ଯାଜପୁର: ଟାଟା ଗ୍ରୁପ୍‌ ଅଧୀନରେ ପରିଚାଳିତ ଇସ୍ପାତ କମ୍ପାନି ଟାଟା ଷ୍ଟିଲ୍‌ ପକ୍ଷରୁ ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଥିବା ଘୋଷଣା କରାଯାଇଛି। କମ୍ପାନି ପକ୍ଷରୁ ଅବଗତ କରାଯାଇଛି ଯେ କଳିଙ୍ଗନଗରରେ ସମ୍ପ୍ରସାରଣ କାର୍ଯ୍ୟ ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍) ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ପୂର୍ବରୁ ଭୂଷଣ ଷ୍ଟିଲ୍‌)କୁ ଅଧଗ୍ରହଣ କରିବାରେ କମ୍ପାନି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଛି। ସାରା ଦେଶରେ ଟାଟା ଷ୍ଟିଲ୍‌ ବର୍ଷକୁ ୨୨ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରୁଥିବା ବେଳେ ସେଥିରୁ ୪୪ ପ୍ରତିଶତ ଉତ୍ପାଦନ ଓଡ଼ିଶାରେ ଥିବା ଏହାର ବିଭିନ୍ନ କାରଖାନାରେ ହେଉଛି। ଓଡ଼ିଶାର ଶିଳ୍ପାୟନ ରୂପାନ୍ତରଣର ଏକ ସହଯୋଗୀ ହୋଇଥିବାରୁ ଆମେ ଗର୍ବିତ ବୋଲି ଟାଟା ଷ୍ଟିଲ୍‌ ପକ୍ଷରୁ କୁହାଯାଇଛି। 

Advertisment

ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ଖୁବ୍‌ଶୀଘ୍ର ୩ ନିୟୁତ ଟନ୍‌ରୁ ୮ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ୨୭ ହଜାର କୋଟି ଟଙ୍କା ନିବେଶରେ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। କମ୍ପାନି ୨୫ ହଜାର କୋଟି ଟଙ୍କା ବିନିଯୋଗରେ ୨୦୧୫ରେ ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିଥିଲା। ୨୦୨୨ ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ)କୁ ଅଧିଗ୍ରହଣ ମାଧ୍ୟମରେ ୧୨,୧୦୦ କୋଟି ଟଙ୍କାର ଅତିରିକ୍ତ ବିନିଯୋଗ ସହିତ ଓଡ଼ିଶାରେ ଏହାର କ୍ଷମତାକୁ ଆହୁରି ବୃଦ୍ଧି ପାଇଥିଲା। ଏଥିସହ ଟାଟା ଷ୍ଟିଲ ପାଇଁ ଓଡ଼ିଶା  ସର୍ବବୃହତ ଏକକ ନିବେଶ ସ୍ଥଳରେ ପରିଣତ ହେବ ବୋଲି କୁହାଯାଇଛି। 

୨୦୩୦ ସୁଦ୍ଧା ଭାରତରେ ଟାଟା ଷ୍ଟିଲର ବାର୍ଷିକ ଉତ୍ପାଦନ କ୍ଷମତା ୪୦ ନିୟୁତ ଟନ୍‌ ଲକ୍ଷ୍ୟ ହାସଲ କରିବାରେ କଳିଙ୍ଗନଗର କାରଖାନାର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଟାଟା ଷ୍ଟିଲର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି, ଭାରତର ଶିଳ୍ପ ରୂପାନ୍ତରଣକୁ ଆଗକୁ ନେବାରେ ଓଡ଼ିଶା ସହ ସହଭାଗୀ ହୋଇ ଆମେ ଗର୍ବିତ। ସେହିପରି ୭୩୦ କୋଟି ବିନିଯୋଗରେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ଭଳି ପ୍ରକଳ୍ପର ବିକାଶ କରାଯାଇଛି। ଲୁହାପଥର ଖଣିର ସମ୍ପ୍ରସାରଣ, ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ବିକାଶ ଏବଂ ଲୌହ ଅୟସ୍କ ପରିବହନ ପାଇଁ ସ୍ଲରି ପାଇପଲାଇନ ପରି ପ୍ରକଳ୍ପ ଓଡ଼ିଶାରେ ଟାଟା ଷ୍ଟିଲର ଅଭିବୃଦ୍ଧିରେ ସହଯୋଗ କରିଆସୁଛି। କଳିଙ୍ଗନଗରରେ କମ୍ପାନି ଏହାର ସମ୍ପ୍ରସାରଣ କ୍ଷମତା (୮ଏମଟିପିଏ)କୁ କାର୍ଯ୍ୟକ୍ଷମ କରିବାକୁ ଯାଉଥିବାବେଳେ ଆଗାମୀ ବର୍ଷରେ ଏହାକୁ ଦ୍ୱିଗୁଣିତ କରି ୧୬ ଏମଟିପିଏରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।