ଭୁବନେଶ୍ବର: ଟାଟା ଷ୍ଟିଲ୍ କଳିଙ୍ଗନଗରରେ ୫ ନିୟୁତ ଟନ୍ ପ୍ରକଳ୍ପର ସମ୍ପ୍ରସାରଣ ଜାରି ରହିଛି। ଏହାର ବ୍ଲାଷ୍ଟ ଫର୍ଣ୍ଣେସ୍ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଆରମ୍ଭ ହେବ। ଏହି କାର୍ଯ୍ୟ ଠିକ୍ ଦିଗରେ ଆଗେଇ ଚାଲିଛି ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଟି ଭି ନରେନ୍ଦ୍ରନ କହିଛନ୍ତି। କମ୍ପାନିର ଆର୍ଥିକ ଫଳାଫଳ ଘୋଷଣା କରିବା ଅବସରରେ ସେ ଜଣାଇଛନ୍ତି ଯେ ପୂର୍ବ ଯୋଜନା ଅନୁସାରେ କଳିଙ୍ଗନଗରରେ ବ୍ଲାଷ୍ଟ୍ ଫର୍ଣ୍ଣେସ୍ର ଷ୍ଟୋଭ୍ ଓ କୋକ୍ ଓଭେନ୍ ବ୍ୟାଟେରିକୁ ଉତ୍ତପ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ସେପ୍ଟେମ୍ବର ସୁଦ୍ଧା ବ୍ଲାଷ୍ଟ୍ ଫର୍ଣ୍ଣେସ୍ ଆରମ୍ଭ ହୋଇଯିବ। ସେହିପରି ବାର୍ଷିକ ୨.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିଆର୍ଏମ୍ କମ୍ପ୍ଲେକ୍ସରେ କଣ୍ଟିନିଅସ୍ ଆନେଲିଂ ଲାଇନ କାମ ମଧ୍ୟ ଠିକ୍ ଦିଗରେ ଆଗେଇ ଚାଲିଥିବା ସେ କହିଛନ୍ତି। ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ତାହା ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି।
କଳିଙ୍ଗନଗର କାରଖାନାର ଉତ୍ପାଦନ କ୍ଷମତାକୁ ୩ ନିୟୁତ ଟନ୍ରୁ ବଢ଼ାଇ ୮ ନିୟୁତ ଟନ୍ କରିବାକୁ ୨୦୧୮ ନଭେମ୍ବରରେ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ କମ୍ପାନି ୨୩,୫୦୦ କୋଟି ଟଙ୍କା ନିବେଶ କରୁଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ସାରା ଦେଶରେ କମ୍ପାନିର ମୋଟ୍ ଉତ୍ପାଦନ କ୍ଷମତା ୨୬.୬ ନିୟୁତ ଟନ୍କୁ ବୃଦ୍ଧି ପାଇବ। କମ୍ପାନି ପକ୍ଷରୁ କଳିଙ୍ଗନଗର କାରଖାନାରେ ଭାରତର ସର୍ବବୃହତ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ସ୍ଥାପନ କରାଯାଉଛି। କାରଖାନାର ସମ୍ପ୍ରସାରଣ ଶେଷ ହେବା ପରେ ଏହାର ଫ୍ଲାଟ୍ ଉତ୍ପାଦ ଉତ୍ପାଦନ କ୍ଷମତା ବଢ଼ିବ ଯାହା ଫଳରେ କମ୍ପାନି ଅଟୋମୋବାଇଲ୍, ଇଞ୍ଜିନିୟରିଂ, ତୈଳ ଓ ଗ୍ୟାସ୍, ଲିଫ୍ଟ ଓ ଏକ୍ସକାଭେସନ୍ କ୍ଷେତ୍ରର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବ। ରାଜ୍ୟରେ ଟାଟା ଷ୍ଟିଲ୍ର ଅନ୍ୟ ଦୁଇଟି କାରଖାନା ମଧ୍ୟ ରହିଛି। ଅନୁଗୁଳସ୍ଥିତ ଭୂଷଣ ଷ୍ଟିଲ୍କୁ ଅଧିଗ୍ରହଣ କରି ଏହା ତାହାକୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ନାମ ପ୍ରଦାନ କରିଛି। ସେହି କାରଖାନାର ଉତ୍ପାଦନ କ୍ଷମତା ହେଉଛି ୫.୬ ନିୟୁତ ଟନ୍। ସେହିପରି, ନିକଟରେ ଏହା କଳିଙ୍ଗନଗରରେ ଥିବା ୧ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)କୁ ମଧ୍ୟ ଅଧିଗ୍ରହଣ କରିଥିଲା।
ଏନ୍ଆଇଏନ୍ଏଲ୍କୁ ୬୦୦୦ କୋଟି
ଏନ୍ଆଇଏନ୍ଏଲ୍ରେ ୬୦୦୦ କୋଟି ଟଙ୍କା ନିବେଶ କରିବ ଟାଟା ଷ୍ଟିଲ୍। ତାହାକୁ ନନ୍-କନ୍ଭର୍ଟିବଲ୍ ପ୍ରିଫରେନ୍ସିଆଲ୍ ସେୟାର ରିଡିମ୍ କରିବା ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ। ଏହି ନିବେଶ ପରେ ଏନ୍ଆଇଏନ୍ଏଲ୍ରେ ଟାଟା ଷ୍ଟିଲ୍ର ଅଂଶଧନ ୧୦୦ ପ୍ରତିଶତକୁ ବୃଦ୍ଧି ପାଇବ। ୨୦୨୨ରେ ୧୨, ୧୦୦ କୋଟି ଟଙ୍କାରେ ଏନ୍ଆଇଏନ୍ଏଲ୍କୁ ଟାଟା ଷ୍ଟିଲ୍ କିଣିଥିଲା। କମ୍ପାନି ପାଖରେ ଏକ ଇସ୍ପାତ କାରଖାନା ଓ ଲୁହାପଥର ଖଣି ରହିଛି। ଟାଟା ଷ୍ଟିଲ୍ ଅଧୀନକୁ ଆସିବା ପରେ ଏନ୍ଆଇଏନ୍ଏଲ୍ର କ୍ଷତି ୬୩୯ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୨ରେ ଏହା ୧୨୧୬ କୋଟି ଟଙ୍କାର କ୍ଷତି ସହିଥିଲା। ଇତି ମଧ୍ୟରେ କମ୍ପାନିର ରାଜସ୍ବ ୨୬୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୫୫୬୨ କୋଟି ଟଙ୍କା ହୋଇଛି।