣିଜ୍ୟିକ ଯାନ ବିକ୍ରି ୨୫.୭୧ ପ୍ରତିଶତ ହ୍ରାସ ପାଇ ୫୬,୮୬୬ ରେ ପହଞ୍ଚିଛି ବୋଲି ଭାରତୀୟ ଅଟୋମୋବାଇଲ ସଂଘ (ସିଆମ) ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର