ଆଜିଠୁ ସେସୁର ପରିଚାଳନା କରିବ ଟାଟା ପାୱାର

ଭୁବନେଶ୍ବର : ଆସନ୍ତାକାଲି (ଜୁନ୍‌ ୧ରୁ) କେନ୍ଦ୍ରୀୟ ଓଡ଼ିଶା ବିଦ୍ୟୁତ ବିତରଣ (ସେସୁ)ର ପରିଚାଳନା ଦାୟିତ୍ବ ଟାଟା ପାୱାର ହାତକୁ ଚାଲିଯିବ। ସେସୁର ପରିଚାଳନା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଇଓଆର୍‌ସି)ଙ୍କ ଠାରୁ ଟାଟା ପାୱାର ଅନୁମତି ହାସଲ କରିଛି। ସେସୁର ପରିଚାଳନା ଲାଗି ଗଠନ କରାଯାଇଥିବା କଂପାନିର ୫୧% ଅଂଶଧନକୁ ଟାଟା ପାୱାର ହାସଲ କରିଥିବା ବେଳେ ବଳକା ୪୯% ଅଂଶଧନ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ସଂସ୍ଥା ଗ୍ରିଡ୍‌କୋ ପାଖରେ ରହିଛି। ବୁଝାମଣା ଅନୁସାରେ ସେସୁର ସମସ୍ତ କର୍ମଚାରୀଙ୍କୁ ଟାଟା ପାୱାର ନିଜ ପାଖରେ ରଖିବ ଏବଂ ପୂର୍ବ ନୀତି ଅନୁସାରେ ସେମାନଙ୍କ ପରିଚାଳନା କରିବ। ଏ ସଂକ୍ରାନ୍ତରେ ଟାଟା ପାୱାରର ଏମ୍‌ଡି ସିଇଓ ପ୍ରଭିର ସିହ୍ନା କହିଛନ୍ତି ଯେ, ସେସୁ ସହିତ ଆମର ସହବନ୍ଧନ ଟାଟା ପାୱାର ପାଇଁ ଏକ ବହୁତ ବଡ଼ ଉପଲବ୍ଧି। ଆମକୁ ଏହି ସୁଯୋଗ ଦିଆଯାଇଥିବାରୁ ଆମେ ରାଜ୍ୟ ସରକାର ଓ ଓଇଆର୍‌ସିଙ୍କ ନିକଟରେ କୃତଜ୍ଞ। ଅଭିନବ ପ୍ରଯୁକ୍ତି ମୂତୟନ କରି ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଓଡ଼ିଶାରେ ଆମେ ସ୍ମାର୍ଟ ଗ୍ରିଡ୍‌ ମୂତୟନ କରି ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିବୁ ବୋଲି କଂପାନିର ସଭାପତି-ଟିଆଣ୍ଡ୍‌ଡି ସଞ୍ଜୟ ବାଙ୍ଗା କହିଛନ୍ତି। ସେସୁର ପରିଚାଳନା ଲାଗି ଟାଟା ପାୱାର ୨୫ ବର୍ଷ ପାଇଁ ଲାଇସେନ୍ସ ହାସଲ କରିଛି। ସେସୁ ଅଧୀନରେ ଥିବା ପାଞ୍ଚଟି ସର୍କଲ ଯଥା ଭୁବନେଶ୍ବର ୧ ଓ ୨, କଟକ, ପାରାଦୀପ ଓ ଢେଙ୍କାନାଳରେ ଏହା କାର୍ଯ୍ୟ କରିବ। ଏହି ଅଧିଗ୍ରହଣ ଜରିଆରେ କଂପାନି ଏହାର ଗ୍ରାହକ ସଂଖ୍ୟା ୫ ନିୟୁତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ମୁମ୍ବାଇ, ଦିଲ୍ଲୀ ଓ ଆଜମେର୍‌ରେ ଏହାର ଅଢ଼େଇ ନିୟୁତ ଗ୍ରାହକ ଅଛନ୍ତି। ସେସୁ ଅଧୀନରେ ଥିବା ଅଢ଼େଇ ଲକ୍ଷ ଗ୍ରାହକ ଯୋଡ଼ି ହେବା ପରେ ଟାଟା ପାୱାର ଏହାର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିବ।

ସମ୍ବନ୍ଧିତ ଖବର