ସାଇରସ୍‌ଙ୍କ ଉପରେ ବର୍ଷିଲେ ଟାଟା

ନୂଆଦିଲ୍ଲୀ: ଏକ ଅପ୍ରୀତିକର ପରିସ୍ଥିତିରେ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା ହୋଇଥିବା ସାଇରସ୍‌ ମିସ୍ତ୍ରୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ରତନ ଟାଟା। ସୁପ୍ରିମକୋର୍ଟଙ୍କୁ ସାଇରସ୍‌ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଥିବା ଟାଟା ଅଭିଯୋଗ କରିଛନ୍ତି। ଟାଟା ଅଭିଯୋଗ କରିଛନ୍ତି ଯେ କର୍ପୋରେଟ୍ ଗଭର୍ଣ୍ଣାନ୍ସ ପ୍ରସଙ୍ଗ ସାଇରସ୍‌ଙ୍କ ଏକ ବାହାନା। ସେ ପ୍ରକୃତରେ ଟାଟା ସନ୍ସରେ ପ୍ରବେଶ କରିବାକୁ ଚାହୁଛନ୍ତି। ବ୍ୟବସାୟ ଅଭିଳାଷ ପୂରଣ କରିବା ସାଇରସ୍‌ଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ରତନ ଟାଟା-ସାଇରସ୍‌ ମିସ୍ତ୍ରୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଟାଟା ସନ୍ସରେ ନିର୍ଦେଶକ ପଦ ପାଇବା ଲାଗି ସାଇରସ୍‌ଙ୍କ କଂପାନି ଦାବି କରିଛି। ଏ ପ୍ରସଙ୍ଗରେ ଗତ ୮ରେ ଏକ ସତ୍ୟପାଠ ଜରିଆରେ ରତନ ଟାଟା ଜଣାଇଛନ୍ତି ଯେ, ନିର୍ଦେଶକ ପଦ ଦାବି ସାଇରସଙ୍କ ଏକ ମାପଚୁପ ରଣନୀତି। ସେ ପ୍ରତିଥର କିଛି ନୂଆ ନୂଆ ଅଭିଯୋଗ କରି କିମ୍ବା ବିବାଦ ସୃଷ୍ଟି କରି ପ୍ରସଙ୍ଗକୁ ତାଜା ରଖିବାକୁ ପ୍ରୟାସ କରୁଛନ୍ତି। ସେ ଏଭଳି ଅଧିକାର ଦାବି କରୁଛନ୍ତି ଯାହା କେବେବି ଆଇନରେ କିମ୍ବା ବ୍ୟବସ୍ଥାରେ ନଥିଲା।

୨୦୧୬ ଅକ୍ଟୋବରରେ ଏକ ଅପ୍ରୀତିକର ପରିସ୍ଥିତିରେ ବୋର୍ଡ ବୈଠକ ଆରମ୍ଭ ହେବା ପୂର୍ବରୁ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ସାଇରସ୍‌ଙ୍କୁ ବିଦା କରାଯାଇଥିଲା। ସେହି ନିଷ୍ପତ୍ତି ବିରୋଧରେ ସାଇରସ୍‌ କୋର୍ଟ ଯାଇଥିଲେ। ଏହା ପରେ ସେ ଅଭିଯୋଗ କରିଥିଲେ ଯେ ଗ୍ରୁପ୍‌ର ଅଧ୍ୟକ୍ଷ ଥିବା ବେଳେ ରତନ ଟାଟା କେତେକ ଭୁଲ ନିଷ୍ପତ୍ତି ନେଇଥିଲେ। ମିସ୍ତ୍ରୀ ଯେଉଁ ଅଭିଯୋଗଗୁଡ଼ିକ କରିଥିଲେ ସେ ସମ୍ପର୍କରେ ରତନ ଟାଟା ସତ୍ୟପାଠରେ ଜଣାଇଛନ୍ତି ଯେ, ଜୀବନରେ ଏହି ମୁହୂର୍ତରେ ମୁଁ କଂପାନିର ଅଧ୍ୟକ୍ଷ ଭାବେ ମୋର ପ୍ରଦର୍ଶନ ବର୍ଣ୍ଣନା କରିବାକୁ ଚାହୁନାହିଁ। କିନ୍ତୁ ଗୋଟିଏ କଥା ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ‌ଯେଉଁ ଦୁଇ ଦଶନ୍ଧି ମୁଁ କଂପାନିର ମଙ୍ଗ ସମ୍ଭାଳିଥିଲି ସେହି ସମୟରେ ଗ୍ରୁପର ସ୍ବାର୍ଥ ଓ ପରମ୍ପରାକୁ ଆଧାର କରି ମୁଁ କାର୍ଯ୍ୟ କରିଥିଲି। ତାହାକୁ କେବଳ ସଂଖ୍ୟାରେ ଆକଳନ କରାଯାଇପାରିବ ନାହିଁ। ରତନ ଟାଟା କହିଛନ୍ତି ମୋ ବିରୋଧରେ ଗୁରୁତର ଅଭିଯୋଗ ଅଣାଯାଇଛି। ଲୋକମାନଙ୍କୁ ସୁଲଭ ମୂଲ୍ୟରେ ସୁରକ୍ଷିତ କାର୍ ‌ଦେବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ନାନୋ ପ୍ରକଳ୍ପକୁ ମଧ୍ୟ ସମାଲୋଚନା କରାଯାଇଛି। ମୋତେ ଓ ମୋର କିଛି ସହଯୋଗୀଙ୍କୁ ବିଶ୍ବସ୍ତରୀୟ ଆତଙ୍କବାଦୀ ଭାବେ ଚିତ୍ରଣ କରିବାକୁ ପ୍ରୟାସ କରାଯାଇଥିଲା। ସେହି ସମସ୍ତ ଅଭିଯୋଗକୁ ଏନ୍‌ସିଏଲ୍‌ଟି ଭିତ୍ତିହୀନ ବୋଲି ଘୋଷଣା କରିଛନ୍ତି। ସାଇରସ୍‌ଙ୍କ ପରିବାର ୧୯୬୫ରେ ୬୯ କୋଟି ଟଙ୍କା ନିବେଶ କରିଥିଲେ। ତାହାର ମୂଲ୍ୟ ଏବେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ।

ସମ୍ବନ୍ଧିତ ଖବର