‘ଏୟାର୍‌ ଇଣ୍ଡିଆ’ ହସ୍ତାନ୍ତର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ‘ଟାଟା ସନ୍‌ସ୍‌’ର ଅଧ୍ୟକ୍ଷ: ରିପୋର୍ଟ

ନୂଆଦିଲ୍ଲୀ: ଔପଚାରିକ ଭାବେ ‘ଏୟାର୍‌ ଇଣ୍ଡିଆ’ ହସ୍ତାନ୍ତର ହେବା ପୂର୍ବରୁ ଆଜି ‘ଟାଟା ସନ୍‌ସ୍‌’ର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପାରନ୍ତି ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ଆଜି ‘ଏୟାର୍‌ ଇଣ୍ଡିଆ ବୋର୍ଡ’ ଇସ୍ତାଫା ଦେବା ପରେ ‘ଟାଟା ନୋମିନି’ମାନେ ବୋର୍ଡରେ ଥିବା ସରକାରୀ ସଦସ୍ୟମାନଙ୍କ ସ୍ଥାନ ପୂରଣ କରିବେ ବୋଲି ଉକ୍ତସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ଭାରତ ସରକାର ‘ଏୟାର୍‌ ଇଣ୍ଡିଆ’କୁ ଟାଟାର ‘ଟଲେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ୧୮,୦୦୦ କୋଟି ଟଙ୍କାରେ ବିକ୍ରୟ କରିଥିଲେ। ‘ଏୟାର୍‌ ଇଣ୍ଡିଆ’ରେ ଥିବା ସମୁଦାୟ ୧୪୧ଟି ବିମାନରୁ ୯୯ଟି ମାଲିକାନାରେ ଥିବାବେଳେ ୪୨ଟି ବିମାନ ଲିଜ୍‌ରେ ଅଧିଗ୍ରହଣ କରାଯାଇଥିଲା।

Image Courtesy of Zee News

ବାସ୍ତବରେ ଏହି ଏୟାର୍‌ଲାଇନ୍‌କୁ ଟାଟା କମ୍ପାନି ୧୯୩୨ ମସିହାରେ ‘ଟାଟା ଏୟାର୍‌ଲାଇନ୍‌ସ୍‌’ ନାମରେ ସ୍ଥାପନ କରିଥିଲା। ପରେ ୧୯୪୬ରେ ‘ଏୟାର୍‌ ଇଣ୍ଡିଆ’ ଭାବେ ଏହାର ପୁନଃନାମକରଣ କରାଯାଇଥିଲା। ୧୯୫୩ ମସିହାରେ ‘ଏୟାର୍‌ ଇଣ୍ଡିଆ’ ଭାରତ ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲେ ସୁଦ୍ଧା ୧୯୭୭ ପର୍ଯ୍ୟନ୍ତ ଜେଆର୍‌ଡି ଟାଟା ଏହାର ଅଧ୍ୟକ୍ଷ ଥିଲେ।

ପ୍ରାୟ ୬୭ ବର୍ଷ ପରେ ‘ଏୟାର୍‌ ଇଣ୍ଡିଆ’ ପୁଣି ଟାଟା ହାତକୁ ଫେରିବା ପରେ ପ୍ରଥମ ପଦକ୍ଷେପ ଭାବେ ଟାଟା ଗ୍ରୁପ୍‌ ୪ଟି ବିମାନରେ ବର୍ଦ୍ଧିତ ମିଲ୍‌ ସେବା ପ୍ରଚଳନ କରିଛି। ଜାନୁଆରି ୨୭ରୁ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରୁଥିବା ‘ଏ୧୮୬୪’ (ମୁମ୍ବାଇ-ଦିଲ୍ଲୀ), ‘ଏ୧୬୮୭’ (ମୁମ୍ବାଇ-ଦିଲ୍ଲୀ), ‘ଏ୧୯୪୫’ (ମୁମ୍ବାଇ-ଆବୁଧାବି) ଏବଂ ‘ଏ୧୬୩୯ (ମୁମ୍ବାଇ-ବେଙ୍ଗାଲୁରୁ) ବିମାନରେ ବର୍ଦ୍ଧିତ ମିଲ୍‌ ସେବା ଆରମ୍ଭ ହେବ। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ବିମାନରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ଟାଟା ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର