ଭୁବନେଶ୍ବର : ୱେସ୍କୋ ଓ ସାଉଥ୍କୋ ପାଇଁ ବିଜୟୀ ବିଡ୍ ଦାଖଲ କରିଥିବା ଟାଟା ପାୱାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଠାରୁ ଲେଟର୍ ଅଫ୍ ଇଣ୍ଟେଣ୍ଟ୍ (ଏଲ୍ଓଆଇ) ହାସଲ କରିଛି। ଏହି ଦୁଇ କଂପାନିର ପରିଚାଳନା ପାଇଁ ଟାଟା ପାୱାର ୨୫ ବର୍ଷର ଲାଇସେନ୍ସ ହାସଲ କରିଛି। ବିଡ୍ କାଗଜପତ୍ର ଅନୁସାରେ ଆସନ୍ତା ୧୦ ବର୍ଷ ଭିତରେ ସାଉଥ୍କୋର ଏଟିଆଣ୍ଡ୍ସି କ୍ଷତିକୁ ବର୍ତମାନର ୩୫.୯%ରୁ ୧୪.୮୦ ପ୍ରତିଶତକୁ ଓ ୱେସ୍କୋର ଏଟିଆଣ୍ଡ୍ସି କ୍ଷତିକୁ ବର୍ତମାନର ୨୭.୫୬%ରୁ ୯.୦୮% ପର୍ଯ୍ୟନ୍ତ ଟାଟା ପାୱାର ହ୍ରାସ କରିବ। ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହା ସାଉ୍ଥକୋରେ ୧୧୬୭ କୋଟି ଟଙ୍କା ଓ ୱେସ୍କୋରେ ୧୬୬୩ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବ। ମୋଟ ଉପରେ ଦୁଇ କଂପାନିରେ ଏହା ୨୮୩୦ କୋଟି ଟଙ୍କା ନିବେଶ କରିବ।
ଏହା ବ୍ୟତୀତ ଆସନ୍ତା ପାଂଚ ବର୍ଷରେ ସାଉ୍କୋର ୧୦୦ କୋଟି ଟଙ୍କା ଓ ୱେସ୍କୋର ୩୦୦ କୋଟି ଟଙ୍କାର ବକେୟାକୁ ଏହା ଆଦାୟ କରିବ। ସେସୁ ଭଳି ଏହି ଦୁଇ ବିଦ୍ୟୁତ ୟୁଟିଲିଟି ପାଇଁ ମଧ୍ୟ ଯୌଥ ଉଦ୍ୟୋଗରେ ଟାଟା ପାୱାରର ୫୧% ଓ ରାଜ୍ୟ ସରକାରଙ୍କ ୪୯ ପ୍ରତିଶତ ଅଂଶଧନ ରହିବ। ୱେସ୍କୋର ପାଞ୍ଚଟି ଓ ସାଉଥ୍କୋର ଛଅଟି ସର୍କଲ୍ ଟାଟା ପାୱାର ଅଧୀନକୁ ଆସିବ। ଆଜି କଂପାନି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଉଭୟ ୱେସ୍କୋ ଓ ସାଉଥ୍କୋର କର୍ମଚାରୀଙ୍କୁ ସେମାନଙ୍କ ନିଯୁକ୍ତ ସର୍ତ୍ତ ଅନୁସାରେ ଟାଟା ପାୱାରରେ ରଖାଯିବ ବୋଲି କୁହାଯାଇଛି। ପ୍ରତି କର୍ମଚାରୀଙ୍କୁ ନୂତନ ପ୍ରଯୁକ୍ତି ଓ ପ୍ରଥାରେ ଜ୍ଞାନ ଓ କୌଶଳ ବଢ଼ାଇବାର ସୁଯୋଗ ମଧ୍ୟ ପ୍ରଦାନ କରାଯିବ ବୋଲି କଂପାନି କହିଛି। କଂପାନିର ସିଇଓ ପ୍ରବୀର ସିହ୍ନା କହିଛନ୍ତି ଯେ ଏହା ଆମ ପାଇଁ ଏକ ଗୌରବପୂର୍ଣ୍ଣ ମୁହୂର୍ତ। ଏଥିପାଇଁ ସେ ରାଜ୍ୟ ସରକାର ଏବଂ ଓଇଆର୍ସିକୁ ଧନ୍ୟବାଦ ଜଣାଇଛନ୍ତି। ୱେସ୍କୋ ଅଧୀନରେ ଥିବା ୨ ନିୟୁତ ଏବଂ ସାଉଥ୍କୋର ୨.୩ ନିୟୁତ ଗ୍ରାହକଙ୍କୁ କଂପାନି ସେବା ପ୍ରଦାନ କରିବ।