ମାତ୍ର ୪ ମାସରେ ଭାରତରେ ବିକ୍ରି ହୋଇଗଲା ଏହି କମ୍ପାନୀର ୧୦ ହଜାର ଇଲେକ୍ଟ୍ରିକ କାର!

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୈଦ୍ୟୁତିକ ଯାନର ଚାହିଦା ବଢୁଛି । ଏହି ସେଗମେଣ୍ଟରେ ଟାଟା ମୋଟର୍ସ, ମହିନ୍ଦ୍ରା, ଏମଜି ମୋଟର୍ସ, ହ୍ୟୁଣ୍ଡାଇ ଭଳି କମ୍ପାନୀ ଏବେ ବ୍ୟବସାୟ କରୁଥିବାବେଳେ ଟାଟା ମୋଟର୍ସ କିନ୍ତୁ ବେଶ ଲୋକପ୍ରିୟତା ହାସଲ କରୁଛି | ବିଶେଷ କରି ଟାଟା ମୋଟର୍ସର ଇଲେକ୍ଟ୍ରିକ କାରଗୁଡିକୁ ସର୍ବାଧିକ ପସନ୍ଦ କରାଯାଉଥିବାବେଳେ ଏହାର ବିକ୍ରି ମଧ୍ୟ ହୁ ହୁ ହୋଇ ବଢିଚାଲିଛି | ତାଜା ସୂଚନା ମୁତାବକ କମ୍ପାନୀ ଚାରି ମାସ ମଧ୍ୟରେ ଏହାର ୧୦୦୦୦ ୟୁନିଟ୍ ଟାଟା ଟିଆଗୋ କାର ବିକ୍ରି କରିଛି | କମ୍ପାନୀ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ଏହି ବୈଦ୍ୟୁତିକ ହ୍ୟାଚବ୍ୟାକ୍ ପରିବେଶରେ ୧.୬ ନିୟୁତ ଗ୍ରାମ କାର୍ବନ ଡାଇଅକ୍ସାଇଡକୁ ରୋକିବାରେ ସାହାଯ୍ୟ କରିଛି। ଟାଟା ମୋଟର୍ସର ହେଡ (ମାର୍କେଟିଂ ଆଣ୍ଡ ସେଲ୍ସ) ବିବେକ ଶ୍ରୀବାସ୍ତବ କହିଛନ୍ତି, “ଟିଆଗୋ ଇଭି ଦେଶରେ ୧୦୦୦୦ ୟୁନିଟର ଡେଲିଭରି କରି ରେକର୍ଡ କରିଛି | ଉଲ୍ଲେଖ ଥାଉ କି ଟିଆଗୋ ଇଭି ଦୁଇଟି ଲିଥିୟମ୍-ଆୟନ ବ୍ୟାଟେରୀ ପ୍ୟାକ୍ ଏବଂ ଦୁଇଟି ଚାର୍ଜିଂ ବିକଳ୍ପରେ ଆସିଥାଏ |

ପ୍ରଥମ ମଡେଲରେ ୧୯.୨କିଲୋୱାଟ ବ୍ୟାଟେରୀ ରହିଛି, ଯାହାକୁ ଥରେ ଚାର୍ଜ କଲେ ୨୫୦ କିଲୋମିଟର ଯାଇପାରିବ | ସେହିପରି ଦ୍ଵିତୀୟ ମଡେଲରେ ୨୪କିଲୋୱାଟ ବ୍ୟାଟେରୀ ରହିଛି ଯାହାକୁ ଥରେ ଚାର୍ଜ କଲେ ୩୧୫ କିଲୋମିଟର ଯାଇପାରିବ | ଉଲ୍ଲେଖ ଥାଉ କି ଇଭି ସେଗମେଣ୍ଟରେ ଟାଟା ଟିଆଗୋ ଭାରତର ପ୍ରଥମ ପ୍ରିମିୟମ ହ୍ୟାଚବ୍ୟାକ୍ ହୋଇପାରିଛି | ଡିସି ଫାଷ୍ଟ ଚାର୍ଜର ସହିତ ଟିଆଗୋ ବ୍ୟାଟେରୀକୁ ୮୦% ଚାର୍ଜ କରିବାକୁ ୫୭ ମିନିଟ୍ ସମୟ ଲାଗିବ | ଟିଆଗୋରେ ୮ ଟି ସ୍ପିକର ସିଷ୍ଟମ୍, ବର୍ଷା ସେନ୍ସିଂ ୱାଇପର, କ୍ରୁଜ୍ କଣ୍ଟ୍ରୋଲ୍, ପୁସ୍ ବଟନ୍ ଷ୍ଟାର୍ଟ / ଷ୍ଟପ୍ ସୁବିଧା ଦିଆଯାଇଛି | ଏହାର ପ୍ରାରମ୍ଭିକ ମୂଲ୍ୟ ୮.୬୯ ଲକ୍ଷ ଟଙ୍କା ରହିଛି |

ସମ୍ବନ୍ଧିତ ଖବର