ଭୁବନେଶ୍ବର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)କୁ ଟାଟା ଷ୍ଟିଲ୍ ସମ୍ପୂର୍ଣ୍ଣ ଅଧିଗ୍ରହଣ କରିଛି। କମ୍ପାନିର ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ସିଏଫ୍ଓ କୌଶିକ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୨୪ରେ ଏନ୍ଆଇଏନ୍ଏଲ୍ର ୧୦୦ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏଥି ସହିତ ତାହା ଟାଟା ଷ୍ଟିଲ୍ର ସମ୍ପୂର୍ଣ୍ଣ ସହାୟକ କମ୍ପାନିରେ ପରିଣତ ହୋଇଛି। ଦୀର୍ଘଦିନ କ୍ଷତିରେ ଚାଲିବା ପରେ ବନ୍ଦ ହୋଇଯାଇଥିବା ଏନ୍ଆଇଏନ୍ଏଲ୍ର ଘରୋଇକରଣ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ। ୨୦୨୨ରେ ଟାଟା ଷ୍ଟିଲ୍ ପକ୍ଷରୁ ଏହାର ସହାୟକ କମ୍ପାନି ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ (ଟିଏସ୍ପିଏଲ୍) ଜରିଆରେ ୧୨, ୧୦୦ କୋଟି ଟଙ୍କାରେ ଏନ୍ଆଇଏନ୍ଏଲ୍ର ୯୩.୭୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯାଇଥିଲା। ଅବଶିଷ୍ଟ ଅଂଶଧନଗୁଡ଼ିକୁ ମଧ୍ୟ ଇତି ମଧ୍ୟରେ ଟାଟା ଷ୍ଟିଲ୍ ହାସଲ କରିଛି।
ଏନ୍ଆଇଏନ୍ଏଲ୍କୁ କେନ୍ଦ୍ର ସରକାରଙ୍କ ଚାରିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍ଏମ୍ଟିସି, ଏନ୍ଏମ୍ଡିସି, ଭେଲ୍ ଓ ମେକନ୍ ଏବଂ ଓଡ଼ିଶା ସରକାରଙ୍କ ଦୁଇଟି ଉଦ୍ୟୋଗ ଓଏମ୍ସି ଓ ଇପିକଲ୍ର ମିଳିତ ସହଯୋଗରେ ସ୍ଥାପନ କରିଥିଳେ। ଦୀର୍ଘଦିନ କ୍ଷତିରେ ଚାଲିବା ପରେ ଯାଜପୁରର କଳିଙ୍ଗନଗରରେ ଥିବା କମ୍ପାନିର କାରଖାନା ୨୦୨୦ ମାର୍ଚ୍ଚରେ ବନ୍ଦ ହୋଇଯାଇଥିଲା। ଟାଟା ଷ୍ଟିଲ୍ ଏହାକୁ ଅଧିଗ୍ରହଣ କରିବା ପରେ କମ୍ପାନିର ଭାଗ୍ୟ ବଦଳିଛି। ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ କମ୍ପାନି ୧୦୦୦ କୋଟି ଟଙ୍କାର ପରିଚାଳନା ଲାଭ କରିଥିଲା। ୨୦୨୫-୨୬ର ପ୍ରଥମ ତ୍ରୈମାସିକରେ ଏନ୍ଆଇଏନ୍ଏଲ୍ ୨୨୪ କୋଟି ଟଙ୍କାର ଏବିଟ୍ଡା ହାସଲ କରିଛି।