ଜୁଲାଇ ୧ରୁ ମହଙ୍ଗା ହେବ ଟାଟା ମୋଟର୍ସର ବାଣିଜ୍ୟିକ ଯାନ

ମୁମ୍ବାଇ : ଆସନ୍ତା ଜୁଲାଇ ମାସରୁ ନିଜର ବାଣିଜ୍ୟିକ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି ଟାଟା ମୋଟର୍ସ । କଞ୍ଚାମାଲର ଦରବୃଦ୍ଧି ଓ ଆନୁଷଙ୍ଗିକ ଖର୍ଚ୍ଚ ବଢିବା ଯୋଗୁଁ କମ୍ପାନି ଏହି ପଦକ୍ଷେପ ନେଇଥିବା ଘୋଷଣା କରିଛି ।

କମ୍ପାନିର ଘୋଷଣା ଅନୁସାରେ ଜୁଲାଇ ୧ରୁ ବିଭିନ୍ନ ବାଣିଜ୍ୟିକ ଯାନର ମୂଲ୍ୟ  ୧.୫ ପ୍ରତିଶତରୁ ୨.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ତେବେ ମଡେଲ ଅନୁସାରେ ଏହି ଦରବୃଦ୍ଧିର ପରିମାଣ ଅଲଗା ଅଲଗା ରହିବ । ଟାଟା ମୋଟର୍ସର ଏହି ଘୋଷଣା ପରେ ଅନ୍ୟ କମ୍ପାନିମାନେ ବି ଦରବୃଦ୍ଧି କରିପାରନ୍ତି ।

ଟାଟା ମୋଟର୍ସ ପକ୍ଷରୁ ଗତ ଏପ୍ରିଲ ୧ରେ ମଧ୍ୟ ନିଜର ବାଣିଜ୍ୟିକ ଯାନର ଦର ୧.୫ ପ୍ରତିଶତରୁ ୨.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଟାଟା ମୋଟର୍ସର ବାଣିଜ୍ୟିକ ଯାନ ମଧ୍ୟରେ ରହିଛି ଟ୍ରକ, ବସ, ମିନିଟ୍ରକ, ପିକଅପ ଇତ୍ୟାଦି ।

ଗତ ସପ୍ତାହରେ ହିରୋ ମୋଟକର୍ପ ପକ୍ଷରୁ ନିଜର ବାଇକ ଓ ସ୍କୁଟର ଦର ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି ବର୍ଦ୍ଧିତ ଦର ଜୁଲାଇ ୧ରୁ ଲାଗୁ ହେବ । ବିଭିନ୍ନ କଞ୍ଚାମାଲର ଦରବୃଦ୍ଧି ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବଢିବା ଯୋଗୁଁ କମ୍ପାନି ଦରବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିଲା ।

ଜୁନ ୧ରୁ ବିଭିନ୍ନ କମ୍ପାନିର ମୋଟର ସାଇକେଲ, ସ୍କୁଟର ଓ କାର ମୂଲ୍ୟ ବୃଦ୍ଧି ପାଇଥିଲା । ସରକାରଙ୍କ ପକ୍ଷରୁ ଗାଡ଼ିବୀମା ପ୍ରମିୟମ ବୃଦ୍ଧି କରିବା ପରେ ଏହି ଦରବୃଦ୍ଧି ହୋଇଥିଲା ।

 

ସମ୍ବନ୍ଧିତ ଖବର